28.1 C
Bhubaneswar
Sunday, September 29, 2024
Homeଓଡିଶାଭରତପୁର ଘଟଣା : ହଟିଲେ ସିପି ଓ ଡିସିପି

ଭରତପୁର ଘଟଣା : ହଟିଲେ ସିପି ଓ ଡିସିପି

ଭୁବନେଶ୍ୱର: ରାଜ୍ୟ ସରକାର ଭରତପୁର ଘଟଣାରେ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଥିବା କଥା ଆଇପିଏସ୍ ଅଫିସର୍ ସ୍ତରରେ ହୋଇଥିବା ଅଦଳ ବଦଳରୁ ସ୍ପଷ୍ଟ ସୂଚନା ମିଳୁଛି। କଟକ-ଭୁବନେଶ୍ୱରର କମିଶନରଙ୍କ ସମେତ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ବଦଳୀ କରାଯାଇଛି। କମିଶନ୍‌ରେଟ୍ ପୋଲିସରେ ଉଭୟ ସହରର ଡିସିପି ଓ ଅତିରିକ୍ତ ସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ସରକାର ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଯେଉଁଥିରେ ହଠାତ୍ କେହି ଭାବିବେ ନାହିଁ ଯେ ଉକ୍ତ ଘଟଣାକୁ ନେଇ ଏତେବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନ ପଛର ରହସ୍ୟ ଅଛପା ନାହିଁ।

ନିକଟରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ ଯେଉଁ ଘଟଣା ଘଟିଥିଲା ତାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲା। ଏଥି ନେଇ ସରକାରଙ୍କୁ ଜାତୀୟସ୍ତରରେ ବେଶ୍ ଅପମାନିତ ହେବାକୁ ପଡ଼ିଥିଲା। ପୋଲିସ ଓ ସେନା କର୍ମଚାରୀଙ୍କ ମଧ୍ୟରେ ଘଟଣାକୁ ନେଇ ତିକ୍ତତା ମଧ୍ୟ ଦେଖା ଦେଇଥିଲା। ଭୁବନେଶ୍ୱର ଡିସିପି ଘଟଣାକୁ ପ୍ରଥମେ ହାଲୁକା ଭାବେ ନେଇଥିଲେ। ପରେ ମତ ବଦଳାଇଲେ। ଭରତପୁର ଏକ ଆଦର୍ଶଥାନା ହୋଇଥିଲେ ବି ସେଠାରେ ସିସିଟିଭି ନଥିବା ଯୋଗୁ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ସିସିଟିଭି ଥିଲେ ବାସ୍ତବରେ ପୋଲିସ କିମ୍ବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଭିତରୁ କିଏ ସତ କହୁଛି ତାହାର ପ୍ରମାଣ ମିଳିଥାଆନ୍ତା। ସିସିଟିଭି ନଥିବା ଯୋଗୁ ପ୍ରକୃତ ସତ୍ୟ ଜଣାପଡ଼ିଲା ନାହିଁ। ଏବେ ସଂପୃକ୍ତ ପୋଲିସ ଅଧିକାରୀମାନଙ୍କର ମିଛଧରା ପରୀକ୍ଷା ହେବାକୁ ଯାଉଛି। ଏଥିରେ ଭରତପୁର ଥାନାର ପୂର୍ବତନ ଇନ୍ସପେକ୍ଟର ଓ ସବ୍‌ଇନ୍ସିପେକ୍ଟରଙ୍କ ସମେତ ୫ଜଣଙ୍କୁ ସରକାର ନିଲମ୍ବିତ କରିଥିବା ବେଳେ ଆଜି ପୋଲିସ କମିଶନର, ଡିସିପି ଓ ଅତିରିକ୍ତ ସିପିଙ୍କୁ ବଦଳୀ କରାଯାଇଛି।

ଭରତପୁର ଘଟଣାକୁ ନେଇ ସରକାର ଦେଶରେ ଅପଦସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ ଭାବେ କହିଥିଲେ ଯେ, ଏହି ଘଟଣାରେ କାହାରିକୁ ଛଡ଼ା ଯିବ ନାହିଁ। ସେ ଯେଉଁ ପାହ୍ୟାର ଅଧିକାରୀ ହୋଇଥିଲେ ବି ସରକାର ଶୂନ୍ୟ ସହନଶୀଳତା ନେଇ ଅବଲମ୍ବନ କରିବେ ବୋଲି କହିଥିଲେ। ସେନା ଅଧିକାରୀଙ୍କ ବାନ୍ଧବୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଥାନାରେ ସିସିଟିଭି ନଥିବା ଘଟଣା ନେଇ କୌଣସି ବରିଷ୍ଠ ପୋଲିସ ଅଧିକାରୀ ତଦାରଖ କରି ନଥିଲେ। ଏଥି ନେଇ ସିଧାସଳଖ ଡିସିପି ଓ ସିପିଙ୍କ ଆଡ଼କୁ ଆଙ୍ଗୁଳି ଉଠିଥିଲା। ବରିଷ୍ଠ ପୋଲିସ ଅଧିକାରୀ ହୋଇଥିଲେ ବି ଏମାନେ ଦାୟିତ୍ୱରେ ଅବହେଳା କରିଥିବା ସ୍ପଷ୍ଟ ହେଲା। ଥାନାର ଅଭାବ ଅସୁବିଧା ଓ ପୋଲିସର କାର୍ଯ୍ୟକୁ ତଦାରଖ କରିବା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ଥିଲା ବେଳେ ଉଭୟ ଅବହେଳା କରିଥିବା ସ୍ପଷ୍ଟ ହେଲା। ସିସିଟିଭି ଥିଲେ ହୁଏତ ଘଟଣାକୁ ନେଇ ଯେଉଁ ବିବାଦ ବଢ଼ିଲା ତାହା ଏତେ ଦୂର ଆଗେଇ ନଥାଆନ୍ତା। କାର୍ଯ୍ୟାନୁଷ୍ଠାନ ନେବାରେ ସରକାରଙ୍କୁ ଅସୁବିଧା ହୋଇ ନଥାଆନ୍ତା।

ମୋହନ ସରକାର ନୂଆ ଭାବେ ଦାୟିତ୍ୱ ନେବା ପରେ ଆଇନ୍ ଶୃଙ୍ଖଳା ନେଇ ବିଭିନ୍ନ ଅଭିଯୋଗ ଆସିବାରେ ଲାଗିଛି। ଦାୟିତ୍ୱରେ ରହିଥିବା ବରିଷ୍ଠ ପୋଲିସ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ପାରୁ ନାହାଁନ୍ତି। ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧାରେ ସାମ୍ପ୍ରାଦାୟିକ ହିଂସାର ସୁତ୍ରପାତ ହୋଇଛି। ଭଦ୍ରକରେ ଦୁଇଥର ଘଟଣା ଘଟିଲାଣି। ରାଉରକେଲାରେ ବି ଏକାଧିକ ବଳାତ୍କାର ଘଟଣା ଘଟି ଚାଲିଛି। ଏହି ସବୁକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲା ଏସ୍‌ପି ସ୍ତରରେ ବି ବଡ଼ ପରିବର୍ତ୍ତନ କରିଛନ୍ତି। ରାଉରକେଲା, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପ୍ରଭୃତି ଏସ୍‌ପିଙ୍କୁ ବଦଳୀ କରାଯାଇଛି।

ଏହି ବଦଳୀ କରି ସରକାର ଆଇପିଏସ୍‌ମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଠିକ୍ ଭାବରେ ନ ରଖିଲେ ଓ ଥାନାକୁ ଆସୁଥିବା ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ନଦେଲେ ସେ ଯେଉଁ ପଦବୀରେ ଥାଆନ୍ତୁ ନା କାହିଁକି ତାଙ୍କୁ ହଟାଇ ଦିଆଯିବ। ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀ ଦୁଇଦିନ ଧରି ଏଠାରେ ଚାଲିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷ ଭାବରେ ପୋଲିସ ବିଭାଗରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ତା ସମ୍ପର୍କରେ ଖେଲା ଖୋଲି ଭାବେ ତାଙ୍କ ମତ ରଖିଥିଲେ। ଏ ସବୁ କୁ ବରଦାସ୍ତ କରାଯିବ ନାହିଁ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଅଫିସରମାନଙ୍କୁ ଦେଇଥିଲେ। ୨୭ ଓ ୨୮ ଦୁଇଦିନ ଧରି ସମ୍ମିଳନୀ ଚାଲିଲା ପରେ ଆଜି ପୋଲିସ ଅଫିସରଙ୍କ ପଦବୀରେ ବ୍ୟାପକ ଅଦଳ ବଦଳ କରାଗଲା। ଏହା ପରେ ଆଇଏଏସ୍‌ଙ୍କ ପାଳି ପଡ଼ିପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking