28.1 C
Bhubaneswar
Thursday, May 2, 2024
Homeଓଡିଶାବିକାଶଠୁ ଦୂରରେ ସୀତାଗନ୍ଦୀ ଗାଁ’

ବିକାଶଠୁ ଦୂରରେ ସୀତାଗନ୍ଦୀ ଗାଁ’

କୋରୁକୋଣ୍ଡା : ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୨ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଆମ ରାଜ୍ୟରେ ଏପରି ଗାଁ ରହିଛି ଯେଉଁଠି ବିକାଶ କହିଲେ ଲୋକେ ବୁଝନ୍ତି ନାହିଁ । ଯେମିତି ବିକାଶର ଆଲୋକ ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ସରକାର ବିଭିନ୍ନ ଯୋଜନାରେ ଗାଁ’ଗାଁ’କୁ ସଡ଼କପଥ, ପାନୀୟଜଳ ଏବଂ ବିଦ୍ୟୁତ ଭଳି ସେବା ଯୋଗାଇ ଆସୁଥିଲେ ମଧ୍ୟ ଏହି ଗାଁ ପାଇଁ ସେ ସବୁ ଯୋଜନା ଯେପରି ଫେଲ୍ ମାରିଛି । ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଚିତାପାରି-୩ ର ସୀତାଗନ୍ଦି ଗ୍ରାମରେ ।
ଜୟପୁର-ବାଲିମେଳା ମୁଖ୍ୟ ରାସ୍ତାରୁ ପ୍ରାୟ ୪ ରୁ ୫ କିଲାମିଟର ଦୂରରେ ଏହି ଗ୍ରାମଟି ଥିଲେ ମଧ୍ୟ ପ୍ରଶାସନର ପାଦ ଆଜି ଯାଏଁ ଗାଁରେ ପଡ଼ିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସୀତାଗନ୍ଦି ଗାଁକୁ ଯିବାକୁ ହେଲେ ୨ଟି ନାଳ ଅତିକ୍ରମ କରି ଜମି ହିଡରେ ଚାଲି ଚାଲି ଯିବାକୁ ପଡ଼ିଥାଏ । ପ୍ରାୟ ୨ କିଲାମିଟରରୁ ଊର୍ଦ୍ଧ୍ୱ ବାଟ ଚାଲିଲେ ପାହାଡ଼ ତଳେ ପଡ଼େ ଏହି ଛୋଟିଆ ଗାଁ । ଗାଁରେ ସର୍ବମାଟ ପରିବାର ସଂଖ୍ୟା ୧୦ ରହିଥିବା ବେଳେ ଜନସଂଖ୍ୟା ୫୦ । ଏମାନଙ୍କର ମୁଖ୍ୟ ଜୀବିକା ହେଉଛି ଚାଷ । ତେବେ ଏହି ଗାଁକୁ ଆଜି ଯାଏଁ ରାସ୍ତା ନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାହାଡ଼ ଭଙ୍ଗା ରାସ୍ତାରେ ହୋଇଥିବା ଅନେକ ଖାଲଢ଼ିପ ଦେଇ ଏମାନେ ଯାତାୟତ କରିଥାନ୍ତି । ହେଲେ ସାମାନ୍ୟ ବର୍ଷା ହୋଇଗଲେ ଏହି ବାଟ ଦେଇ ଯିବାଆସିବା ଠପ୍ ହୋଇଯାଏ । ଖାଲି ସେତିକି ନୁହେଁ ଜରୁରୀକାଳିନ ପରିସ୍ଥିତିରେ ରାସ୍ତା ନଥିବାରୁ କୌଣସି ଯାନବାହନ ମଧ୍ୟ ଆସିପାରେ ନାହିଁ । ତେଣୁ କେହି ରୋଗାଗସ୍ତ ହେଲେ ତାଙ୍କୁ ଷ୍ଟ୍ରେଚର ମାଧ୍ୟମରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ିଥାଏ । ପରେ ସଡ଼କ ପଥକୁ ଆମ୍ବୁଲାନ୍ସ ଆସି ସେଠାରୁ ରୋଗୀକୁ ନେଇ ଯାଇଥାଏ । ଅନ୍ୟପକ୍ଷରେ ରାସ୍ତା ନଥିବା ଯୋଗୁଁ ବିଦ୍ୟାର୍ଥୀମାନେ ମଧ୍ୟ ପାଠପଢ଼ାରୁ ବଞ୍ôଚତ ହେଉଛନ୍ତି । ବାପା,ମା’ସେମାନଙ୍କୁ ବାଧ୍ୟକରି ବିଦ୍ୟାଳୟକୁ ପଠାଇଲେ ମଧ୍ୟ ସେମାନେ ଏହି ରାସ୍ତାର ଆଳ ଦେଖାଇ ବିଦ୍ୟାଳୟକୁ ଯାଉନଥିବା କହିଛନ୍ତି । ଏତିକିରେ ସରିନି ଗାଁର ସମସ୍ୟା ।
ଗାଁରେ ପାନୀୟଜଳ ଟିକକ ପାଇଁ ଗ୍ରାମବାସୀ ଅନେକ ହନ୍ତସନ୍ତ ହେଉଛନ୍ତି । ଗାଁରେ ନଳକୂଅ ଏବଂ କୂଅଟିଏ ଥିଲେ ମଧ୍ୟ ଏହି ପାଣି ପିଇବା ଉପଯୋଗୀ ନଥିବାରୁ ସେମାନେ ବାଧ୍ୟ ହୋଇ ନିକଟରେ ପାହାଡ଼ରୁ ଝରି ଆସିଥିବା ଏକ ଝରଣାର ଜଳ ଉପରେ ଭରସା କରିଥାନ୍ତି । ସେହିପରି କେବଳ ଏହି ୧୦ଟି ପରିବାର ପାଇଁ ବିଦ୍ୟୁତ୍ ବ୍ୟବସ୍ଥା ରହିଥିଲେ ବି ବିଦ୍ୟୁତ ପ୍ରାୟ ସମୟରେ ରହୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ନଥିବାରୁ ରାତି ହେଲେ ଜୀବଜନ୍ତୁ ବେଳେବେଳେ ଏହି ଗାଁ ଭିତରକୁ ପଶି ଆସୁଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଗ୍ରାମର ଅର୍ଜୁନ ସୀସା, ମଙ୍ଗରାଜ ବଡ଼ନାୟକ, ଧନ ହନ୍ତାଳ, ଉଦ୍ଧବ ବଡ଼ନାୟକ, ସହଦେବ ହନ୍ତାଳ, ଧନୁ ବଡ଼ନାୟକ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି । ଏନେଇ ଆମେ ଚିତାପାରି-୩ ପଞ୍ଚାୟତର ଅଧିକାରୀ ଦେବେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ ବିଡିଓଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking