ଭୁବନେଶ୍ୱର: ପ୍ରତିଟି ଓଡିଆର ଆତ୍ମୀୟ ଓ ଶାନ୍ତି ପ୍ରିୟ ଖାଦ୍ୟ ହେଉଛି ପଖାଳ ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁଠି ଆନନ୍ଦର ସହ ପାଳନ କରାଯାଇଥିଲା ପଖାଳ ଦିବସ । ତେବେ ଚଳିତ ମାର୍ଚ୍ଚ ମାସରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ପଖାଳ ଦିବସକୁ ନେଇ ଆସିଛି ବଡ ତଥ୍ୟ । କେବଳ ଏତିକି ନୁହେଁ, ପଖାଳ ପ୍ରସ୍ତୁତି ପାଇଁ ବିମାନରେ ଆସିଥିଲେ ରୋଷେୟା । ଆଉ ସେମାନଙ୍କ ରହଣି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ନେତା, ମନ୍ତ୍ରୀ ଓ ଅଫିସର ପଖାଳ ଦିବସରେ ଯୋଗ ଦେଇଥିଲେ ।
ସାଧାରଣ ଓଡିଆଟିଏ ୨ ଟଙ୍କାର ଭାତରେ ପାଣି ମିଶାଇ ଯେଉଁ ପଖାଳ ଖାଉଛୁ, ସେହି ପଖାଳ ଖାଇବାରେ ସରକାରୀ ପାଣ୍ଠିରୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ସରକାରୀ ବାବୁ ଏଇ ପଖାଳ ଦିବସ ପାଇଁ ରାଜ୍ୟ ଓ ରାଜକୋଷରୁ ଉଡାଇଦେଇଛନ୍ତି ପ୍ରାୟ ୨ କୋଟି ୩୨ ଲକ୍ଷ ଟଙ୍କା । ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇ ଥିବା ପଖାଳ ଦିବସରେ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମ ବାବଦକୁ ଓଡିଶା ପର୍ଯ୍ୟଟନ ବିଭାଗକୁ ୧ କୋଟି ୫୪ ଲକ୍ଷ ୩ ହଜାର ୮ଶହ ୪୦ ଟଙ୍କା ଏବଂ କଲର ପ୍ଲସ ନାମକ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିକୁ ୨୨ ଲକ୍ଷ ୮୮ ହଜାର ୨ ଶହ ୯୯ ଟଙ୍କା ଦିଆଯାଇଛି । ଏହା ସହିତ ଗିନିଜ ୱାର୍ଲଡ ରେକର୍ଡ ଫି ବାବଦକୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପଖାଳ ଦିବସର ପାଳନର କେବଳ ସୁପରଭିଜନ ପାଇଁ ୧.୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ପଖାଳ ଖାଇବା ପାଇଁ କଂସା ବାସନ ପାଇଁ ୨.୭ ଲକ୍ଷ ଟଙ୍କା ଏବଂ ମାଟି ବେଲା ଓ ଥାଳି କିଣିବା ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ବ୍ୟତୀତ ପଖାଳ ପ୍ରସ୍ତୁତି ପାଇଁ ରାଜ୍ୟ ବାହାରୁ ଆସିଥିବା ରୋଷେୟାଙ୍କ ବିମାନ ଭଡା ଏବଂ ହୋଟେଲ ରହଣି ବାବଦକୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ।










