33.1 C
Bhubaneswar
Monday, May 6, 2024
Homeଓଡିଶାଦିବ୍ୟାଙ୍ଗ ଭତ୍ତା ପାଇଁ ଛେଳି ବିକିଲେ ହରି

ଦିବ୍ୟାଙ୍ଗ ଭତ୍ତା ପାଇଁ ଛେଳି ବିକିଲେ ହରି

ମାଲକାନଗିର : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ନାକାମାମୁଡି ପଂଚାୟତ ଅନ୍ତର୍ଗତ ଘିସିଙ୍ଗିବେଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ଭତ୍ତା ଆବେଦନ ନିମନ୍ତେ ନିଜର ଛେଳି ବିକ୍ରି କରିଥିବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସଂପୃକ୍ତ ଗ୍ରାମର ହରି ଗୋଲପେଦା(୫୩) ପରିବାର କହିଲେ ସ୍ତ୍ରୀ, ପୁଅ-ଝିଅ ଓ ବୋହୁ । ହରିଙ୍କ କହିବା ଅନୁଯାୟୀ ବାମ ଆଖି ପିଲାଟିଦିନରୁ ନଷ୍ଟ ହୋଇଯାଇଛି । ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ପରିବାର ପ୍ରତିପୋଷଣ ନିମନ୍ତେ ନିଜର କିଛି ଜମି ସହ ଅନ୍ୟଙ୍କ ଜମିରେ ଦିନମଜୁରିଆ ଭାବେ କାର୍ଯ୍ୟ କରିଥାନ୍ତି । ଦିବ୍ୟାଙ୍ଗ ହେବାରେ ୫୦ବର୍ଷ ବିତି ଯାଇଛି । ହରିଙ୍କ ନିକଟରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ମଧ୍ୟ ସରକାରଙ୍କ ଦ୍ୱାରା ଦିବ୍ୟାଙ୍ଗଙ୍କୁ ମିଳିଥିବା ସମସ୍ତ ଯୋଜନାରୁ ସେ ବଞ୍ଚିିତ । ସରକାରୀ ସାହାଯ୍ୟ କହିଲେ କେବଳ ଅନ୍ତୋଦୟ ଯୋଜନାରେ ମିଳୁଥିବା ଚାଉଳ । ଏହାକୁ ବାଦ ଦେଲେ ସେ ନା ଖଣ୍ଡିଏ ଘର ପାଇଛନ୍ତି ନା ଅନ୍ୟ କୌଣସି ସହାୟତା । ଦିବ୍ୟାଙ୍ଗ ଭତ୍ତା ନିମନ୍ତେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଦିବ୍ୟାଙ୍ଗ ଭତ୍ତା ଆବେଦନ ନିମନ୍ତେ ବ୍ଲକ୍ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼େ ବୋଲି ଜାଣିବାକୁ ପାଇଲେ । ଆବେଦନ ପାଇଁ ଯିବାକୁ ହେଲେ ଅର୍ଥର ଆବଶ୍ୟକତା ଥିବାରୁ ଗତ ୧୪ ତାରିଖରେ ନିଜର ଏକମାତ୍ର ଗର୍ଭବତୀ ଛେଳିଟିକୁ ବାଧ୍ୟହୋଇ ୨୨୫୦ ଟଙ୍କାରେ ବିକ୍ରି କରିଥିଲେ । ଛେଳି ବିକ୍ରି କରିବା ପରଦିନ ଆବେଦନ ପାଇଁ କାର୍ଯ୍ୟାଳୟକୁ ବାହାରିଥିଲେ ।

କୁଡୁମୁଲୁଗୁମା ସ୍ଥିତ ବ୍ଲକ୍ କାର୍ଯ୍ୟାଳୟରେ ପହଁଚି ଜାଣିବାକୁ ପାଇଲେ କି କୁଡୁମୁଲୁଗୁମ୍ମାସ୍ଥିତ ବ୍ଲକ୍ ଚିତ୍ରକୋଣ୍ଡାକୁ ସ୍ଥାନାନ୍ତରିତ ହୋଇଯାଇଛି ଏବଂ ନାକାମାମୁଡି ପଞ୍ଚାୟତ କୋରୁକୋଣ୍ଡା ବ୍ଲକ୍ ଅଧିନସ୍ଥ ହୋଇଯାଇଛି । ଏହା ଶୁଣି ହରି ମାଲକାନଗିରି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ମନସ୍ଥକଲେ । ୨୪ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ଥିବା ଜାଣିବାକୁ ପାଇଲେ । ଘରୁ ବାହାରି ଦୀର୍ଘ ୯ ଦିନ ବିତିଯାଇଥିବାରୁ ପରିବାର ସଦସ୍ୟ ବିବ୍ରତ ହେଉଥିବା ଭାବି ଘରକୁ ଫେରୁଥିଲେ । ଘରକୁ ଫେରିବା ସମୟରେ ବାଲିମେଳା ଛକ ନିକଟରେ ଅଲେଖାଗୁଡା ଗ୍ରାମର ସରାବୁ ଭଜ ହରିଙ୍କୁ ସବୁକଥା ପଚାରି ବୁଝିଥିଲେ । ହରି ଦିବ୍ୟାଙ୍ଗ ଭତ୍ତା ନିମନ୍ତେ ଆସିଥିବା ଜାଣି ରାତିରେ ନିଜ ଘରେ ଆଶ୍ରୟ ଦେଇ ସକାଳେ କୋରୁକୋଣ୍ଡା ବ୍ଲକ୍‌କୁ ସାଙ୍ଗରେ ନେଇ ଯାଇଥିଲେ । କିନ୍ତୁ ବୋଝ ଉପରେ ନଳିତା ବିଡ଼ାପରି ବଡ଼ଦିନ ହେତୁ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଥିଲା । କୌଣସି ମତେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରିଙ୍କୁ ଭେଟି ଉଭୟଭତ୍ତା ବିଷୟରେ ଅବଗତ କରାଇଥିଲେ । ସବିଶେଷ ସୂଚନା ପାଇ ପୂଜାରି ହରିଙ୍କ ଭତ୍ତା ଆବେଦନ ପତ୍ର ଗ୍ରହଣ କରିବା ସହ ତାଙ୍କୁ ଭତ୍ତା କାର୍ଡ ଓ ଆସନ୍ତା ଜାନୁଆରୀ ଠାରୁ ଭତ୍ତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପୂଜାରୀ ହରିଙ୍କୁ ନିଜ ଖର୍ଚ୍ଚରୁ ୨୦୦ ଟଙ୍କା ପ୍ରଦାନ କରିଥିଲେ । ଶ୍ରୀ ପୂଜାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking