କଳାହାଣ୍ଡି : କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶନିବାର ଜୁନାଗଡ଼ ଏନ୍ଏସିର ଏମ୍ଆଇଏସ୍ ଆସିଷ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ଅନୁଯାୟୀ, ଜଣେ ଆବାସ ଯୋଜନା ହିତାଧିକାରୀଙ୍କ ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଶେଷ ବିଲ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ କର୍ମଚାରୀ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଶନିବାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ପଚରାଉଚରା ଓ ତଦନ୍ତ ପାଇଁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛନ୍ତି।










