ନୂଆଦିଲ୍ଲୀ : ନବବିବାହିତାଙ୍କୁ ଏସିଡ୍ ପିଆଇ ମାରିବାକୁ ଉଦ୍ୟମ କଲା ସ୍ୱାମୀ। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ଡବରାରୁ। ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗର ଚେୟାରପର୍ସନ୍ ସ୍ୱାତୀ ମାଲୀବାଲ ପୋଲିସର ଅବହେଳା ଥିବା ଅଭିଯୋଗ କରିଛନ୍ତି। ଏଥିସହ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍ଙ୍କୁ ମାମଲାକୁ ଗୁରୁତ୍ୱର ସହ ନେବାକୁ ଅନୁରୋଧ କରିଛନ୍ତି। ସ୍ୱାତୀ କହିଛନ୍ତି, ଘଟଣାକୁ ୨୮ ଦିନ ବିତିଥିଲେ ମଧ୍ୟ ପୋଲିସ ମାମଲାକୁ ହାଲ୍କାରେ ନେଇଛି ଓ ଏବେ ଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ।
ସୂଚନା ଅନୁଯାୟୀ, ଡବରାର ରାମଗଡ଼ରେ ରହୁଥିବା ନବ ବିବାହିତାଙ୍କୁ ତାଙ୍କ ସ୍ୱାମୀଙ୍କର ଭାଉଜ ସହ ଅନୈତିକ ସମ୍ପର୍କ ଥିବା କଥା ଜଣାପଡ଼ିଯାଇଥିଲା। ଏନେଇ ସ୍ୱାମୀଙ୍କୁ ପଚାରିବାରୁ ସେ ଭାଉଜ ସହ ମିଶି ତାଙ୍କୁ ଏସିଡ୍ ପିଆଇ ଦେଇଥିଲେ। ମହିଳାଙ୍କୁ ପ୍ରଥମେ ଗ୍ଵାଲିୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ରେଫର କରାଯାଇଛି। ଏବେ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଘଟଣା ପରେ ପୀଡ଼ିତାଙ୍କ ବାପଘର ଲୋକେ ଝିଅର ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ମାରପିଟ୍ ଅଭିଯୋଗ କରିଛନ୍ତି। ମାତ୍ର ପୋଲିସ ସେମାନଙ୍କ ଅଭିଯୋଗକୁ ଗୁରୁତର ସହ ନ ନେଇ ଏବେ ଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ମହିଳା କମିଶନ। ଖୁବ୍ଶୀଘ୍ର ଦୋଷୀଙ୍କୁ ଗିରଫ କରିବାକୁ ମହିଳା ଆୟୋଗର ଚେୟାରପର୍ସନ୍ ସ୍ୱାତୀ ମାଲୀବାଲ ଦାବି କରିଛନ୍ତି।