29.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଏନ୍‌ଡିଏର ଜାତିଗତ ଜନଗଣନାକୁ ଶକ୍ତ ଧକ୍କା: ଚନ୍ଦ୍ରବାବୁ ଖେଳିଲେ ‘ଦକ୍ଷତା ଜନଗଣନା’ କାର୍ଡ

ଏନ୍‌ଡିଏର ଜାତିଗତ ଜନଗଣନାକୁ ଶକ୍ତ ଧକ୍କା: ଚନ୍ଦ୍ରବାବୁ ଖେଳିଲେ ‘ଦକ୍ଷତା ଜନଗଣନା’ କାର୍ଡ

ନୂଆଦିଲ୍ଲୀ: ଏନ୍‌ଡିଏର ଜାତିଗତ ଜନଗଣନାକୁ ଶକ୍ତ ଧକ୍କା ଲାଗିଛି । ଏନ୍‌ଡିଏର ପ୍ରମୁଖ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଜାତିଗତ ଜନଗଣନା ବଦଳରେ ଆନ୍ଧ୍ରପ୍ରଦେଶରେ ‘ଦକ୍ଷତା ଭିତ୍ତିକ’ ଜନଗଣନା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଲୋକଙ୍କୁ ସରକାରୀ ଯୋଜନା ତଥା କାର୍ଯ୍ୟକ୍ରମର ଉପଯୁକ୍ତ ଫାଇଦା ଯୋଗାଇଦେବା ପାଇଁ ପିପିପି ମୋଡ୍ ବା ମଡେଲ୍ (ପବ୍ଲିକ୍‌, ପ୍ରାଇଭେଟ୍‌, ପିପୁଲ୍ସ ପାର୍ଟନରସିପ୍‌) ପରିସରକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଅତଏବ ଜାତିଗତ ଜନଗଣନା ବଦଳରେ ଦକ୍ଷତା ଭିତ୍ତିକ ଜନଗଣନା ଏକ ପ୍ରମୁଖ ଉପାଦେୟକାରୀ କାର୍ଯ୍ୟକ୍ରମ ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି କରିବା ମୋଦୀ ସରକାରଙ୍କ ମୁଖ୍ୟ ଫୋକସ୍‌ରେ ରହିଛି । ତେଣୁ କେନ୍ଦ୍ର ବଜେଟ୍‌ରେ ଏନେଇ କିଛି ଘୋଷଣା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଚନ୍ଦ୍ରବାବୁ ଆଗୁଆ ସୂଚନା ଦେଇଛନ୍ତି ।
ଚନ୍ଦ୍ରବାବୁଙ୍କ କହିବାନୁସାରେ କେବଳ ଆନ୍ଧ୍ର କାହିଁକି, ସମଗ୍ର ଦେଶରେ ଏହି ଦକ୍ଷତା ଭିତ୍ତିକ ଜନଗଣନା କରାଯିବାର ଆବଶ୍ୟକତା ରହିଛି । ସେ ନିଜେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେବା ଉପରେ ମଧ୍ୟ ଚିନ୍ତା କରୁଛନ୍ତି । ଏପ୍ରକାର ଜନଗଣନା ଦ୍ୱାରା ଦେଶରେ ଜନସଂଖ୍ୟା ଓ ବିକଶିତ ମାନବ ପୁଞ୍ଜି ମଧ୍ୟରେ କେତେ ମାତ୍ରାରେ ଦକ୍ଷ ଲୋକ ଅଛନ୍ତି, ସେସମ୍ପର୍କରେ ବାସ୍ତବିକ ତଥ୍ୟ ସାମ୍ନାକୁ ଆସିବ । ଲୋକମାନେ ଏଥିରୁ ବେଶ୍ ଉପକୃତ ହେବେ ବୋଲି ସେ ଦୃଢ଼ ଆଶାବାଦୀ ରହିଛନ୍ତି ।
ଏହି ଅବସରରେ ଚନ୍ଦ୍ରବାବୁ ନାଇଡୁ ପୂର୍ବ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବାକୁ ଭୁଲିନାହାନ୍ତି । ଚନ୍ଦ୍ରବାବୁଙ୍କ କହିବାନୁସାରେ ପୂର୍ବ ରାଜ୍ୟ ସରକାରଙ୍କ ଯୋଗୁ (ଜଗନମୋହନ ରେଡ୍ଡୀଙ୍କ ସରକାର) ଆନ୍ଧ୍ରପ୍ରଦେଶର ବିକାଶ ବନ୍ଦ ହୋଇଯାଇଥିଲା । ଆନ୍ଧ୍ରପ୍ରଦେଶର ପୂର୍ବ ଜଗନ୍ ମୋହନ ରେଡ୍ଡୀ ସରକାର ଗୁରୁତର ଆର୍ôଥକ ସଙ୍କଟର ବୋଝ ରାଜ୍ୟ ଉପରେ ଛାଡିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ରାଜ୍ୟର ବିକାଶରେ କୌଣସି ବୁଝାମଣା କରିବାକୁ ଚାହୁଁନାହାନ୍ତି । ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ ତାଙ୍କର ଏବଂ ତାଙ୍କ ସରକାରଙ୍କ ପ୍ରଥମ ପ୍ରାଥମିକତା । ଏହି କାରଣରୁ ପୋଲାଭରମ୍ ଜଳସେଚନ ପ୍ରକଳ୍ପରେ ଦେଖାଦେଇଥିବା ସମସ୍ୟା ଏବଂ ରାଜ୍ୟର ନୂତନ ରାଜଧାନୀ ଭାବରେ ଅମରାବତୀ ନିର୍ମାଣ ତାଙ୍କ ପ୍ରାଥମିକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ରାଜ୍ୟର ବିକାଶ ଉପରେ ପାଞ୍ଚଟି ଶ୍ୱେତପତ୍ର ଆଣି ସେ ଏସବୁକୁ କାର୍ଯ୍ୟକାରୀ କରାଇବେ । ଚନ୍ଦ୍ରବାବୁ କହିଛନ୍ତି, ସେ କଣ କରିବେ ତାହା ଲୋକଙ୍କୁ ସ୍ଥିର କରିବାକୁ ଦେବେ । ଆନ୍ଧ୍ରକୁ ବିକାଶର ପଥରେ ଫେରାଇ ଆଣିବା ଏବଂ ଉଭୟ ଘରୋଇ ତଥା ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସେ ତାଙ୍କର ପୂର୍ବ ଅଭିଜ୍ଞତାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏନେଇ ସେ ଅନେକ ଶିଳ୍ପପତିଙ୍କୁ ମଧ୍ୟ ଭେଟିଛନ୍ତି ।
ପ୍ରକାଶ, ୨୦୨୪ ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନା ପ୍ରସଙ୍ଗ ନେଇ ଜୋରଦାର୍ ପ୍ରଜାର ହୋଇଥିଲା । ବିରୋଧୀ ଦଳମାନେ କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ନିକଟରେ ଜାତିଗତ ଜନଗଣନା ଦାବି କରିଆସୁଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଚିନ୍ତା କରିପାରନ୍ତି ବୋଲି ବିଭିନ୍ନ ରିପୋର୍ଟରେ ଦର୍ଶାଯାଉଛି । ତେବେ ଏସବୁ ମଧ୍ୟରେ ମୋଦୀ ସରକାରଙ୍କ ଅଂଶ ବିଶେଷ ଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏପ୍ରକାର ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି । ଫଳରେ ଏନ୍‌ଡିଏର ଜାତିଗତ ଜନଗଣନାକୁ ବଡ଼ ଝଟ୍‌କା ଲାଗିଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking