ପୁରୀ: ପୁରୀର ରଥଖଳା ଆଜି ହଠାତ୍ ଉତ୍ତେଜନାର କେନ୍ଦ୍ରବିନ୍ଦୁ ହୋଇଯାଇଛି । ବ୍ୟାରିକେଡ୍ ଭାଙ୍ଗି ଅନେକ ଭକ୍ତ ଧସେଇ ରଥଖଳା ଭିତରକୁ ପ୍ରବେଶ କରିଥିବା ଘଟଣାରେ ସ୍ଥିତି ଅସ୍ଥିର ହୋଇପଡ଼ିଛି । ପୁଲିସ ଓ ଭକ୍ତମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ରଥଖଳା ପରିସରରେ ଅନିୟନ୍ତ୍ରିତ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ସମୟରେ ବ୍ୟାରିକେଡ୍ ଉପରେ ପଡ଼ି କିଛି ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।ତେବେ ଏହି ଅଘଟଣ ପରେ ରଥଖଳା ପରିସରରେ ଭକ୍ତମାନଙ୍କ ମଧ୍ୟରେ ଭୟ ଓ ଉତ୍ତେଜନା ବଢ଼ିଯାଇଛି । ଭକ୍ତ ଶ୍ରଦ୍ଧାଳୁମାନେ ପୋଲିସ ପ୍ରଶାସନର ବ୍ୟାପକ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ଭିଡ଼ ନିୟନ୍ତ୍ରଣ ପାଇଁ ଠିକ୍ ବ୍ୟବସ୍ଥା ନଥିବାରୁ ଏପରି ଅଘଟଣ ଘଟିଛି । ଅନେକ ଭକ୍ତ ଅଭିଯୋଗ କରୁଛନ୍ତି ଯେ, ପ୍ରଶାସନୀୟ ଅବହେଳା ଓ ସଠିକ୍ ଭିଡ଼ ପରିଚାଳନା ନଥିବାରୁ ଏହି ଧସ୍ତାଧସ୍ତି ଘଟିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି ଏବଂ ରଥଖଳା ପରିସରରେ ପୁଣିଥରେ ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି ।










