ନୂଆଦିଲ୍ଲୀ : ଦେଶର ସୁରକ୍ଷା ପାଇଁ ଜୀବନ ଉତ୍ସର୍ଗ କରିଥିବା ପୁଲିସ କର୍ମଚାରୀଙ୍କୁ ସମ୍ମାନ। ମଙ୍ଗଳବାର ନୂଆଦିଲ୍ଲୀର ନ୍ୟାସନାଲ ପୋଲିସ ମେମୋରିଆଲରେ ଜାତୀୟ ପୁଲିସ ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି, ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ମାରକୀକୁ ଉଦ୍ଘାଟନ କରିଥିଲେ । କର୍ତ୍ତବ୍ୟ ସମ୍ପାଦନ ବେଳେ ସହିଦ ହୋଇଥିବା ପୁଲିସ କର୍ମଚାରୀଙ୍କ ସ୍ମୃତିକୁ ଅମର ରଖିବା ସହ ଭବିଷ୍ୟତ ପିଢ଼ିର ପୁଲିସ କର୍ମଚାରୀଙ୍କୁ ପ୍ରେରଣା ଦେବା ଏହି ସ୍ମାରକୀର ଉଦ୍ଦେଶ୍ୟ ।
ସେ ଆହୁରି କହିଛନ୍ତି, ଏହି ସ୍ମାରକୀ ଏବେ ଦେଶବାସୀଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସ୍ଥଳୀରେ ପରିଣତ ହୋଇଛି । ଏଠାରେ ୩୬ ହଜାର ୮୫୨ ଜଣ ସହିଦ ପୁଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଯାଉଛି । ଚଳିତ ବର୍ଷ ଆଉ ୧୫୪ ଜଣ ସାହସୀ କର୍ମଚାରୀଙ୍କ ନାଁ ଏହି ତାଲିକାରେ ସାମିଲ ହୋଇଛି । ଦେଶର ସୀମା ସୁରକ୍ଷାଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବା ପର୍ଯ୍ୟନ୍ତ CAPF ଯବାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ । ନିଜ ପରିବାରଠାରୁ ଦୂରରେ ରହି ନିର୍ବାଚନ, ପର୍ବପର୍ବାଣି, ଜନସମାବେଶ ଏବଂ ସୀମାରେ ସୁରକ୍ଷା ଦାୟିତ୍ୱ ତୁଲାଉଥିବା ଯବାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଶାହଙ୍କ କହିବା ଅନୁସାରେ, ଗଣତନ୍ତ୍ରର ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାର ସଫଳ ପରିଚାଳନାରେ CAPFର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।










