26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶମୁମ୍ବାଇରେ ଆଉ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା; ଦମ୍ପତିଙ୍କୁ ଧକ୍କା ଦେଲା ବିଏମ୍‌ଡବ୍ଲ୍ୟୁ, ମହିଳା...

ମୁମ୍ବାଇରେ ଆଉ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା; ଦମ୍ପତିଙ୍କୁ ଧକ୍କା ଦେଲା ବିଏମ୍‌ଡବ୍ଲ୍ୟୁ, ମହିଳା ମୃତ

ମୁମ୍ବାଇ: ମୁମ୍ବାଇରେ ଆଜି ପୁଣି ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ମାଛ କିଣି ଘରକୁ ଫେରୁଥିବା ଏକ ଦମ୍ପତିଙ୍କ ସ୍କୁଟି ପଛପଟୁ ଜୋରଦାର ଧକ୍କା ଦେଇଥିବା ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲ୍ୟୁ କାର । ଜୋରଦାର ଧକ୍କା ଯୋଗୁ ସ୍କୁଟି ପଛଭାଗରେ ବସିଥିବା କାବେରୀ ନଖୱା (୪୫) ନାମ୍ନୀ ମହିଳାଜଣକ ଛିଟିକି ପଡ଼ିଥିଲେ ଏବଂ ଗାଡ଼ି ବନେଟ୍ ଉପରେ ଆସି ପଡ଼ିଥିଲେ । ନିଶା ଅବସ୍ଥାରେ ଥିବା ଗାଡ଼ି ଚଳାଉଥିବା ଅଭିଯୁକ୍ତ ତାଙ୍କୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପାଖରେ ଥିବା ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ତାଙ୍କ ସ୍ୱାମୀ ପ୍ରଦୀପ୍ ନଖୱା, ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁମ୍ବାଇର ୱର୍ଲି ଅଞ୍ଚଳରେ ଆଜି ଭୋର ୫.୩୦ ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲା । ପୁଲିସ୍ ରିପୋର୍ଟ ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଦମ୍ପତି ଆଜି ସକାଳୁ ମାଛ ଆଣିବା ପାଇଁ ଘର ପାଖରେ ଥିବା କୋଲାବା ସସୁନ୍ ଡକ୍‌କୁ ନିଜ ସ୍କୁଟିରେ ଯାଇଥିଲେ । ତେବେ ସେମାନେ ଘରକୁ ଫେରିବା ବାଟରେ ଆନି ବସନ୍ତ ରୋଡ୍ ସ୍ଥିତ ୱର୍ଲି ଅଟରିଆ ମଲ୍ ନିକଟରେ ତାଙ୍କୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବିଏମ୍‌ଡବ୍ଲ୍ୟୁ କାର ଧକ୍କା ଦେଇଥିଲା । ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇଥିବା ବିଏମ୍‌ଡବ୍ଲ୍ୟୁ କାର୍‌ଟି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ଜଣେ ବାହୁବଳୀ ନେତା (ପାଲଘର ଅଞ୍ଚଳ)ଙ୍କ ନାମରେ ପଞ୍ଜିକୃତ ଥିବା ଜାଣିବାକୁ ମିଳିଛି । ଦୁର୍ଘଟଣା ସମୟରେ ଗାଡ଼ିଟିକୁ ତାଙ୍କ ଦଶମ୍ ପାସ୍ ପୁଅ ମିିହିର ଶାହ ଚଳାଉଥିବା ଜାଣିବାକୁ ମିଳିଛି । ଜୁହୁ ବାର୍‌ରେ ନିଜ ସାଙ୍ଗମାନଙ୍କ ସହ ରାତିସାରା ପ୍ରଚୁର ନିଶାସେବନ (୧୮ହଜାର ଟଙ୍କା ଖର୍ଚ୍ଚ ହୋଇଥିବାର ପ୍ରମାଣ ମିଳିଛି) କରି ଭୋର ସମୟରେ ଘରକୁ ଫେରୁଥିବା ବେଳେ ମିହିର ଏହି ଅଘଟଣ ଘଟାଇଛି । ଡ୍ରାଇଭର ଥିବା ସତ୍ତ୍ୱେ ମିହିର ନିଜେ ଗାଡ଼ି ଚଳାଇବାକୁ ଜିଦ୍ କରିବାରୁ ଡ୍ରାଇଭର ତା’କୁ ଗାଡ଼ି ଚାବି ଦେଇଥିବା ଜାଣିବାକୁ ମିଳିଛି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଅଭିଯୁକ୍ତ ମିହିର ଶାହ ଫେରାର ଥିବାରୁ କୋଲାବା ପୁଲିସ, ତା ବାପା ଓ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି । ଏତଦ୍‌ବ୍ୟତୀତ ଅଭିଯୁକ୍ତ ମିହିର ଶାହ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ସେନେଇ ମଧ୍ୟ ଏବେ ଛାନ୍‌ବିନ୍ କରାଯାଉଛି । ମିହିର ଶାହ, ତାଙ୍କ ୨ ଭଉଣୀ, ମା’ ଓ ପରିବାରର ଅନ୍ୟ ସଦସ୍ୟ ସମସ୍ତେ ଫେରାର ହୋଇଯାଇଛନ୍ତି । ପୁରା ପରିବାର ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ସହ ଜଡିତ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି ।

ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏପ୍ରକାର ଘଟଣାକୁ କଦାପି ବରଦାସ୍ତ କରାଯିବ ନାହିଁ । ଅଭିଯୁକ୍ତ ଯେକେହି ବି ହୋଇଥା’ନ୍ତୁ ଆଇନ୍ ଅନୁସାରେ ଦଣ୍ଡିତ ହେବେ । ସେହିପରି ସେ ମୃତକଙ୍କ ପରିବାର ପ୍ରତି ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି । ସେପଟେ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେ ହସ୍ପିଟାଲ ଯାଇ ଆହତ ପ୍ରଦୀପ ନଖୱାଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସରକାରଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଦିତ୍ୟ ଠାକ୍‌ରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking