ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ଥିବା ଏକ ଅନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିଛି ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଚଢ଼ାଉ କରି STF ୪ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣି ପ୍ରଥମେ ଭୁବନେଶ୍ୱରରେ ମହଜୁଦ ରଖାଯାଉଥିଲା । ପରେ ଏଠାରୁ ସଂଗଠିତ ଉପାୟରେ ଦେଶର ବିଭିନ୍ନ ରାଜ୍ୟକୁ ଚୋରାଚାଲାଣ କରାଯାଉଥିଲା । ଏହି ଚକ୍ର ଦୀର୍ଘ ଦିନ ଧରି ସକ୍ରିୟ ଥିବା ସନ୍ଦେହ କରୁଛି STF ।
ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱରର, ଜଣେ ଭୁବନେଶ୍ୱରର ଏବଂ ଅନ୍ୟ ଜଣେ କେରଳର ବୋଲି ସୂଚନା ମିଳିଛି । ସେମାନଙ୍କ ନେଟୱର୍କ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏହି ଗଞ୍ଜେଇ କେଉଁ କେଉଁ ରାଜ୍ୟକୁ ଚାଲାଣ ହେଉଥିଲା, ସେନେଇ STF ତଦନ୍ତ ଜୋରଦାର କରିଛି । ଜବତ ହୋଇଥିବା ଗଞ୍ଜେଇର ପରିମାଣ ଓ ବଜାର ମୂଲ୍ୟ ସମ୍ପର୍କରେ STF ପକ୍ଷରୁ ବିସ୍ତୃତ ସୂଚନା ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି । ଅନ୍ତରାଜ୍ୟ ନିଶା କାରବାର ଉପରେ STFର ଏହି ବଡ଼ ଧରପଗଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଉଛି ।










