ଗଞ୍ଜାମ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଚାଲିଥିବା ଆର୍ବିଏସ୍କେ ଯୋଜନାରେ ଗଞ୍ଜାମ ଜିଲ୍ଲାର ୧୦ ଶିଶୁ ମାଗଣାରେ ହୃଦ୍ରୋଗ ଅସ୍ତ୍ରୋପଚାର ପାଇଁ ଗତ ୧୩ରେ ଅହମ୍ମଦାବାଦ୍ ଯାଇଥିଲେ । ଶନିବାର ପୁଣି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମରେ ଜିଲ୍ଲାର ଆଉ ୧୨ ଶିଶୁ ମାଗଣାରେ ଅସ୍ତ୍ରୋପଚାର ପାଇଁ ଟ୍ରେନ୍ ଯୋଗେ ଅଦମ୍ମଦାବାଦ ଯାତ୍ରା କରିଛନ୍ତି । ସନ୍ଧ୍ୟାରେ ଆଇଇସି ହଲ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର କହିଛନ୍ତି । ଚିିକିତ୍ସା ପାଇଁ ଯାଉଥିବା ଶିଶୁଙ୍କ ମଧ୍ୟରେ ବ୍ରହ୍ମପୁର ସହରର ୨ ଶିଶୁ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକର ୧୦ ଶିଶୁ ଅଛନ୍ତି । ଏମାନଙ୍କୁ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା ଯୋଜନାରେ ଚିହ୍ନଟ କରାଯାଇଛି । ଜିଲ୍ଲା ଚିକିତ୍ସା ବିଭାଗର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଯୋଜନାରେ ସାମିଲ୍ କରିଛନ୍ତି । ଏମାନଙ୍କ ମାଗଣା ଚିକିତ୍ସା ସହ ଗସ୍ତ ଖର୍ଚ୍ଚ, ରହଣି,ଖାଇବା ଖର୍ଚ୍ଚ ସରକାର ବହନ କରୁଛନ୍ତି ।
ଗତ ୧୩ ତାରିଖ ଚିକିତ୍ସା ପାଇଁ ଯାଇଥିବା ଶିଶୁଙ୍କ ମଧ୍ୟରୁ ୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୪ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଡାକ୍ତର ମିଶ୍ର କହିଛନ୍ତି । ଆର୍ବିଏସ୍କେ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଶିଶୁମାନେ ଯାଉଛନ୍ତି । ଏହି ସୁବିଧା ପାଇଥିବା ଶିଶୁମାନେ ହେଲେ ଗାଲେରୀର ଆଦିତ୍ୟ ପ୍ରଧାନ(୬), ପାଟପୁରର ଲକ୍ଷ୍ମୀ ଡାକୁଆ(୧୧), ଓସ୍ତପଡାର ପ୍ରୀତି ପ୍ରଧାନ(୩), ପାଲୁରୁଗଡର ସୁମିତ ମହାରଣା(୬), ବ୍ରହ୍ମପୁରର ପ୍ରଣୟ ପାଣିଗ୍ରାହୀ(୨), କାଞ୍ଜିଆମାର ଶ୍ରୁତିରାଣୀ ବେହେରା(୧୨), ବ୍ରହ୍ମପୁରର ଜି.ନନ୍ଦକିଶୋର(୩ମାସ), ସିଧଖଣ୍ଡିର ଝାନ୍ସିରାଣୀ ବିଶୋୟୀ(୨୨ମାସ), ଗୋଛାବାଡିର ଉତ୍ତମ ନାୟକ(୨)ଓସ୍ତପଡାର ସାଇଲି ପ୍ରଧାନ(୨୭ମାସ), ସିଦ୍ଧେଶ୍ୱରର ପ୍ରିୟାଂଶୁ ସାହୁ(୪), ଚିକିଟିର ଶୁଭଶ୍ରୀ ବେହେରା (୧୦) । ଏହି ଶିଶୁଙ୍କ ସହ ଜିଲ୍ଲା ଚିକିତ୍ସା ବିଭାଗର ଡାକ୍ତର ଗୋସ୍ତବିହାରୀ ପାତ୍ର ଏବଂ ଡାକ୍ତର ସତ୍ୟନାରାୟଣ ପଲାଇ ଅହମ୍ମଦାବାଦ ଯାଉଛନ୍ତି । ସମ୍ମିଳନୀରେ ଏଡିପିଏଚ୍ଓ ଡାକ୍ତର ଭି.ସରୋଜିନୀ ଦେବୀ ଉପସ୍ଥିତ ଥିଲେ ।