ମେକ୍ସିକୋ ସିଟି: ଇକ୍ବେଡର୍କୁ ହରାଇ ମେକ୍ସିକୋ ଚଳିତ ଫିଫା ବିଶ୍ବକପ୍ ରାଉଣ୍ଡ ୧୬ରେ ସ୍ଥାନ ପକ୍କା କରିଥିଲା। ଏହି ବିଜୟ ପରେ ମେକ୍ସିକୋ ସିଟିରେ ବିଜୟ ଉତ୍ସବ ଧୁମ୍ଧାମ୍ରେ ପାଳନ ହୋଇଥିଲା। ହେଲେ ଏହି ବିଜୟ ଉତ୍ସବ ପାଳନରେ ୨ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ସବ ପାଳନ ଲାଗି ମେକ୍ସିକୋ ସିଟିରେ ପ୍ରବଳ ଭିଡ଼ ହୋଇଥିଲା। ଏଥିରେ ଜଣେ ୧୯ ବର୍ଷୀୟା ମହିଳା ଓ ୪୪ ବର୍ଷୀୟ ପୁରୁଷ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଆମେ ବହୁ ଚେଷ୍ଟା କରିବା ସତ୍ତ୍ବେ ଉଭୟଙ୍କୁ ବଞ୍ଚାଇପାରି ନଥିଲୁ ବୋଲି ମେକ୍ସିକୋ ସିଟିର ସ୍ବାସ୍ଥ୍ୟ ସଚିବ କହିଛନ୍ତି। ଏହି ଦୁଇ ଜଣଙ୍କ ବାଦ୍ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଦାବି କରିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନି। ଏହାର ତଦନ୍ତ ଚାଲିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।










