41.1 C
Bhubaneswar
Sunday, April 28, 2024
Homeଓଡିଶାଚୋରି ଅଭିଯୋଗରେ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା

ଚୋରି ଅଭିଯୋଗରେ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା

ଭୁବନେଶ୍ୱର: ସୁନାଚେନ ଛିନତାଇ ଓ ମୋବାଇଲ ଚୋରି ମାମଲାରେ ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି ପୂଜା ଜୈନ ଆସାମୀ ରକେଟ ଓରଫ ସନ୍ତୋଷ ନାୟକ ଓ ଆସାମୀ ରଶ୍ମୀ ରଞ୍ଜନ ନାୟକଙ୍କୁ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଖବର ମୁତାବକ ଅଭିଯୋଗକାରିଣୀ ନିବେଦିତା ପ୍ରଧାନ ଜୟଦେବ ବିହାର ଅନ୍ତର୍ଗତ ଏନ-୫ ଅଞ୍ଚଳରେ ଥିବା ପ୍ଲଟ ନମ୍ବର-୧୪୯ ରେ ରୁହନ୍ତି । ଗତ ବର୍ଷ ମେ ୧୮ ତାରିଖ ସନ୍ଧ୍ୟାରେ ସେ ଏନ-୫ ପାର୍କରୁ ଘରକୁ ଫେରୁଥିବା ବେଳେ ଉକ୍ତ ଦୁଇ ଅଭିଯୁକ୍ତ ରକେଟ ଓରଫ ସନ୍ତୋଷ ନାୟକ ଓ ରଶ୍ମୀ ରଞ୍ଜନ ନାୟକ ମୋଟରସାଇକେଲରେ ପଛ ପାଖରୁ ଆସି ସେ ପିନ୍ଧିଥିବା ଏକ ସୁନା ଚେନକୁ ଜୋରଜବରଦସ୍ତ ଛିଣ୍ଡାଇ ନେଇ ଚାଲିଥିଲେ । ଏନେଇ ସେ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ନୟାପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ସବ-ଇନ୍ସପେକ୍ଟର ବିଜୟ କୁମାର ବାରିକ ଏହାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ସୀମିତ ସମୟ ମଧ୍ୟରେ ଅଦାଲତର କାଠଗଡାରେ ଛିଡା କରାଇବାରେ ସକ୍ଷମ ହୋଇଥିଲେ । ସେହିପରି ମୋବାଇଲ ଚୋରୀ ମାମଲାର ଅଭିଯୋଗକାରୀ ମଳୟ କୁମାର ନାୟକ ନୟାପଲ୍ଲୀ ଥାନା ଅନ୍ତର୍ଗତ ଇସ୍କନ ମନ୍ଦିର ପଛ ପାଖରେ ରୁହନ୍ତି । ଗତ ବର୍ଷ ଜୁନ ୭ ତାରିଖ ସନ୍ଧ୍ୟାରେ ସେ ଇସ୍କନ ମନ୍ଦିର ପରିଦର୍ଶନରେ ଯାଇଥିବା ବେଳେ ପ୍ରବଳ ଗହଳିର ସୁଯୋଗ ନେଇ ଅଭିଯୁକ୍ତ ଅଖି ଓରଫ ପ୍ରଶାନ୍ତ ଭୋଇ ମଳୟଙ୍କ ପକେଟରେ ଥିବା ଏକ ମୋବାଇଲ ଫୋନକୁ କୌଶଳ କ୍ରମେ ଚୋରୀକରି ନେଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୁଲିସ କେସ ନଂ-୨୪୩/୨୦୨୩, ଦଫା- ୩୭୯ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏସ୍ କେ ଗିରି ଏହାର ତଦନ୍ତ କରି ଅଖି ଓରଫ ପ୍ରଶାନ୍ତ ଭୋଇକୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିଲେ । ଉପରୋକ୍ତ ସୁନାଚେନ ଛିନତାଇ ମାମଲାର ବିଚାର କରି ମାନ୍ୟବର ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ପ୍ରଯୁଜ୍ୟ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ରକେଟ ଓରଫ ସନ୍ତୋଷ ନାୟକ ଓ ଅଭିଯୁକ୍ତ ରଶ୍ମୀ ରଞ୍ଜନ ନାୟକକୁ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୫୦୦ ଟଙ୍କା ଲେଖାଏଁ ଜୋରିମନା ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking