ମଞ୍ଚାରୁ ପଡ଼ି ମାମୁଁ ମଲା : ମଥୁରା ସିଂହାସନକୁ ଫେରିଲେ ଉଗ୍ରସେନ

ବରଗଡ଼ : ଦୀର୍ଘ ଏଗାର ଦିନ ଚାଲିଥିବା ବିଶ୍ୱର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପରିଚିତ ୭୧ ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ କଂସ ବଧ ସହ ଶେଷ ହୋଇଛି । ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ କଂସଙ୍କୁ ବଧ କରିଥିବା ବେଳେ ସମସ୍ତ ଜଗତବାସୀଙ୍କୁ ଅସତ୍ୟ ଉପରେ ଧର୍ମର ବିଜୟ ହେବା ଏବଂ ସତ୍ୟ ଓ ଧର୍ମ ପଥରେ ଆଗେଇ ଯିବାକୁ ବାର୍ତ୍ତା ଦେଇଛି ଏହି ଧନୁଯାତ୍ରା । ତେବେ ବରଗଡ଼ ଧନୁଯାତ୍ରାର ଶେଷ ଦିବସରେ କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଅଭିନୀତ ହୋଇଥିବାବେଳେ ଲକ୍ଷ ଲକ୍ଷ ଦର୍ଶକ ଏହାକୁ ଉପଭୋଗ କରିଥିଲେ ।
ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ କଂସର ନିଧନ ସହ ଉଦ୍‌ଯାପିତ ହୋଇଯାଇଛି । ଏଗାର ଦିନ ଧରି ମହାରାଜା କଂସଙ୍କ ରାଜତ୍ତ୍ୱ ଚାଲିଥିବାବେଳେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳାକୁ ନେଇ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଅତ୍ୟାଚାରୀ କଂସଙ୍କ ଅତ୍ୟାଚାରରୁ ଜଗତବାସୀଙ୍କୁ ଉଦ୍ଧାର କରିବାପାଇଁ ଧରା ପୃଷ୍ଠକୁ ଓହ୍ଲାଇ ଆସିଥିଲେ ସ୍ୱୟଂ ବିଷ୍ଣୁ କୃଷ୍ଣ ଅବତାରରେ । ଅନ୍ୟ ପକ୍ଷରେ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜା କଂସ ଆୟୋଜନ କରିଥିଲେ କପଟ ଓ ଛଳନାର ଯାତ୍ରା ଧନୁଯାତ୍ରା । ଧନୁଯାତ୍ରା ମହୋତ୍ସବକୁ ଉଭୟ କୃଷ୍ଣ ବଳରାମଙ୍କୁ ଡକାଇଛି ଦୈତ୍ୟରାଜ କଂସ ଏବଂ ଛଳନାରେ ସେମାନଙ୍କୁ ହତ୍ୟା କରିବାକୁ କରିଛି ଷଡ଼ଯନ୍ତ୍ର । ସେମାନଙ୍କୁ ହତ୍ୟା କରିବା ପାଇଁ ବ୍ୟୁହ ରଚନା କରିଛି । ତ୍ରିସ୍ତରୀୟ ବ୍ୟବସ୍ଥା କରିଛି ସେମାନଙ୍କୁ ହତ୍ୟା କରିବା ପାଇଁ । ପ୍ରଥମେ ରହିଛି କୁବଳୟା ହସ୍ତୀ, ତାପରେ ଚାଣୁର ମୁଷ୍ଟିକ ସମେତ ଅଷ୍ଟମଲ୍ଲବୀର ଏବଂ ତୃତୀୟ ସ୍ତରରେ ମନ୍ତ୍ରୀ, ସେନାପତିଙ୍କ ସମେତ ସ୍ୱୟଂ କଂସାସୁର । କୃଷ୍ଣ ବଳରାମ ମଥୁରା କଟକ ଭ୍ରମଣ କରିବା ସମୟରେ ପ୍ରଥମେ ଧନୁ ରଖାଯାଇଥିବା ହାଟପଦା ସ୍ଥିତ ମଂଚ ପାଖରେ ପହଂଚି ଶିବଧନୁ ଭଙ୍ଗ କରିଥିଲେ । ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣ ଶରଣାଗତ ହେବା ସହ ଲୋକମଣ୍ଡପ ପଡିଆସ୍ଥିତ ରାଜଦରବାରେ ଥିବା ମହାରାଜା କଂସ ପାଖକୁ ନେଇଯାଇଥିଲେ । ରାଜଦରବାର ପାଖରେ ପହଞ୍ôଚ ରାଜଦ୍ୱାର ସମ୍ମୁଖରେ ତାଙ୍କୁ ହତ୍ୟା କରିବାକୁ ଗୋଡାଉଥିବା କୁବଳୟା ହସ୍ତୀ କୁ ନିଜ ଆୟତ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ପରେ ପରେ ମହାମନ୍ତ୍ରୀ ଶତ୍ରାଜିତ କ୍ଷମାଭିକ୍ଷା କରିଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ । ସେହପିର ମାମୁଁ କଂସ ଓ ଭଣଜା କୃଷ୍ଣବଳରାମ ଙ୍କ ମଧ୍ୟରେ ହୋଇଥିଲା ଘୋମାଘୋଟ ଯୁଦ୍ଧ ଏବଂ ରାଜଦରବାରରୁ ପଡ଼ି ନିହତ ହୋଇଥିଲା ଅତ୍ୟାଚାରୀ କଂସ । ତେବେ କଂସର ନିଧନ ପରେ ମଥୁରାରେ ଉତ୍ସବର ମାହୋଲ ରହିଥିବା ସମୟରେ ଶାସନ ଭାର ଉଗ୍ରସେନଙ୍କୁ ଅର୍ପଣ କରି ରାଜ୍ୟାଭିଷେକ କରିଥିଲେ ବେନୀଭାଇ । ପରେ ମଥୁରା କାରାଗାର ଯାଇ ମାତା ପିତା ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତି କରିଥିଲେ ।