କଟକ :ବଲାଙ୍ଗୀରରେ ଶବ ଉପରେ ଶବ ରଖି ଅମାନବୀୟଭାବେ ଶବଦାହ କରିବା ଘଟଣାରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସେହିପରି ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ବ୍ୟାପକ ଅବ୍ୟବସ୍ଥା ଓ ରୋଗୀଙ୍କୁ ଚିକିତ୍ସା ଅବହେଳା କରାଯାଉଥିବା ଆବେଦନକାରୀ ବରିଷ୍ଠ ସାମ୍ବାଦିକ କାଳୀପଦ ମିଶ୍ରଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି । ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାପଡ଼ିଛି ।
ବଲାଙ୍ଗୀର ଜିଲ୍ଲାର ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଶ୍ମଶାନରେ ଶବ ଉପରେ ଶବ ରଖି ଦାହ କରାଯାଇଥିଲା । ଘଟଣା ଲୋକଲୋଚନକୁ ଆସିବା ପରେ ସାଧାରଣରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଏପରିସ୍ଥିତିରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନାରେ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠ।।ନ ଗ୍ରହଣ କରିବାକୁ ଆବେଦନ କରାଯାଇଛି । କୋଭିଡ୍ ହସ୍ପିଟାଲ୍କୁ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସେଠାରେ କିନ୍ତୁ ରୋଗୀଙ୍କୁ ଅବହେଳା କରାଯାଉଛି । କୋଭିଡ୍ ହସ୍ପିଟାଲ୍ରେ ରୋଗୀଙ୍କୁ ବେଡ୍ ମିଳୁନଥିବାରୁ ସେମାନେ ତଳେ ଗଡୁଛନ୍ତି । ଏପରିକି ସେମାନଙ୍କୁ ପାଇଖାନା ପାଖରେ ମଧ୍ୟ ଶୋଇବାକୁ ପଡୁଛି । ରୋଗୀଙ୍କୁ ଖାଇବା ପିଇବା ମଧ୍ୟ ଠିକ୍ ଭାବେ ଯୋଗାଇ ଦିଆଯାଉନାହିିଁ ବୋଲି ଅଭିଯୋଗ କରାଯାଇଛି ।
ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ୍ରେ ଏପରି ଭାବେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ଏପରିସ୍ଥଳେ ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ୍ରେ ସିସି ଟିଭି ଲଗାଇବାକୁ ଆବେଦନ କରାଯାଇଛି । ସିସି ଟିଭି ଲଗାଗଲେ ସେଠାରେ ରୋଗୀଙ୍କୁ କିପରି ଚିକିତ୍ସା କରାଯାଉଛି ତାର ସମସ୍ତ ତଥ୍ୟ ଲୋକଲୋଚନକୁ ଆସିପାରିବ । ସମସ୍ତ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକ ନିମନ୍ତେ ଜାରି ନିୟମାବଳୀକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ମାମଲାରେ ଆବେଦନ କରାଯାଇଛି । ଆବେଦନକାରୀ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲାପାଳ ପ୍ରମୁଖଙ୍କୁ ଏଥିରେ ପକ୍ଷଭୁକ୍ତ କରିଛନ୍ତି ।