କାବୁଲ: ଚଳିତବର୍ଷ ମାର୍ଚ୍ଚ ୨୧ ପରେ ଆଫ୍ଗାନିସ୍ତାନରେ ସବୁ ଝିଅଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ ବୋଲି ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ଅଗଷ୍ଟରେ ଦେଶର ଶାସନଭାର ସମ୍ଭାଳିବା ପରଠାରୁ ତାଲିବାନ ନେତୃବର୍ଗ ସବୁ ବାଳିକା ସ୍କୁଲକୁ ବନ୍ଦ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ କେବଳ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିଥିଲା । ତେବେ ଆନ୍ତର୍ଜାତିକ ସମୁଦାୟର ଚାପ ପଡିବାରୁ ତାଲିବାନ ନେତୃବର୍ଗ ଏହି କଟକଣା ଉଠାଇଦେବାକୁ ମନସ୍ଥ କରିଛନ୍ତି । ସୂଚନାଯୋଗ୍ୟ ହିଜ୍ରି ସାମ୍ସି କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ୨୧ରୁ ଆଫ୍ଗାନ ନବବର୍ଷ ଆରମ୍ଭ ହୋଇଥାଏ । ଏହିଦିନକୁ ସ୍ମରଣୀୟ କରିବାକୁ ଦେଶର ସବୁ ଝିଅଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ ବୋଲି ତାଲିବାନ ସଂସ୍କୃତି ଓ ସୂଚନା ମନ୍ତ୍ରୀ ଜବିଉଲ୍ଲା ମୁଜାହିଦ୍ କହିଛନ୍ତି । ଅପରପକ୍ଷରେ ପୁଅଝିଅ ଏକାଠି ପାଠ ପଢୁଥିବା ସ୍କୁଲରେ ଝିଅଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସରୁମ୍ ପ୍ରତିଷ୍ଠା ଏକ ସମସ୍ୟା ହୋଇଥିବାରୁ ଏହାର ସମାଧାନ ପାଇଁ ସରକାର ଉଦ୍ୟମ ଚଳାଇଥିବା ଜବିଉଲ୍ଲା କହିଛନ୍ତି ।