ଭୁବନେଶ୍ୱର: ଯେଉଁ ବୟସରେ ପାଠ ପଢ଼ି ସଫଳ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା, ସେହି ସମୟରେ ଅପରାଧ ଜଗତରେ ପାଦ ଦେଉଛନ୍ତି ନାବାଳକ । ହତ୍ୟା, ନିଶା କାରବାର, ଚୋରି, ଲୁଟ୍, ସଂଘବଦ୍ଧ ଆକ୍ରମଣ ଆଦି ଘଟଣାରେ ସାମିଲ ହୋଇ ଅପରାଧୀ ସାଜୁଛନ୍ତି । ତେବେ କଅଁଳ ମନ ଏତେ ନିଷ୍ଠୁର ହେଉଛି କାହିଁକି? ନାବାଳକଙ୍କ ମଧ୍ୟରେ ଅପରାଧ ପ୍ରବଣତା ବଢ଼ୁଛି କାହିଁକି? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ବିଶେଷକରି ମା’ବାପା ଓ ବୁଦ୍ଧିଜୀବୀଙ୍କ ଚିନ୍ତା ବଢ଼ାଇଦେଇଛି । ଏଥିପାଇଁ ପରିବର୍ତ୍ତିତ ସାମାଜିକ ତଥା ପାରିବାରିକ ପରିବେଶ, ସଂସ୍କାର ଓ ଯତ୍ନର ଅଭାବ, ଢିଲା ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ନିଶାସେବନ, କୁସଙ୍ଗ, ପ୍ରେମ ଆଦି ବିଭିନ୍ନ କାରଣକୁ ଏଥିପାଇଁ ଦାୟୀ କରାଯାଉଛି ।
ଏକତରଫା ପ୍ରେମକୁ ନେଇ ୨୮ ତାରିଖ ମଧ୍ୟରାତିରେ ଭୁବନେଶ୍ୱରରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏଥିରେ ସମ୍ପୃକ୍ତ ଥିଲେ ୨ ନାବାଳକ । ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗର ଶୁକବିହାର ଅଞ୍ଚଳରେ ଜଗତ ମଲ୍ଲିକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ସମ୍ପୃକ୍ତ ନାବାଳକଦ୍ୱୟ ଏବେ ବାଳସୁଧାର ଗୃହରେ । ଏହାର କିଛିଦିନ ପୂର୍ବରୁ ଭୁବନେଶ୍ୱର କୋର୍ଟର ପୂର୍ବତନ ଏସ୍ଡିଜେଏମ୍ ତଥା ବର୍ତ୍ତମାନ ପୁରୀ ଦେବୋତ୍ତର ବିଭାଗର ସହକାରୀ ଆୟୁକ୍ତ ବିଚାରପତି ଶିଶିର କୁମାର ସାହୁଙ୍କ ବଡ଼ଗଡ଼ ବିଜେବି ନଗରସ୍ଥିତ ସରକାରୀ କ୍ୱାର୍ଟର୍ସରେ ଚୋରି ହୋଇଥିଲା । ଏହି ଘଟଣାରେ ଧରାପଡିଥିବା ୧୨ଜଣଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ନାବାଳକ । ପୁରୀ ହାଡ଼ଗୋଡ଼ିଆ ସାହିରେ ଅଗଷ୍ଟ ୮ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ୫ଜଣ ନାବାଳକ ଗୋଡାଇ ହତ୍ୟା କରିଥିଲେ ।
ଏହାର ପ୍ରତିଶୋଧ ନେବା ପାଇଁ ଅଗଷ୍ଟ ୧୯ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିଲା । ସେହି ସାହିରେ ଖଜା ବ୍ୟବସାୟୀ ହରିହର ସାହୁଙ୍କୁ ଗୋଟିଏ ପରିବାର ଓ ଅନ୍ୟମାନେ ହତ୍ୟା କରିଥିଲେ । ଏଥିରେ ମଧ୍ୟ ୭ ନାବାଳକ ସମ୍ପୃକ୍ତ ଥିଲେ । ଗତବର୍ଷ ଜୁଲାଇ ୪ରେ ଭୁବନେଶ୍ୱର ମହର୍ଷି କଲେଜ ଗଣ୍ଡଗୋଳ ଘଟଣାରେ ପୋଲିସ ୫ଜଣ ଏବଂ ଜାନୁଆରୀ ୪ରେ ବିଜେବି କଲେଜର ଆପରାଧିକ ମାମଲାରେ ୩ ନାବାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଜୁନ୍ ତୃତୀୟ ସପ୍ତାହରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗଣିଜାଙ୍ଗ ଅଞ୍ଚଳରେ ଜଣେ ୧୫ବର୍ଷୀୟ ନାବାଳକ ୨୦ଟଙ୍କା ପାଇଁ ନିଜ ଆଈଙ୍କୁ ମାରିଦେବା ପରେ ଜଣେ ମହିଳା ଓ ତାଙ୍କ ଶିଶୁକନ୍ୟାକୁ ନିର୍ମମ ଭାବେ ହତ୍ୟା କରିଥିଲେ । କେବଳ ଭୁବନେଶ୍ୱର, ପୁରୀ କିମ୍ବା ଭଦ୍ରକରେ ନୁହେଁ, ସାରା ରାଜ୍ୟରେ ଘଟୁଥିବା ବିଭିନ୍ନ ଅପରାଧରେ ନାବାଳକଙ୍କ ସମ୍ପୃକ୍ତିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।










