25.8 C
Bhubaneswar
Saturday, July 27, 2024
Homeତ୍ରିପୁରା ବିଧାନସଭା ନିର୍ବାଚନ୩ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ; ତ୍ରିପୁରା, ନାଗାଲାଣ୍ଡରେ ପୁଣି ବିଜେପି, ମେଘାଳୟରେ ଏନ୍‌ପିପି...

୩ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ; ତ୍ରିପୁରା, ନାଗାଲାଣ୍ଡରେ ପୁଣି ବିଜେପି, ମେଘାଳୟରେ ଏନ୍‌ପିପି ଆଗୁଆ, ତଥାପି ମେଣ୍ଟ ସମ୍ଭାବନା ଉଜ୍ଜଳ

ନୂଆଦିଲ୍ଲୀ: ଉତ୍ତର-ପୂର୍ବର ତିନିଟି ରାଜ୍ୟ ଯଥା ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଗତ ଫେବୃଆରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇଛି । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ପୁଣି କ୍ଷମତାକୁ ଫେରିଥିବାବେଳେ ମେଘାଳୟରେ ସ୍ଥିତି ଅସ୍ପଷ୍ଟ ରହିଛି । ଏଠାରେ କ୍ଷମତାସୀନ ଏନ୍‌ପିପି (ନ୍ୟାସନାଲ ପିପୁଲ୍‌ସ ପାର୍ଟି) ସର୍ବାଧିକ ଆସନ ଅକ୍ତିଆର କରିଥିଲେ ସୁଦ୍ଧା ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ । ଏହାସତ୍ତ୍ୱେ ସରକାର ଗଠନ ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଏନ୍‌ପିପି ସୁପ୍ରିମୋ କନ୍‌ରାଡ୍ ସାଙ୍ଗ୍‌ମା ବିଜେପିର ସହାୟତା ଲୋଡିଛନ୍ତି ।

ସାଙ୍ଗ୍‌ମା ଇତିମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି । ସରକାର ଗଠନ ପାଇଁ ୩୧ଟି ଆସନର ଆବଶ୍ୟକତା ପଡୁଥିବାବେଳେ ଏନ୍‌ପିପି ୨୭ଟି ଆସନରେ ବିଜୟୀ ହୋଇଛି । ବିଜେପିକୁ ୨ଟି ଆସନ ମିଳିଥିବାବେଳେ ଅନ୍ୟ ଦଳ କିମ୍ବା ସ୍ୱାଧୀନ ବିଧାୟକଙ୍କ ସହ ମେଣ୍ଟର ସମ୍ଭାବନା ଉଜ୍ଜ୍ୱଳ ହୋଇଉଠିଛି । ଏହି ତିନିଟି ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ପ୍ରତ୍ୟେକ ୬୦ । ଏଥିପାଇଁ ଫେବୃଆରୀ ୧୬ରେ ତ୍ରିପୁରାରେ ଏବଂ ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ଭୋଟଗ୍ରହଣ କରାଯାଇଥିଲା । ମେଘାଳୟ ଓ ନାଗାଲାଣ୍ଡରେ ୫୯ଟି ଲେଖାଏଁ ଆସନ ପାଇଁ ମତଦାନ କରାଯାଇଥିଲା । ମେଘାଳୟର ସୋହିୟଙ୍ଗ୍ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୟୁଡିପି (ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି) ପ୍ରାର୍ଥୀ ଏଚ.ଡି.ଆର.ଲିଙ୍ଗ୍‌ଡୋଙ୍କ ପରଲୋକ ଘଟିଥିବାରୁ ସେଠାରେ ଭୋଟଦାନକୁ ସ୍ଥଗିତ ରଖାଯାଇଛି । ସେହିପରି ନାଗାଲାଣ୍ଡର ଆକୁଲୁତୋ ଆସନରେ ଅନ୍ୟ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିବାରୁ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଗୁରୁବାର ପ୍ରକାଶିତ ଫଳାଫଳ ଅନୁଯାୟୀ ତ୍ରିପୁରାରେ ବିଜେପି ଓ ଏହାର ସହଯୋଗୀ ଆଇପିଏଫ୍‌ଟି (ଇଣ୍ଡିଜେନସ୍ ପିପୁଲ୍‌ସ ଫ୍ରଣ୍ଟ ଅଫ୍ ତ୍ରିପୁରା) ୩୩ଟି ଆସନ ଦଖଲ କରିଥିବାବେଳେ କଂଗ୍ରେସ-ବାମଦଳ ମେଣ୍ଟକୁ ୧୪ ଏବଂ ଆଞ୍ଚଳିକ ଦଳ ତିପ୍ରା ମୋର୍ଥାକୁ ୧୩ଟି ଆସନ ମିଳିଛି । ଏଠାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଖାତା ଖୋଲିପାରିନାହିଁ । ୨୦୧୮ ତ୍ରିପୁରା ନିର୍ବାଚନରେ ବିଜେପି ସର୍ବାଧିକ ୩୬ଟି ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଆଇପିଏଫ୍‌ଟିକୁ ୮ ଏବଂ ମୁଖ୍ୟ ବିରୋଧୀ ସିପିଏମ୍‌କୁ ୧୬ଟି ଆସନ ମିଳିଥିଲା । ନାଗାଲାଣ୍ଡରେ ବିଜେପି ଓ ଏହାର ମେଣ୍ଟ ସହଯୋଗୀ ଏନ୍‌ଡିପିପି (ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି) ସର୍ବାଧିକ ୩୭ଟି ଆସନରେ ବିଜୟୀ ହୋଇଥିବାବେଳେ ଏନ୍‌ସିପିକୁ ୭, ଏନ୍‌ପିପିକୁ ୫, ଏନ୍‌ପିଏଫ୍ (ନାଗା ପିପୁଲ୍‌ସ ଫ୍ରଣ୍ଟ୍‌)କୁ ୨ ଏବଂ ଅନ୍ୟ ଦଳ/ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ଆସନ ମିଳିଛି। ଏନ୍‌ଡିପିପି ମୁଖ୍ୟ ନିଫ୍ୟୁ ରିଓ ରେକର୍ଡ ୫ମଥର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ଏକପ୍ରକାର ନିଶ୍ଚିତ ହୋଇପଡିଛି ।

୨୦୧୮ ନିର୍ବାଚନରେ ଏନ୍‌ପିଏଫ୍ ସର୍ବାଧିକ ୨୬ଟି ଆସନରେ ବିଜୟୀ ହୋଇଥିଲେ ସୁଦ୍ଧା ଏନ୍‌ଡିପିପି (୧୮) ଓ ବିଜେପି (୧୨) ମେଣ୍ଟ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲେ । ଅପରପକ୍ଷରେ ମେଘାଳୟରେ କୌଣସି ଦଳକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିପାରିନାହିଁ । କ୍ଷମତାସୀନ ଏନ୍‌ପିପି ସର୍ବାଧିକ ୨୬ଟି ଆସନ ଦଖଲ କରିଥିବାବେଳେ ୟୁଡିପି (ୟୁନାଇଟେଡ ଡେମୋକ୍ରାଟିକ୍ ପାର୍ଟି)କୁ ୧୧, କଂଗ୍ରେସକୁ ୫, ଟିଏମ୍‌ସିକୁ ୫, ବିଜେପିକୁ ୨ ଏବଂ ଅନ୍ୟ ଦଳ/ସ୍ୱାଧିନ ପ୍ରାର୍ଥୀଙ୍କୁ ୧୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ୨୦୧୮ ନିର୍ବାଚନରେ ମେଘାଳୟରେ ଏନ୍‌ପିପି ଓ ବିଜେପି ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ବୁଝାମଣା ଅଭାବରୁ ଦୁଇ ଦଳ ପରସ୍ପରଠାରୁ ଦୂରେଇ ଯାଇଥିଲେ । ଫଳରେ ଚଳିତ ନିର୍ବାଚନରେ ଏନ୍‌ପିପି ଓ ବିଜେପି ଏକାକୀ ନିର୍ବାଚନ ଲଢିଥିଲେ । ୨୦୧୮ରେ କଂଗ୍ରେସ ମେଘାଳୟରେ ସର୍ବାଧିକ ୨୧ଟି ଆସନ ହାସଲ କରିଥିଲେ ସୁଦ୍ଧା ୨୦ଟି ଆସନ ପାଇଥିବା ଏନ୍‌ପିପି ବିଜେପି ସମେତ ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଢିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking