29.1 C
Bhubaneswar
Monday, May 6, 2024
Homeଓଡିଶାକରୋନା ସାମଗ୍ରୀ କିଣାରେ ଦୁର୍ନିତିକୁ ନେଇ ଲୋକାୟୁକ୍ତ ତଦନ୍ତ ଦାବି କଲା ବଲାଙ୍ଗିର କଂଗ୍ରେସ

କରୋନା ସାମଗ୍ରୀ କିଣାରେ ଦୁର୍ନିତିକୁ ନେଇ ଲୋକାୟୁକ୍ତ ତଦନ୍ତ ଦାବି କଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର,- ସଂପ୍ରତି କରୋନାକୁ ମୁକାବିଲା କରିବା ପାଇଁ ସରକାରଙ୍କ ଔଷଧ ନିଗମ ଯେଉଁ ସବୁ ସମଗ୍ରୀ କିଣିଛି ସେଥିରେ କୋଟି କୋଟି ଟଙ୍କାର ମହାଦୁର୍ନିିତି ହେବାର ସ୍ପଷ୍ଟ ପ୍ରମାଣ ମିଳିଥିବା କହିବା ସହ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ମହା ଦୁର୍ନିତି ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଏଆଇସିସି ସଦସ୍ୟ ତଥା ପିସିସିର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଏହି ୬ ଦଫା ଦାବିକୁ ନେଇ ଜିଲ୍ଲପାଳଙ୍କ ସହ ଆଲୋଚନା କରି ଦାବିର ଯଥାର୍ଥତା ବାବଦରେ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର କୋଭିଡ୍ ପରିଚାଳନା ସଂଯୋଜକ ଅସିମ ପଟ୍ଟନାୟକ, ପିସିସି ସଂପାଦକ ସୁଦାମ ସାହୁ, ଅଜୟ ବାଲି, ସେବାଦଳ ମୁଖ୍ୟ ଅସିତ କୁମାର ମିଶ୍ର, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନି, ମହିଳା କଂଗ୍ରେସ ଅଧ୍ୟକ୍ଷା ମିଳନୀ ସାହୁ, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ସମସୁନ ନିଶା, ସବିତା ଶତପଥି, ବାସନ୍ତି ତାଣ୍ଡି, ସଂଜୟ ମିଶ୍ର, କୈଳାସ ମିଶ୍ର, ପଂଚାନନ ସାହୁ, ଅଭିନାଶ ସାଏ, କୁଳମଣି ସାହୁ, ଶୁଭେନ୍ଦୁ ସାହୁ, ଅଂଚଳ ପଣ୍ଡା, ଟୁନା ସାହୁ, ପବିତ୍ର ନେପାକ, ରେଶନ ମିଶ୍ର, ଲୋପନ ମିଶ୍ର, ବିରେନ୍ଦ୍ର ବାବୁ ଏବଂ କିରନ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଏହି ଦାବିପତ୍ରରେ କଂଗ୍ରେସ କର୍ମି ସ୍ପଷ୍ଟ ଭାବେ ଅଭିଯୋଗ କରିଛନ୍ତି ଯେ ଯେଉଁ ମାସ୍କକୁ ଦେଶର ଅନ୍ୟ ରାଜ୍ୟ ଯଥା ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଗୁଜୁରାଟ ଓ ତେଲେଙ୍ଗାନା ଆଦି ରାଜ୍ୟମାନେ ଟ.୧.୩୪ ପ. ରୁ ଆରମ୍ଭ କରି ଟ.୮.୪୭ ପଇସାରେ ବିଭିନ୍ନ କଂପାନୀମାନଙ୍କ କିଣିଛନ୍ତି ସେହି ଯାଗାରେ ଆମ ସରକାର ଦ୍ୱାରା ପରିଚାଳିତ ଔଷଧ ନିଗମ ୧୬ ଟଙ୍କାରେ ୩୦ ଲକ୍ଷ ମାସ୍କ କିଣିବା ଘଟଣା ଏହି ମହା ଦୁର୍ନିତିର ପରଦା ଫାର୍ସ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ କରୋନା ମହାମାରି ମୁକାବିଲା ପାଇଁ ବ୍ୟବହୃତ ସାମଗ୍ରୀ କିଣିବା ପାଇଁ ସରକାରୀ ଇ-ପୋର୍ଟାଲ ସହାୟତା ନେବା ଉଚିତ କିନ୍ତୁ ଓଡିଶା ସରକାରଙ୍କ ଔଷଧ ନିଗମ ଏହି ସବୁ କୁ ଖାତିର ନ କରି ହଠାତ୍ ଏକ ନିର୍ଦ୍ଦିଷ୍ଟ କଂପାନୀ ବିଷ୍ଣୁ ଡିସ୍ପୋଜେବୁଲ ପ୍ରା.ଲି. କୁ ୩୦ ଲକ୍ଷ ମାସ୍କ ଗୋଟାକୁ ଟ.୧୬ ଟଙ୍କା ଦରରେ ଅର୍ଡର ଦେଇଦେଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ମାସ୍କ କିଣାରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଛି । କରୋନା ରୋଗ ଚିହ୍ନଟ ପାଇଁ ଯେଉଁ ଟେଷ୍ଟିଂ କିଟ୍ କିଣା ଯାଇଛି ଏଥିରେ ମଧ୍ୟ ବ୍ୟାପକ ପରିମାଣରେ ଆର୍ଥିକ ଅନିୟମିତତା ଦେଖା ଦେଇଛି । ଅପ୍ରିଲ ରୁ ମଇ ମାସ ଭିତରେ ଔଷଧ ନିଗମ ତିନୋଟି କଂପାନୀରୁ ବିଭିନ୍ନ ଦରରେ ଟେଷ୍ଟିଂ କିଟ୍ କିଣିବା ପଛରେ ଆର୍ଥିକ ଅନିୟମିତତା ଥିବାର ସ୍ପଷ୍ଟ ଜଣାପଡୁଛି । ଠିକ୍ ସେହିପରି ରିୟଲ ଟାଇମ୍ ପିସିଆ ମେସିନ୍ ଯାହାର କି ବାସ୍ତବିକ ମୁଲ୍ୟ ୪ ରୁ ୫ ଲକ୍ଷ ଟଙ୍କା ମଧ୍ୟରେ ହେବ ସେହି ମେସିନକୁ ୧୨.୯୪ ଲକ୍ଷ ଟଙ୍କାରେ ସରକାର କିଣିଲେ କିପରି ବୋଲି ଏହି ଦାବିପତ୍ରରେ ଏହାର ତଦନ୍ତ ଦାବି କରାଯାଇଛି । ଏବଂ ଆହୁରି ମଧ୍ୟ ଏହି ମେସିନରେ ବ୍ୟବହୃତ ହେଉଥିବା ସ୍କ୍ରିନିଂ କିଟ୍ ଯାହାକି ଖୋଲା ବଜାରରେ ୫୦୦ ରୁ ୭୦୦ ଟଙ୍କାର ଉପଲବ୍ଧ ତାହାକୁ ଔଷଧ ନିଗମ ୧୩୪୦ ଟଙ୍କାରେ ୨ ଲକ୍ଷ ଟେଷ୍ଟିଂ କିଟ୍ କିଣିଛନ୍ତି । ଠିକ୍ ସେହିପରି ପିପିଇ (ପର୍ସନାଲ ପ୍ରଟକ୍ସନ ଇକ୍ୟୁମେଣ୍ଟ) ଯାହାକୁ କି କରୋନା ବିପକ୍ଷରେ ଲଢୁଥିବା ଡାକ୍ତର ନର୍ସ, ହେଲ୍‌ଥ ୱାରକର, ପାରାମେଡିକାଲ ଷ୍ଟାଫ୍ ବ୍ୟବହାର କରନ୍ତି ତାହାକୁ କିଣିବା ବେଳେ ମଧ୍ୟ ସରକାର ତାଙ୍କର ଔଷଧ ନିଗମ ସ୍ୱଚ୍ଛତା ଅବଲମ୍ବନ କରିନାହିଁ । ଆଇସିଏମ୍‌ଆରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କିଣିଲା ବେଳେ ଏହାର ଟେଷ୍ଟିଂ ହେବା ନିହାତି ଜରୁରୀ କିନ୍ତୁ ତାହା ଟେଷ୍ଟିଂ କରାଯାଇ ନାହିଁ । ଗୋଟିଏ ପଟେ ସରକାର କରୋନା ଲଢେଇରେ ସମ୍ମୁଖ ଭାବରେ କାମ କରୁଥିବା ଡାକ୍ତର, ନର୍ସ, ହେଲ୍‌ଥ ୱାରକରମାନଙ୍କୁ କରୋନା ଯୋଦ୍ଧା ବୋଲି ଘୋଷଣା କରୁଥିବା ବେଳେ ଚିକିତ୍ସା ବେଳେ ତାଙ୍କ ସୁରକ୍ଷା ପାଇଁ ସମଗ୍ରୀ କିଣାରେ ଘୋର ଦୁର୍ନିତି କରିବା କେତେ ଦୂର ଯୁକ୍ତିଯୁକ୍ତ । ରେପିଟ୍ କୋଭିଡ ଟେଷ୍ଟିଂ ପାଇଁ ଆଇସିଏମ୍‌ଆର ବାରଣ କରିବା ସତ୍ତ୍ୱେ ମଧ୍ୟ ସରକାରଙ୍କ ୧୨ କୋଟି ଟଙ୍କାର ଏଡ୍‌ଭାନ୍ସ ଗୋଟିଏ କଂପାନୀକୁ ଦେବା କାହା ସ୍ୱାର୍ଥରେ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଆହୁରି ମଧ୍ୟ ରାଜ୍ୟ ଭିତରେ ଥିବା ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଗୁଡିକଠାରୁ ୨୦ ପ୍ରତିଶତ ସାମଗ୍ରୀ କିଣିବା ବାଧ୍ୟତାମୂଳକ ଥିବା ସତ୍ତ୍ୱେ ସରକାର କାହିଁକି ଏମାନଙ୍କ ଠାରୁ ଔଷଧ, ସେନିଟାଇଜର, ମାସ୍କ ଆଦି କିଣିଲେ ନାହିଁ, ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଜିଲ୍ଲା କଂଗ୍ରେସ କମିଟି ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂଲାଗୁରି ଙ୍କୁ ପ୍ରତିନିଧି ଦଳ ଦାବିପତ୍ର ହସ୍ତାନ୍ତର କରିବା ସହ ଏହାର ତଦନ୍ତ ଭାର ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଉ ବୋଲି ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ମାଧ୍ୟମରେ ଜଣେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking