16.1 C
Bhubaneswar
Sunday, January 5, 2025
Homeଓଡିଶାଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ

କଟକ:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଳଚେର ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ଏକକାଳୀନ ଭାବେ ଭିଜିଲାନ୍ସ ୮ଟି ସ୍ଥାନରେ ଚଢ଼ଉ କରି ୧୦ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ବେଳେ ଭୁବନେଶ୍ୱର ଏବଂ କେନ୍ଦୁଝରରେ ଦାମୀ ଘର ଓ ପ୍ଲଟକୁ ଠାବ କରିଛି । ଶ୍ରୀ ନାୟକ ୭୫ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣକୁ ମାତ୍ର ୨ବର୍ଷ ମଧ୍ୟରେ ଶୁଝି ପାରିଛନ୍ତି । ଅର୍ଥାତ୍ ମାସକୁ ସେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଶୁଝୁଥିଲେ । ଏଥିରୁ ସ୍ପଷ୍ଟ ହୋଇଛି କିଭଳି ଭାବେ ନିଜର କ୍ଷମତାକୁ ଅପବ୍ୟବହାର କରି ସେ ଅମାପ ସମ୍ପତ୍ତି ଠୁଳ କରିବାରେ ସମର୍ଥ ହୋଇଛନ୍ତି ।

ଭିଜିଲାନ୍ସ ଧରଣୀଧରଙ୍କ ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର,ଭୁବନେଶ୍ୱର ପଟିଆରେ ଥିବା ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଚଢ଼ଉ କରିଥିଲା । ଭୁବନେଶ୍ୱର ପଟିଆର ଶିଶୁବିହାରରେ ଥିବା  ଫ୍ଲାଟ ନଂ.୨୦୫ର ମୂଲ୍ୟ ପ୍ରାୟ ୧କୋଟି  ୩୦ ଲକ୍ଷ ହେବ ବୋଲି  ଭିଜିଲାନ୍ସ ଆକଳନ କରିଛି । ସେହିପରି ଭୁବନେଶ୍ୱର ସୁନ୍ଦରପଦାରେ ୧୮୦୦ ବର୍ଗଫୁଟର ଏକ ଡୁପ୍ଲେକ୍ସ ରହି ଥିବା ବେଳେ କେନ୍ଦୁଝର ସିଂକୁଳବାହାଲରେ ଦୁଇମାହାଲା ବିଶିଷ୍ଟ ମାର୍କେଟ କମ୍ଲେକ୍ସରେ ୧୫ଟି ଦୋକନ ଘର ରହିଛି ।

ଆଉ ଏକ ମାର୍କେଟ କମ୍ପେ୍ଲକ୍ସ ସେଠାରେ ନିର୍ମାଣାଧିନ ଅଛି । ଏଥି ସହିତ କେନ୍ଦୁଝର ଜଗମୋହନପୁରରେ ମଧ୍ୟ ଅନ୍ୟ ଏକ ମାର୍କେଟ କମ୍ପେ୍ଲକ୍ସ ରହିଛି ସେଠାରେ ୪ଟି ଦୋକାନ ଘର ଭଡା ଦିଆଯାଇଛି । ପୈତୃକ ଗ୍ରାମ ଛାମୁଣ୍ଡାରେ ଏକ କୋଠା ଥିବା ବେଳେ ଭୁବନେଶ୍ୱରରେ ୨ଟି ପ୍ଲଟ ସହିତ ସମୁଦାୟ ୯ଟି ପ୍ଲଟ ଓ ଗୋଟିଏ କାର ଠାବ କରିଛି ଭିଜିଲାନ୍ସ । ବ୍ୟାଙ୍କ୍ ଓ ବୀମା କମ୍ପାନୀରେ ଥିବା ଜମାକୁ ଭିଜିଲାନ୍ସ ଏବେ ଠାବ କରିବାକୁ ଛାନ୍‌ଭିନ୍ ଚଳାଇଛି । ବିଶେଷ କରି ଧରଣୀଧର ବାଲି ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ଚଢ଼ଉରେ ୧୦ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ ଏଏସଆଇ  ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking