ନୂଆଦିଲ୍ଲୀ : ଅପରେସନ ସିନ୍ଦୂର’ ବର୍ଷକ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ପୁନଃସ୍ଥାପନ ଓ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଦୁଇଦେଶର ୧୧୭ ଜଣ ପ୍ରମୁଖ ବ୍ୟକ୍ତି ମିଳିତ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶେହବାଜ ସରିଫ୍ଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଦୁଇ ଦେଶ ପକ୍ଷରୁ ଉଚ୍ଚାୟୁକ୍ତଙ୍କୁ ପୁନଃସ୍ଥାପିତ କରିବା, ଭିସା ସେବା ପୁନଃ ଆରମ୍ଭ କରିବା ଓ ଆକାଶପଥ ପୁନଃ ଖୋଲିବା ନେଇ ମଧ୍ୟ ଦାବି କରାଯାଇଛି। ସେଣ୍ଟର୍ ଫର୍ ପିସ୍ ଆଣ୍ଡ ପ୍ରୋଗେସ୍ (ସିପିପି) ଦ୍ୱାରା ଜାରି କରାଯାଇଥିବା ଏହି ଚିଠିରେ ଭାରତର ୬୧ ଓ ପାକିସ୍ତାନର ୫୬ ଜଣ ପ୍ରମୁଖ ବ୍ୟକ୍ତିତ୍ବ ଅଛନ୍ତି। ଭାରତୀୟ ଦସ୍ତଖତକାରୀଙ୍କ ମଧ୍ୟରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ବିଚ୍ଛିନ୍ନତାବାଦୀ ନେତା ମୀରୱେଜ ଉମର ଫାରୁକ୍, ପିଡିପି ମୁଖ୍ୟ ମେହବୁବା ମୁଫତି, ଆରଜେଡି ସାଂସଦ ମନୋଜ ଝା ଓ ପୂର୍ବତନ ଟିଏମ୍ସି ମନ୍ତ୍ରୀ ତଥା ଏଜେୟୁପି ନେତା ହୁମାୟୁନ୍ କବିର୍ ଅଛନ୍ତି। ପାକିସ୍ତାନ ପକ୍ଷରୁ ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ସିଦ ମହମ୍ମଦ କସୁରି, ପୂର୍ବତନ କୂଟନୀତିଜ୍ଞ ଅସରଫ ଜାହାଙ୍ଗୀର କାଜି, ନ୍ୟାସନାଲ ଆସେମ୍ବ୍ଲି ସଦସ୍ୟ ଇସ୍ଫାନୟାର ଭଣ୍ଡାରା ଓ ପରମାଣୁ ପଦାର୍ଥବିଜ୍ଞାନୀ ପରଭେଜ ହୁଦ୍ଭୋୟ ପ୍ରମୁଖ ଅଛନ୍ତି।










