ଝାରସୁଗୁଡା : ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଦର୍ଲିପାଲି ଗ୍ରାମବାସୀ ଆଜି ବନ୍ଧବାହାଲସ୍ଥିତ ଲଖନପୁର ଜିଏମ ଅଫିସ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଅନଶନକାରୀମାନେ କହିଛନ୍ତି, ଭିକ ନୁହେଁ, ହକ ଦରକାର । ନିଯୁକ୍ତି ଓ କ୍ଷତିପୂରଣ ଲୋକଙ୍କ ଅଧିକାର । ଯଦି ଏମସିଏଲ କୋଇଲା ଖନନ ପାଇଁ ଜମି ଅଧିଗ୍ରହଣ କରୁଛି, ଘରଦ୍ୱାରକୁ ମାଟିରେ ମିଶାଉଛି ତେବେ ଲୋକଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ କରୁ । ନଚେତ ଲୋକଙ୍କୁ ସେମାନଙ୍କର ଘରଦ୍ୱାର ଜମିବାଡି ଫେରସ୍ତ କରୁବୋଲି ଅନଶନକାରୀମାନେ କହିଛନ୍ତି ।
ଯେପର୍ଯ୍ୟନ୍ତ ଏମସିଏଲ ଆମକୁ ନିଯୁକ୍ତି ଏବଂ କ୍ଷତିପୂରଣ ପ୍ରଦାନ ନକରିବ ସେପର୍ଯ୍ୟନ୍ତ ଆମେ ଅନଶନ ଜାରି ରଖିବୁବୋଲି ଅନଶନକାରୀ ଅମୋତ ଓରାମ, ଲବ ବୁଡା, ମମତା ସିଂ, କୈକେଇ ଓରାମ କହିଛନ୍ତି । ସେହିପରି ୧୯୯୫ ମସିହାରେ ଏମସିଏଲ ପକ୍ଷରୁ ତିଆରି ହୋଇଥିବା ନିଯୁକ୍ତି ଓ କ୍ଷତିପୂରଣର କଟ୍ଅଫ୍ ଡେଟ୍କୁ ପରିବର୍ତ୍ତନକରି ୨୦୧୮ ମସିହାରେ ଦର୍ଲ୍ଲାପାଲି ଗ୍ରାମରେ ଏମସିଏଲ କରିଥିବା ସର୍ଭେ ଅନୁସାରେ ନିଯୁକ୍ତି, କ୍ଷତିପୂରଣ ଏବଂ ଥଇଥାନ କରାଯାଉ ବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତିର ସଭାପତି ବିରଞ୍ଚି ସାହୁ, ଉପଦେଷ୍ଟା ଗୋପୀନାଥ ମାଝୀ ପ୍ରମୁଖ କହିଛନ୍ତି । ଏହି ଅନଶନକୁ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତି, ବିଭିନ୍ନ ରାଜନୈତିକ ଦଳ ଓ ଅନେକ ଖଣି ବିସ୍ଥାପିତ ତଥା କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ସମର୍ଥନ ଜଣାଇଛନ୍ତି । ଏମ୍ସିଏଲ୍ର ଖଣି ସମ୍ପ୍ରସାରଣ ଯୋଗୁଁ ଦର୍ଲ୍ଲିପାଲି ଗ୍ରାମକୁ ବିସ୍ଥାପିତ କରାଯାଉଛି । ହେଲେ ଗ୍ରାମବାସୀଙ୍କୁ ଉପଯୁକ୍ତ ନିଯୁକ୍ତି ଥଇଥାନ, କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ । ଫଳରେ କୋଇଲା ଖନନ ପାଇଁ ନିଜର ଘରଦ୍ୱାର, ଜମିବାଡ଼ି, ଭିଟାମାଟି ହରାଇଥିବା ଲୋକେ ଉପେକ୍ଷିତ ଓ ଅବହେଳିତ ହେଉଛନ୍ତି । ତେଣୁ ଦର୍ଲ୍ଲିପାଲି ଗ୍ରାମବାସୀଙ୍କୁ ଏମ୍ସିଏଲ୍ ସମ୍ପୂର୍ଣ୍ଣ ଭାବରେ ବିସ୍ଥାପିତ କରିବା ପୂର୍ବରୁ ଯୋଗ୍ୟତା ଏବଂ ନିୟମ ଅନୁଯାୟୀ ଏମସିଏଲ କିମ୍ବା ଏମସିଏଲ ଅଧିନସ୍ତ କମ୍ପାନୀରେ ନିଯୁକ୍ତି, ଥଇଥାନ ପାଇଁ ଜମି, ଘର, ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରୁବୋଲି ଗ୍ରାମବାସୀ ଦାବି କରିଛନ୍ତି ।
ବେଲପାହାଡ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଗତ ୧୯୯୫ ମସିହାରୁ ଦର୍ଲିପାଲି ଗ୍ରାମକୁ ବିସ୍ଥାପିତ କରିବା ପାଇଁ ନୋଟିସ ଜାରି କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମର ଅନେକ ପରିବାରଙ୍କୁ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଏମସିଏଲ ପକ୍ଷରୁ ପ୍ରଦାନ କରାଯାଇନାହିଁ । ହେଲେ ପ୍ରଥମେ ଗ୍ରାମବାସୀଙ୍କ ଏହି ସମସ୍ୟାଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ଖଣି ସମ୍ପ୍ରସାରଣ ପାଇଁ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ତଡ଼ିଦେବା ପାଇଁ ଏମ୍ସିଏଲ୍ ଯୋଜନା ଚଲାଇଛି । ଏମ୍ସିଏସ୍ କୋଇଲା ଉତ୍ପଦନ ବୃଦ୍ଧି ପାଇଁ ଗ୍ରାମ ନିକଟରେ ଥିବା ଖଣିରେ ପ୍ରତିଦିନ ଭାରି ମାତ୍ରାରେ ବ୍ଲାଷ୍ଟିଙ୍ଗ କରୁଛି । ଫଳରେ ଗ୍ରାମବାସୀ ନିଜ ଜୀବନ ସହିତ ସଂଘର୍ଷ କରି ସର୍ବଦା ବିପଦରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ, ନିଯୁକ୍ତି ଓ ଥଇଥାନ ପ୍ରଦାନକରି ବିସ୍ଥାପନ କରାଯିବାପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।