ଦୁବାଇ: ଶୁକ୍ରବାର ରାତିରେ ଦକ୍ଷିଣ ଇରାନ୍ରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ରାଷ୍ଟ୍ରାୟତ ଟେଲିଭିଜନ୍ ରିପୋର୍ଟ କରିଛି।
ଇରାନ୍ର ଉପସାଗର ଉପକୂଳ ଅନ୍ତର୍ଗତ ହୋର୍ମୋଜ୍ଗାନ୍ ପ୍ରଦେଶର ଜରୁରୀକାଳୀନ ପରିଚାଳନା ମୁଖ୍ୟ ମେହଦାଦ୍ ହସନ୍ଜାଦେ ଟେଲିଭିଜନ୍କୁ କହିଛନ୍ତି, ଦୁଃଖର ବିଷୟ, ଏଯାବତ୍ ୩ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୮ଜଣ ଆହତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୧ ଥିଲା ବୋଲି ଇରାନୀୟ ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ ତୀବ୍ରତା ୬.୦ ଥିଲା ବୋଲି ‘ୟୁରୋପିୟାନ୍ ମେଡିଟେରିୟାନ୍ ସେସ୍ମୋଲୋଜିକାଲ୍ ସେଣ୍ଟର୍’ (ଇଏମ୍ଏସ୍ସି) କହିଛି।