23.1 C
Bhubaneswar
Tuesday, February 3, 2026
Homeଓଡିଶାଶିଶୁ ଯୌନ ଶୋଷଣ ଉପରେ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟକୁ ସମର୍ଥନ ଜଣେଇଲେ ରାଜ୍ୟ ସରକାର

ଶିଶୁ ଯୌନ ଶୋଷଣ ଉପରେ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟକୁ ସମର୍ଥନ ଜଣେଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ। ସୁପ୍ରିମ କୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, “ପ୍ରୋଟେକଶନ ଅଫ୍ ଚିଲଡ୍ରେନ ଫ୍ରମ ସେକ୍ସଉଆଲ ଅଫେନସ ଆକ୍ଟ” ଆଇନ ଅନ୍ତର୍ଗତ ଶିଶୁ ଅଶ୍ଳୀଳ ଭିଡିଓ ଦେଖିବା, ଡାଉନଲୋଡ କରିବା ସହ ନିଜ ପାଖେ ରଖିବାକୁ ସୁପ୍ରିମ କୋର୍ଟ ଏକ ଦଣ୍ଡନୀୟ ଅପରାଧ ବୋଲି ରାୟ ଦେବା ସହ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ଶିଶୁମାନଙ୍କୁ ଶୋଷଣ କିମ୍ବା କୌଣସି ପ୍ରକାର ଯୌନ ଉତ୍ପୀଡନ ଦେଉଥିବା ବ୍ୟକ୍ତି ଆଇନ ବିଷୟରେ ଜାଣି ନାହିଁ ଅଥବା ନିଜ ଅଜ୍ଞତାର ବାହାନା ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ଦୃଢ ମତ ଦେଇଛନ୍ତି।
ସମସ୍ତ ପ୍ରକାର ଶିଶୁ ଯୌନ ଶୋଷଣ ନିପାତ କରିବା ଉଦ୍ଦେଶ୍ୟରେ କଠୋର ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି । ଶିଶୁ ଅଶ୍ଳୀଳତାର ପ୍ରସାରକୁ ରୋକିବା ପାଇଁ ରାଜ୍ୟ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ ସମନ୍ୱୟ ବୃଦ୍ଧି କରାଯିବ। ଏହି ଅପରାଧକୁ ରୋକିବା ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ଏକ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯିବ। ସୁପ୍ରିମ କୋର୍ଟଙ୍କ ସୁପାରିଶ ଅନୁଯାୟୀ, ଶିଶୁ ନିର୍ଯାତିତ ପୀଡିତମାନଙ୍କୁ ରାଜ୍ୟ ସରକାର ଯଥୋଚିତ ସହାୟତା ଦେବା ସହ ଆବଶ୍ୟକ ଯତ୍ନ ଯୋଗେଇ ଦେବେ। ରାଜ୍ୟ ସରକାର ଶିଶୁ ଯୌନ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଅସୁରକ୍ଷିତ ଶିଶୁମାନଙ୍କ ବିଷୟରେ ଜାଣିଲେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣେଇବା ପାଇଁ ବିଭାଗ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି।
ଶିଶୁମାନଙ୍କ ଅଧିକାର ଏବଂ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଶିଶୁମାନଙ୍କୁ ଏକ ନିରାପଦ ପରିବେଶ ଦେଇପାରିବା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking