22.1 C
Bhubaneswar
Saturday, January 11, 2025
Homeଓଡିଶାଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ- ମୁଖ୍ୟମନ୍ତ୍ରୀ

ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଭୁବନେଶ୍ୱର ଠାରେ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି।
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାର ଆୟୋଜନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜାତୀୟ ପତାକା ଆମ ଦେଶ ତଥା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ। ଆମ ଜାତୀୟ ପତାକା ତ୍ରିରଙ୍ଗା । ତ୍ରିରଙ୍ଗାର ତିନି ରଙ୍ଗ  ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର  ଆଦର୍ଶରେ ଅନୁପ୍ରାଣୀତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ଅଟେ । ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତ୍ବର ପ୍ରତୀକ ଅଟେ। ପ୍ରତ୍ୟେକ ଦେଶବାସୀ ଆମ ଜାତୀୟ ପତାକାକୁ ନେଇ ଗର୍ବ ଅନୁଭବ କରିଥାନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୨୨ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତାର ୭୫ତମ ପୂର୍ତ୍ତି ପାଳନ ଓ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆମ ଜାତୀୟ ପତାକାର ସମ୍ମାନାର୍ଥେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ପ୍ରତି ବର୍ଷ ସ୍ବାଧୀନତା ଦିବସ ପାଳନର କିଛି ଦିନ ପୂର୍ବରୁ ଦେଶବାସୀଙ୍କ ମନରେ ଜାତି ପ୍ରେମକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆୟୋଜିତ ହେଉଛି । ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ବାନରେ ଦେଶର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଆମ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ଦେଶପ୍ରେମର ନିଦର୍ଶନ ପ୍ରତିଫଳିତ କରୁଛନ୍ତି ।
ଆଜିର ଏହି ପଦଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ତ୍ରିରଙ୍ଗା ପଦଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍‌ବୁଦ୍ଧ କରିଛି। ଆମେ ସମସ୍ତେ ଏକାଠି ହେଲେ, ମିଳିମିଶି କାମ କଲେ, ଜୀବନରେ ସଫଳତା ହାସଲ କରିପାରିବା। ଦେଶ ଓ ଜାତିର ଗୌରବ ବୃଦ୍ଧିରେ ନିଜର ଯୋଗଦାନ ଦେଇପାରିବା ।
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଆମେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହୋଇ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ” ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶ ପାଇଁ ଆସନ୍ତୁ ନିଜର ଅବଦାନ ରଖିବା ।
ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ରାଜ୍ୟ ସରକାରଙ୍କର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ପଦଯାତ୍ରାରେ ସାମିଲ ସମସ୍ତଙ୍କ ହାତରେ ଥିଲା ଜାତୀୟ ପତାକା ଏବଂ ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପଦଯାତ୍ରା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking