34.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶଜାପାନ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରସ୍ତାବ: ଚୀନ୍‌କୁ କଡ଼ା ଜବାବ ଦେବା ମୁଖ୍ୟ ଉଦ୍ଦେଶ୍ୟ

ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରସ୍ତାବ: ଚୀନ୍‌କୁ କଡ଼ା ଜବାବ ଦେବା ମୁଖ୍ୟ ଉଦ୍ଦେଶ୍ୟ

ଟୋକିଓ :  ଜାପାନର ପରବର୍ତ୍ତୀ ତଥା ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିବରାଲ୍ ଡେମୋକ୍ରାଟ୍ ପାର୍ଟି (ଏଲ୍‌ଡିପି) ସଭାପତି ଶିଗୁରୁ ଇଶିବା ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୧ରେ ଶପଥ ଗ୍ରହଣ କରିବେ । ତେବେ ଏହା ପୂର୍ବରୁ ସେ ଏକ ବଡ଼ ଘୋଷଣା କରିଛନ୍ତି । ୟୁରୋପୀୟ ସଂଘୀୟ ସଂଗଠନ ‘ନାଟୋ’ ଭଳି ଏସିଆ ମହାଦେଶରେ ମଧ୍ୟ ଏକ ସାମରିକ ମେଣ୍ଟ ଗଠନ କରାଯିବ । ସେ ଏନେଇ ଚୀନ୍‌କୁ ବାଦ୍ ଦେଇ ସମସ୍ତ ଏସୀୟ ଦେଶଗୁଡ଼ିକୁ ଆହ୍ୱାନ ମଧ୍ୟ କରିଛନ୍ତି । ଇଶିବାଙ୍କ କହିବାନୁସାରେ ଏହି ଗୋଷ୍ଠୀକୁ ନିଜର ଆଣବିକ ଅସ୍ତ୍ର ତିଆରି କରିବାର ଅଧିକାର ଦିଆଯିବା ଉଚିତ୍ । ଚୀନ୍‌ର ବଢୁଥିବା ବିସ୍ତାରବାଦୀ ନୀତିକୁ ରୋକିବା ପାଇଁ ଏସିଆରେ ନାଟୋ ଭଳି ଏକ ସାମରିକ ସହଯୋଗୀ ମେଣ୍ଟ ଆବଶ୍ୟକ । ୱାଶିଂଟନ୍ ଡିସି ଭିତ୍ତିକ ଥିଙ୍କ୍ ଟ୍ୟାଙ୍କ ହଡସନ୍ ଭଳି ଏକ ପ୍ରତିଷ୍ଠାନ ପାଇଁ ମଧ୍ୟ ସେ ପ୍ରସ୍ତାବ ରଖିଛନ୍ତି । ‘ଜାପାନର ବୈଦେଶିକ ନୀତିର ଭବିଷ୍ୟତ\’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଇଶିବା ଏପରି କହିଛନ୍ତି ।
ଅକ୍ଟୋବର ୧ରେ ଜାପାନର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ସମାରୋହ ପରେ ଇଶିବା ଅକ୍ଟୋବର ୯ ସୁଦ୍ଧା ସଂସଦ ଭଙ୍ଗ କରିବାକୁ ଯୋଜନା କରିଛନ୍ତି । ଜାପାନ ନ୍ୟୁଜ୍‌୍ ରିପୋର୍ଟ ଅନୁଯାୟୀ ଇଶିବା କହିଛନ୍ତି ଯେ, ରୁଷିଆ, ଉତ୍ତର କୋରିଆ ଏବଂ ଚୀନ୍ ଆଣବିକ ଅସ୍ତ୍ର ବିସ୍ତାର କରୁଛନ୍ତି । ଏହି ଦେଶଗୁଡିକରୁ ଆଣବିକ ବିପଦକୁ ରୋକିବା ପାଇଁ ଏସୀୟ ଦେଶଗୁଡ଼ିକ ମଧ୍ୟ ନାଟୋ’ ଭଳି ଏକ ସଂଗଠନ ଗଠନ ଦିଗରେ ବିଚାର କରିବା ଉଚିତ୍ । ପ୍ରକାଶ, ଅନେକ ପ୍ରସଙ୍ଗରେ ଜାପାନ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି ଏବଂ ଉଭୟଙ୍କ ମଧ୍ୟରେ ତିକ୍ତତା ଦଶନ୍ଧି ପୁରୁଣା ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତ ସୀମା ଲଦାଖ୍ ନିକଟରେ ଚୀନ୍ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରଟି ଆଉ ଏକ କ୍ଷେପଣାସ୍ତ୍ରକୁ ମାରି ଖସାଇଦେଇଥିଲା । ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଦୃଷ୍ଟିରେ ରଖି ଚୀନ୍ ଏହି ପରୀକ୍ଷଣ କରିଥିବା ଅନୁମାନ କରାଯାଉଛି । ସିନ୍‌ହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଅଗଷ୍ଟ ୨୯ରେ ଚୀନ୍ ସେନା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା । କାରାକୋରମ୍ ମାଳଭୂମି ନିକଟରେ ଭୂପୃଷ୍ଠରୁ ଆକାଶକୁ ଆସୁଥିବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) । ବିଶ୍ଳେଷକଙ୍କ ମତରେ ଏହି ପରୀକ୍ଷଣ ମାଧ୍ୟମରେ ଭାରତକୁ କଡ଼ା ବାର୍ତ୍ତା ଦେବାକୁ ଚୀନ୍ ପ୍ରୟାସ କରିଛି । ଚୀନ ଭାରତକୁ ଦେଖାଇବାକୁ ଚାହୁଁଛି ଯେ ଭାରତର କ୍ଷେପଣାସ୍ତ୍ରକୁ ଖସାଇବାର କ୍ଷମତା ତାଙ୍କ ପାଖରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking