ବ୍ୟୁରୋ: ୧୮୯୪ ମସିହାରେ ମିଶିଗନ୍ ଉପକୂଳଠାରୁ ଅଳ୍ପ ଦୂରରେ ଦୁର୍ଘଟଣାର ଶିକାର ହୋଇଥିବା ମାଲବାହୀ ଜାହାଜ ‘ଆୟରନଟନ’ର ଅବଶେଷର ସନ୍ଧାନ ମିଳିଛି । ଏହି ଦୁର୍ଘଟଣାରେ ଚାଳକ ଦଳର କେବଳ ଦୁଇଜଣ ସଦସ୍ୟ ହିଁ ଜୀବିତ ରହିଥିଲେ । ଯେଉଁ ଜାଗାରେ ଏହି ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ସେହି ସ୍ଥାନରେ ଦୀର୍ଘ ସମୟରୁ ଏହାକୁ ଖୋଜା ଚାଲିଥିଲା, କିନ୍ତୁ କେବଳ ନିରାଶ ହିଁ ହେବାକୁ ପଡ଼ୁଥିଲା । ଏବେ ପାଖାପାଖି ୧୨୯ ବର୍ଷ ପରେ ଜାହାଜର ଅବଶେଷକୁ ଖୋଜି ବାହାର କରାଯାଇଛି । ‘ଆୟରନଟନ’ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, ଯାହା ଉପରେ ବର୍ତ୍ତମାନ ବିରାମ ଲାଗିଛି ।
ସୂଚନା ଅନୁଯାୟୀ, ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍ଙ୍କ ଏକ ଟିମ୍ ୨୦୧୯ ମସିହାରେ ଜାହାଜର ଧ୍ୱଂସାବଶେଷର ସନ୍ଧାନ କରି ନେଇଥିଲା, ଯାହା ପରେ ଧ୍ୱଂସାବଶେଷକୁ ସ୍କାନ୍ ଏବଂ ଏହାର ରେକର୍ଡ କରିବା ପାଇଁ ରିମୋଟ କ୍ୟାମେରା ବ୍ୟବହାର କରାଯାଇଥିଲା । ଜାହାଜର ଧ୍ୱଂସାବଶେଷ ଚିହ୍ନଟ କରିଥିବା ସଂସ୍ଥା ଆସନ୍ତା କିଛି ମାସ ମଧ୍ୟରେ ଦୁର୍ଘଟଣା ଘଟିଥିବା ଜାଗାକୁ ନେଇ ଖୁଲାସା କରିବା ଉପରେ ବିଚାର କରୁଛି । ଅଫିସିଆଲି ଭାବେ ଦୁର୍ଘଟଣା ସ୍ଥାନକୁ ଗୁପ୍ତ ରଖାଯାଇଥିଲା, ଯେପରି ଏହାକୁ ଡାଇଭରମାନଙ୍କଠାରୁ ଦୂରେଇ ରଖାଯାଇପାରିବ ଏବଂ ଏହାର ଡକ୍ୟୁମେଣ୍ଟ୍ ଠିକ୍ ଭାବରେ କରାଯାଇପାରିବ । ବିଶେଷଜ୍ଞମାନଙ୍କ ଦ୍ୱାରା ଜାରି ଏକ ଭିଡିଓରେ ମାଲବାହୀ ଜାହାଜ ‘ଆୟରନଟନ’କୁ ହ୍ରଦର ତଳ ଭାଗରେ ସ୍ପଷ୍ଟ ଭାବରେ ଦେଖାଯାଇ ପାରୁଛି । ତେବେ ଜାହାଜରେ କୌଣସି ବି ମାନବ ଅବଶେଷ ଦେଖିବାକୁ ମିଳି ନାହିଁ ।