30.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌: ଆଜି ଭାରତ ପାଇଁ "କର ବା ମର' ଲଢ଼େଇ

ମହିଳା ବିଶ୍ୱକପ୍‌: ଆଜି ଭାରତ ପାଇଁ “କର ବା ମର’ ଲଢ଼େଇ

ହାମିଲଟନ୍‌: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତ ୫ଟି ମ୍ୟାଚ୍‌ରୁ ମାତ୍ର ୨ଟିରେ ବିଜୟୀ ହୋଇଛି । ତେଣୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଭାରତକୁ ତା’ର ଶେଷ ଦୁଇଟିଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଭାରତ ମଙ୍ଗଳବାର ତା’ର ଷଷ୍ଠ ମୁକାବିଲା ବାଂଲାଦେଶ ବିପକ୍ଷରେ ଖେଳିବାକୁ ଥିବା ବେଳେ ଏଥିରେ ବିଜୟୀ ହୋଇ ଆଗକୁ ବଢ଼ିବା ସକାଶେ ଉଦ୍ୟମ କରିବ । ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ସାମାନ୍ୟତମ ତ୍ରୁଟି ବି ବେଶ୍ ମହଙ୍ଗା ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି । ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ବ୍ୟାଟିଂ ଓ ବୋଲିଂରେ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ରହିଛି । ପ୍ରଥମ ୫ଟି ମ୍ୟାଚ୍ ମଧ୍ୟରୁ ପାକିସ୍ତାନ ଓ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌କୁ ବାଦ୍ ଦେଲେ ଅବଶିଷ୍ଟ ମୁକାବିଲାଗୁଡ଼ିକରେ ବ୍ୟାଟ୍ସଓମ୍ୟାନ୍‌ମାନେ ନିରାଶ କରିଛନ୍ତି । ପ୍ରଥମ ୪ଟି ମ୍ୟାଚ୍‌ରେ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ ହେଁ ଗତ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନଙ୍କ ଦୁର୍ବଳତା ମଧ୍ୟ ପଦାରେ ପଡ଼ିଯାଇଛି । କାରଣ ଅଷ୍ଟ୍ରେଲିଆ ବେଶ୍ ସହଜରେ ୨୭୮ ରନ୍‌ର ଟାର୍ଗେଟ୍‌କୁ ହାସଲ କରିନେଇଥିଲା ।

ତେଣୁ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ଯେତିକି ଆଗକୁ ବଢ଼ୁଛି, ସେଇ ଅନୁସାରେ ଦଳର ସମସ୍ୟା ମଧ୍ୟ ବଢ଼ିଚାଲିଛି । ଗତ ମ୍ୟାଚ୍‌ରେ ଅଧିନାୟିକା ମିତାଲି ରାଜ୍ ଜଣେ ଅତିରିକ୍ତ ବ୍ୟାଟ୍ସଓମ୍ୟାନ୍‌ଙ୍କୁ ଖେଳାଇଥିଲେ । ଦୀପ୍ତି ଶର୍ମାଙ୍କ ସ୍ଥାନରେ ଶେଫାଳୀ ବର୍ମାଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ଏହି ରଣନୀତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଶେଫାଳୀ କ୍ରମାଗତ ବିଫଳ ହୋଇଚାଲିଥିବାରୁ ବାଂଲାଦେଶ ବିପକ୍ଷ ମୁକାବିଲାରେ ଚୂଡ଼ାନ୍ତ ଏକାଦଶରେ ରହୁଛନ୍ତି କି ନାହିଁ, ତାହା ଦେଖିବାର କଥା । ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତ ପାଇଁ ଗୋଟିଏ ସକାରାତ୍ମକ ଦିଗ ସାମ୍ନାକୁ ଆସିଛି । ତାହା ହେଲା ଅଧିନାୟିକା ମିତାଲି ତାଙ୍କ ଫର୍ମ ଫେରିପାଇଛନ୍ତି । ଓପନର ସ୍ମ୍ମୃତି ମନ୍ଧାନା ଗତ ଦୁଇଟି ମ୍ୟାଚ୍‌ରେ ସଫଳ ହୋଇ ପାରି ନ ଥିବାରୁ ମଙ୍ଗଳବାର ମ୍ୟାଚ୍‌ରେ ଚମକିବା ଆଶା କରାଯାଉଛି । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳୁଥିବା ବାଂଲାଦେଶ ଚମକାଇବା ଭଳି ପ୍ରଦର୍ଶନ କରିପାରିଛି ।

ଦଳ ୪ଟିଯାକ ମ୍ୟାଚ୍‌ରେ ପ୍ରତିପକ୍ଷ ଟିମ୍‌କୁ କଡ଼ା ଟକ୍କର ଦେଇଛି । ଏପରିକି ପାକିସ୍ତାନ ବିପକ୍ଷରେ ବିଜୟ ମଧ୍ୟ ହାସଲ କରିଛି । ଅବଶ୍ୟ ଦଳ ପାଇଁ ଏବେ ବି ବ୍ୟାଟିଂରେ ସୁଧାର କରିବାର ଆବଶ୍ୟକତା ରହିଛି । କାରଣ ଦଳ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ମୁକାବିଲାରେ ୧୪୧ ରନ୍‌ର ସହଜସାଧ୍ୟ ଟାର୍ଗେଟ୍‌ର ବି ପିଛା କରିବାରେ ବିଫଳ ହୋଇଥିଲା । ଏପରି ଭୁଲର ପୁନରାବୃତ୍ତି ଦଳ ଆଗାମୀ ଦିନରେ କରିବ ନାହିଁ ବୋଲି ମ୍ୟାଚ୍ ପୂର୍ବରୁ ବାଂଲାଦେଶ ଅଧିନାୟିକା ନିଗାର ସୁଲତାନା କହିଛନ୍ତି । ସେହିପରି ବଡ଼ ଧରଣର ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କ ଦଳ ଅଧିକ ଖେଳିବାର ସୁଯୋଗ ପାଇଲେ, ସେହି ଅନୁପାତରେ ଉନ୍ନତି କରିପାରିବ ବୋଲି ସୁଲତାନା ଆଶା କରିଛନ୍ତି ।

ଭାରତୀୟ ଦଳ: ମିତାଲି ରାଜ (ଅଧିନାୟିକା), ହରମନ୍‌ପ୍ରୀତ୍ କୌର୍‌, ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରୀଚା ଘୋଷ (ୱିକେଟ୍‌କିପର୍‌), ସ୍ନେହ ରାଣା, ଝୁଲନ୍ ଗୋସ୍ୱାମୀ, ପୂଜା ବସ୍ତ୍ରାକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ (ୱିକେଟ୍‌କିପର୍‌), ରାଜେଶ୍ୱରୀ ଗାଏକ୍ୱାଡ୍ ଓ ପୂନମ୍ ଯାଦବ ।

ବାଂଲାଦେଶ ଟିମ୍‌: ନିଗାର୍ ସୁଲତାନା (ଅଧିନାୟିକା), ସଲମା ଖାତୁନ୍‌, ରୁମାନା ଅହମ୍ମଦ, ଫର୍ଜାନା ହକ୍‌, ଜାହାନାରା ଆଲାମ୍‌, ଶମିମା ସୁଲତାନା, ଫହିମା ଖାତୁନ୍‌, ରୀତୁ ମୋନି, ମୁର୍ଶିଦା ଖାତୁନ୍‌, ନାହିଦା ଅଖ୍‌ତର, ଶର୍ମିନ୍ ଅଖ୍‌ତର, ଲତା ମଣ୍ଡଳ, ଶୋଭନା ମୋସ୍ତାରି, ଫାରିହା ତ୍ରିଷ୍ଣା, ସୁରୈୟା ଅଜମିନ୍ ଓ ସଞ୍ଜିଦା ଅଖ୍‌ତର ମେଘଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking