ନୂଆଦିଲ୍ଲୀ:ଦେଶରେ ଏବେ ମଙ୍କି ପକ୍ସ ବା ଏମ୍ପକ୍ସ ଭୂତାଣୁଜନିତ ସଂକ୍ରମଣଜନିତ ଭୟାବହତାକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ହସ୍ପିଟାଲଗୁଡ଼ିକୁ ଏମ୍ ପକ୍ସ ସଂକ୍ରମିତଙ୍କ ପାଇଁ ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିବା ଜଣାପଡ଼ିଛି । ସେହିପରି ଏୟାରପୋର୍ଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଦେଶରୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ବା ବିଦେଶ ଯାତ୍ରାରୁ ଫେରୁଥିବା ଭାରତୀୟ ନାଗରିକଙ୍କୁ ଏୟାରପୋର୍ଟରୁ ହିଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । କରୋନା ଭଳି ମଙ୍କିପକ୍ସ ଭୂତାଣୁଜନିତ ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ବିମାନ ବନ୍ଦରରେ ମୁତୟନ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନ୍ତର୍ଗତ ବ୍ୟକ୍ତିବିଶେଷଙ୍କ ଚେକ୍ଅପ୍ କରିବାକ୍ୁ ହେବ । ବିଶେଷକରି ଶରୀରରେ ନାଲି ନାଲି ଫଳି ଯାଇଥିବା ରୋଗୀଙ୍କୁ ଚିହ୍ନଟ କରିବାକୁ ସେମାନଙ୍କୁ କୁହାଯାଇଛି । ସାମାନ୍ୟତମ ଲକ୍ଷଣ ଠାବ ହେଲେ ସର୍ବପ୍ରଥମେ ଉକ୍ତ୍ ବ୍ୟକ୍ତିବିଶେଷଙ୍କୁ ଆଇସୋଲେସନ୍ ତଥା କ୍ୱାରାଣ୍ଟାଇନ୍ କରାଯିବ । ଏହାପରେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବ । ସନ୍ଦିଗ୍ଧ ରୋଗୀଙ୍କ ଆରଟି-ପିସିଆର ଓ ସ୍ୱାବ୍ ଟେଷ୍ଟ କରାଯିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏମ୍ପକ୍ସ ବା ମଙ୍କି ପକ୍ସକୁ ଗ୍ଲୋବାଲ ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିବା ପରେ ଭାରତରେ ଭୟର ସଞ୍ଚାର ହୋଇଛି । ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ, ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ଲେଡି ହାର୍ଡିଙ୍ଗେ ମେଡିକାଲ କଲେଜ୍ ଭଳି ୩ଟି ହସ୍ପିଟାଲକୁ ମଙ୍କିପକ୍ସ ଭୂତାଣୁ ସଂକ୍ରମିତଙ୍କ ପାଇଁ ନୋଡାଲ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ସେହିପରି ଦେଶର ସମସ୍ତ ରାଜ୍ୟରେ ମଧ୍ୟ ଏପ୍ରକାର ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ହୁ’ ପକ୍ଷରୁ ଦିଆଯାଇଥିବା ଏକ ରିପୋର୍ଟ ଅନୁସାରେ ଗତ ୨୦୨୨ରୁ ଏପର୍ଯ୍ୟନ୍ତ ପ୍ରାୟ ୧୧୬ଟି ଦେଶରେ ମୋଟ୍ ୯୯,୧୭୬ଟି ଏମ୍ପକ୍ସ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏଥିମଧ୍ୟରୁ ୨୦୮ଜଣ ପ୍ରାଣ ହରାଇଛନ୍ତି । ବିଶେଷକରି ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’ରେ ଏମ୍ପକ୍ସ ଭୂତାଣୁ ସଂକ୍ରମଣ ହାର ଅଧିକ ରହିଆସିଛି । ସେହିପରି ଭାରତରେ ଜୁନ୍ ୨୦୨୨ରୁ ୨୦୨୩ ମେ’ ମାସ ସୁଦ୍ଧା ମୋଟ୍ ୩୦ଟି ଏମ୍ପକ୍ସ ମାମଲା ଚିହ୍ନଟ ହୋଇଛି । ତେବେ ଏସମସ୍ତ ସଂକ୍ରମିତ ବିଦେଶୀ ନାଗରିକ ଭାବେ ଠାବ କରାଯାଇଛନ୍ତି । ସୁତରାଂ ଭାରତ ସରକାର ଏବେ ବାଂଲାଦେଶ ଏବଂ ପାକିସ୍ତାନ ସମେତ ପଡୋଶୀ ଦେଶ ସହ ସଂଲଗ୍ନ ସୀମାରେଖାରେ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ ଅଧିକ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ବ୍ୟବଧାନରେ ଭାରତରେ ଏମ୍ପକ୍ସ ଭୂତାଣୁଜନିତ ସ୍ଥିତାବସ୍ଥା ସମ୍ପର୍କରେ ମନିଟରିଂ କରୁଥିବା କୁହାଯାଇଛି ।










