ଗଂଜାମ : ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବାବେଳେ ପରବର୍ତ୍ତୀ ସ୍ଥିତି ଓ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସମୀକ୍ଷା କରିଛନ୍ତି। ଏହି କ୍ରମରେ ସେ ପୋଟଲାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସେଠାରେ ଲୋକଙ୍କ ସହ ଆଲୋଚନା କରିବା ସହ ରନ୍ଧାଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏପରିକି ଜିଲ୍ଲାପାଳ ଓ ସିଡିଓ ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷି ସେମାନଙ୍କ ସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ସ୍ଥାନରେ ଜଳ ପ୍ରବେଶ କରିଥିଲା। ତେଣୁ ପ୍ରଶାସନର ବିପଦପ୍ରବଣତା ଚିହ୍ନଟ ଓ ମ୍ୟାପିଂ (ଭଲନେରେବିଲିଟି ମ୍ୟାପିଂ) ଅନୁଯାୟୀ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଇ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରୟସ୍ଥଳୀରେ ରହୁଥିବା ସମସ୍ତଙ୍କ ପାଇଁ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।
ଜିଲ୍ଲାପାଳ କହିଥିଲେ ଯେ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରଶାସନ ଓ ଜନସାଧାରଣଙ୍କୁ ସଜାଗ ରହିବାକୁ ପଡ଼ିବ। ବିଶେଷକରି ଗଞ୍ଜାମ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଏବେ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି।










