ଭୂବନେଶ୍ୱର: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅଭିନନ୍ଦନ ଜଣାଇ ଏକ ଐତିହାସିକ ସଂକଳ୍ପ ପାରିତ କରିଛି। ଏହି ସଂକଳ୍ପ କେବଳ ଏକ ଆନୁପାତିକ ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ “ରାଷ୍ଟ୍ର ପ୍ରଥମ’ ଏବଂ “ନାଗରିକ ପ୍ରଥମ’ ନୀତି ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଅସାଧାରଣ ଯାତ୍ରାକୁ ଉତ୍ସବ ଭାବେ ପାଳନ କରେ। ଗୁଜରାଟରେ ତିନୋଟି ପୂର୍ଣ୍ଣ ବହୁମତ ଏବଂ କ୍ରମାଗତ ତିନୋଟି ଲୋକସଭା ନିର୍ବାଚନରେ ଜନସାଧାରଣଙ୍କ ସମର୍ଥନ, ମୋଦୀଜୀଙ୍କ ଉପରେ ଦେଶବାସୀଙ୍କ ନିରନ୍ତର ବିଶ୍ୱାସର ପ୍ରତୀକ। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିବାଠାରୁ ଆରମ୍ଭ କରି ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ନୂତନ ଉଚ୍ଚତାକୁ ନେବା ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱର ୧୦ଟି ମୁଖ୍ୟ କାର୍ଯ୍ୟକୁ କେନ୍ଦ୍ର କ୍ୟାବିନେଟର ସଂକଳ୍ପରେ ସ୍ଥାନିତ କରାଯାଇଛି । ଆଜି ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗୁଜରାଟର “ସ୍ୱାଗତ’ ଜନ-ଅଭିଯୋଗ ଶୁଣାଣି ବ୍ୟବସ୍ଥା ଏବଂ ଦେଶର ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ରରେ “ପ୍ରଗତି’ ମାଧ୍ୟମରେ ଦେଶର ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଛି। ସେହିପରି “ଜ୍ୟୋତିଗ୍ରାମ’ ଯୋଜନା ଆଜି ସାରା ଦେଶ ପାଇଁ ଏକ ମଡେଲ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଅନୁଭୂତି କାରଣରୁ ଆଜି ୬୦ କୋଟି ଜନଧନ ଆକାଉଣ୍ଟ, ୪ କୋଟିରୁ ଅଧିକ ପକ୍କା ଘର ଏବଂ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ପରିବାରଗୁଡ଼ିକୁ ସମ୍ମାନର ସହ ଜୀବନଜାପନ କରିବାର ସୁଯୋଗ ଦେଇଛି। ଦେଶରେ ୩.୫ କୋଟି “ଲକ୍ଷପତି ଦିଦି’, “ନାରୀଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ମହିଳା ସଂରକ୍ଷଣ, ପିଏମ-କିଷାନ ମାଧ୍ୟମରେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କାର କୃଷକ ସହାୟତା ଏବଂ ପିଏମ-ଜନମନ ମାଧ୍ୟମରେ ଅତି ଦୁର୍ବଳ ଜନଜାତି ସମ୍ପ୍ରଦାୟ ନିକଟରେ ବିକାଶ ପହଞ୍ଚାଯାଇପାରିଛି। ରାଜନୈତିକ କ୍ଷତିର ଭୟ ସତ୍ତ୍ୱେ ଜିଏସଟି ଲାଗୁ କରିବା, କଲ୍ୟାଣକାରୀ ଯୋଜନାରେ ସଂସ୍କାର ଏବଂ ପୁରୁଣା ଉପନିବେଶବାଦୀ ଆଇନର ପ୍ରତ୍ୟାହାର ମୋଦୀଜୀଙ୍କ ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସେହିପରି ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ସରକାରୀ ପୁଞ୍ଜି ବ୍ୟୟ ୨ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୩ ଲକ୍ଷ କୋଟି ଟଙ୍କା ଟପିଛି। ପ୍ରତିରକ୍ଷା ଉତ୍ପାଦନ ଓ ସେମିକଣ୍ଡକ୍ଟର ନିର୍ମାଣ ଭାରତକୁ ସ୍ୱାବଲମ୍ବୀ କରିଛି। ଜନଧନ, ଆଧାର, ମୋବାଇଲ୍ ଓ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ବିପ୍ଳବ, ସ୍ୱଦେଶୀ କୋଭିଡ୍ ଟୀକା୍, ଚନ୍ଦ୍ରଯାନ-୩ର ସଫଳତା, ଏବଂ ଏଆଇ, କ୍ୱାଣ୍ଟମ୍ ଟେକ୍ନୋଲୋଜି ଓ ମହାକାଶ କ୍ଷେତ୍ରରେ ଘରୋଇ ଭାଗୀଦାରୀ ଭାରତକୁ ବିଶ୍ୱର ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିଛି। ବୈଶ୍ୱିକ କୋଭିଡ୍ ମହାମାରୀ ସମୟରେ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଏବଂ ପଶ୍ଚିମ ଏସିଆ ସଙ୍କଟ ସମୟରେ ସମୟୋପଯୋଗୀ ଶକ୍ତି ସୁରକ୍ଷା ପଦକ୍ଷେପ ଦେଶକୁ ଆତ୍ମବିଶ୍ୱାସ ଦେଇଛି। ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍, ୨୦୧୯ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍, ୨୦୨୫ ଅପରେସନ୍ ସିନ୍ଦୂର, ଧାରା ୩୭୦ ଉଚ୍ଛେଦ, ଓଆରଓପି ଏବଂ ସିଡିଏସ ପଦବୀ ସୃଷ୍ଟି ଜାତୀୟ ସୁରକ୍ଷାରେ ଏକ ନୂତନ ସୀମାରେଖା ସ୍ଥାପନ କରିଛି। ଜି-୨୦ ଏବଂ ବ୍ରିକ୍ସ ସମ୍ମିଳନୀରେ ସହମତି, ଗ୍ଲୋବାଲ ସାଉଥ୍ ଓ ଆଫ୍ରିକୀୟ ୟୁନିଅନ୍କୁ ସାମିଲ କରିବା, ଏବଂ “ଭାକ୍ସିନ୍ ମୈତ୍ରୀ’ ଦ୍ୱାରା ଭାରତର ପ୍ରଭାବ ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି। ମୋଦିଜୀଙ୍କୁ ୩୬ଟି ଦେଶରୁ ମିଳିଥିବା ସର୍ବୋଚ୍ଚ ସମ୍ମାନ ଏହାର ପ୍ରମାଣ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ମୋଦିଜୀଙ୍କ ନେତୃତ୍ୱରେ ଗୁଜରାଟର ଜଳବାୟୁ ବିଭାଗରୁ ଆରମ୍ଭ କରି ସୌର ଶକ୍ତି ସମ୍ପ୍ରସାରଣ, ଯୋଗ, ମିଲେଟ୍ସ, କାଶୀ ବିଶ୍ୱନାଥ ଧାମ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମାଧ୍ୟମରେ ସାଂସ୍କୃତିକ ଗୌରବକୁ ପୁନଃପ୍ରତିଷ୍ଠା କରାଯାଇଛି। ଏହି ସଂକଳ୍ପ କେବଳ ଗୋଟିଏ କାର୍ଯ୍ୟକାଳର ହିସାବ ନୁହେଁ, ବରଂ ୨୦୪୭ ସୁଦ୍ଧା ଏକ ସମୃଦ୍ଧ, ଆତ୍ମନିର୍ଭର ଏବଂ ବିକଶିତ ଭାରତ ଗଠନ ପାଇଁ ଆମ ସମସ୍ତଙ୍କର ପୁନଃ-ସଂକଳ୍ପବଦ୍ଧ ହେବାର ପ୍ରେରଣା ଯୋଗାଉଛି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା କାଲି ଅକ୍ଟୋବର ୭ ତାରିଖ ଦିନ ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୪୦ କୋଟି ଦେଶବାସୀଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିବେ । ଓଡ଼ିଶାରେ ୩୧ ଟି ରାଜସ୍ୱ ଜିଲ୍ଲା ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସହ କଥା ହେବେ ମୋଦିଜୀ । ବିଭିନ୍ନ କେନ୍ଦ୍ରୀୟ ଯୋଜନା, ଯାହା ଲୋକଙ୍କ ଜୀବନକୁ ଉନ୍ନତ କରିଛି ତାହାକୁ ନେଇ ଆଲୋଚନା କରିବେ । ଖୋର୍ଦ୍ଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ସେହିଭଳି ଅନ୍ୟ ସମସ୍ତ ଜିଲ୍ଲାରେ ଗୁଡିକରେ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସମସ୍ତ ମନ୍ତ୍ରୀ, ସାଂସଦଙ୍କ ଏବଂ ବିଧାୟକମାନେ ସାମିଲ ହେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ରାଜ୍ୟ ପ୍ରକୋଷ୍ଟ ସମୁହ ସହ ସଂଯୋଜକ ଶ୍ରୀ ସୁଦୀପ୍ତ ରାୟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।










