30.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ଆଇସିସି ମହିଳା ବିଶ୍ୱକପ୍‌: ଭାଟିଆଙ୍କ ଅର୍ଦ୍ଧଶତକ ଓ ରାଣାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ବାଂଲାକୁ ହରାଇଲା ଭାରତ

ଆଇସିସି ମହିଳା ବିଶ୍ୱକପ୍‌: ଭାଟିଆଙ୍କ ଅର୍ଦ୍ଧଶତକ ଓ ରାଣାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ବାଂଲାକୁ ହରାଇଲା ଭାରତ

ହାମିଲଟନ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଖେଳାଯାଇଥିବା ବେଳେ ଏଥିରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୧୧୦ ରନ୍‌ରେ ପରାସ୍ତ କରିଛି । ଏଥିସହ ଦଳର ସେମିଫାଇନାଲ୍‌ରେ ପହଞ୍ଚିବା ଆଶା କାଏମ ରହିଛି । ପ୍ରଥମ ବ୍ୟାଟିଂ କରିଥିବା ଭାରତ ୟାସ୍ତିକା ଭାଟିଆଙ୍କ ଅର୍ଦ୍ଧଶତକ ମାଧ୍ୟମରେ ୭ ୱିକେଟ୍ ବିନିମୟରେ ୨୨୯ ରନ୍ କରିଥିଲା । ଏହାର ଜବାବରେ ବାଂଲାଦେଶ ୪୦.୩ ଓଭର୍‌ରେ ମାତ୍ର ୧୧୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ସ୍ନେହ ରାଣା ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ମାଧ୍ୟମରେ ପ୍ରତିଯୋଗିତାରେ ଦଳର ତୃତୀୟ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଉପଯୋଗୀ ୫୦ ରନ୍‌ର ଇନିଂସ ଖେଳିଥିବା ଭାଟିଆଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ଷଷ୍ଠ ମ୍ୟାଚ୍‌ରେ ତୃତୀୟ ବିଜୟ ହାସଲ କରିବା ପରେ ଭାରତ ପଏଣ୍ଟ୍ ଟେବଲ୍‌ରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଦଳର ପଏଣ୍ଟ୍ ସଂଖ୍ୟା ୱେଷ୍ଟ୍‌ଇଣ୍ଡିଜ୍ ସହ ସମାନ ଥିଲେ ମଧ୍ୟ ଉନ୍ନତ ରନ୍ ରେଟ୍ ଆଧାରରେ ଇଣ୍ଡିଜ୍ ଚତୁର୍ଥକୁ ଖସିଆସିଛି ।

ଭାରତ ତା ‘ର ଶେଷ ଲିଗ୍ ମ୍ୟାଚ୍‌ଟି ଆସନ୍ତା ୨୭ ତାରିଖରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବ । ଭାରତ ପାଇଁ ଦୁଇ ଓପନର ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ୭୪ ରନ୍ ଯୋଡ଼ି ଏକ ସଶକ୍ତ ମୂଳଦୁଆ ପକାଇଥିଲେ । ମନ୍ଧାନା ୩ଟି ଚୌକା ମାଧ୍ୟମରେ ୩୦ ରନ୍ କରି ଆଉଟ୍ ହେବା ପରେ ଶେଫାଳୀ ମଧ୍ୟ ୬ଟି ଚୌକା ଓ ଗୋଟିଏ ଛକା ସହ ୪୨ ରନ୍ କରି ବିଦାୟ ନେଇଥିଲେ । ୭୪ ରନ୍‌ରେ ଉଭୟ ବ୍ୟାଟ୍ସଓମ୍ୟାନ୍ ଆଉଟ୍ ହେବା ପରେ ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାଧ୍ୟମରେ ଫର୍ମକୁ ଫେରିଥିବା ମିତାଲି ମାତ୍ର ଗୋଟିଏ ବଲ୍‌ରେ ହିଁ ପ୍ୟାଭିଲିୟନ୍ ଫେରିଥିଲେ । ତେବେ ହରମନପ୍ରୀତ୍ କୌର୍ ଓ ଭାଟିଆ ଚତୁର୍ଥ ୱିକେଟ୍‌ରେ ୩୪ ରନ୍ ଯୋଡ଼ିବା ଫଳରେ ଭାରତ ଶହେ ରନ୍ ପୂରଣ କରିଥିଲା । କୌର୍ ମନ୍ଥର ବ୍ୟାଟିଂ କରି ମାତ୍ର ଗୋଟିଏ ଚୌକା ସହ ୧୪ ରନ୍ କରିଥିଲେ । ପଞ୍ଚମ ୱିକେଟ୍‌ରେ ଭାଟିଆଙ୍କର ରୀଚା ଘୋଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇଥିଲା । ଉଭୟ ବ୍ୟାଟ୍ସଓମ୍ୟାନ୍ ଏହି ୱିକେଟ୍‌ରେ ୫୪ ରନ୍ ଯୋଡ଼ିଥିଲେ । ରୀଚା ଆଉଟ୍ ହେବା ପୂର୍ବରୁ ୩ଟି ଚୌକା ସହ ୨୬ ରନ୍ କରିସାରିଥିଲେ । ପରେ ପରେ ଭାଟିଆ ତାଙ୍କର ଅର୍ଦ୍ଧଶତକ ପୂରଣ କରି ୨ଟି ଚୌକା ମାଧ୍ୟମରେ ୫୦ ରନ୍‌ରେ ବିଦାୟ ନେଇଥିଲେ ।

ଏହି ସମୟରେ ପୂଜା ବସ୍ତ୍ରାକାର ଓ ରାଣାଙ୍କ ମଧ୍ୟରେ ୪୮ ରନ୍‌ର ଭାଗୀଦାରୀ ହେବା ଫଳରେ ଦଳୀୟ ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ରାଣା ୨ଟି ଚୌକା ସହ ୨୭ ରନ୍ କରିଥିବା ବେଳେ ବସ୍ତ୍ରାକାର ୨ଟି ଚୌକା ସହ ୩୦ ଓ ଝୁଲନ୍ ଗୋସ୍ୱାମୀ ୨ ରନ୍ କରି ଅପରାଜିତ ଥିଲେ । ବାଂଲାଦେଶ ପକ୍ଷରୁ ରୀତୁ ମୋନି ୩ଟି, ନାହିଦା ଅଖ୍‌ତର ୨ଟି ଓ ଜାହାନାରା ଆଲମ୍ ଗୋଟିଏ ୱିକେଟ୍ ନେଇଥିଲେ । ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଚାଲିବା ଫଳରେ ବାଂଲାଦେଶ ପାଇଁ ୨୩୦ ରନ୍‌ର ଟାର୍ଗେଟ୍ ଅପହଞ୍ଚ ସାବ୍ୟସ୍ତ ହୋଇଥିଲା । ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ପ୍ରଥମ ୫ ଜଣ ବ୍ୟାଟ୍ସଓମ୍ୟାନ୍‌ଙ୍କୁ ଦଳୀୟ ସ୍କୋର୍ ୩୫ ଭିତରେ ହିଁ ହରାଇଥିଲା । ଷଷ୍ଠ ୱିକେଟ୍‌ରେ ସଲମା ଖାତୁନ୍ ଓ ଲତା ମଣ୍ଡଳ ୪୦ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଲମା ଖାତୁନ୍ ୪ଟି ଚୌକା ସହ ୩୨ ରନ୍ କରି ଆଉଟ୍ ହେବା ପରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ଲତା ମଧ୍ୟ ୨ଟି ଚୌକା ସହ ୨୪ ରନ୍‌ରେ ଆଉଟ୍ ହେବା ପରେ ବାଂଲାଦେଶ ବେଶୀ ବାଟ ଯାଇପାରି ନ ଥିଲା । ରୀତୁ ଗୋଟିଏ ଚୌକା ସହ ୧୬ ରନ୍ କରିଥିବା ବେଳେ ଆଲମ୍ ୨ଟି ଚୌକା ମାଧ୍ୟମରେ ୧୧ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ରାଣା ୩୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଝୁଲନ୍ ଓ ବସ୍ତ୍ରାକାର ୨ଟି ଲେଖାଏଁ ଏବଂ ରାଜେଶ୍ୱରୀ ଗାଏକ୍ୱାଡ୍ ଓ ପୂନମ୍ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରତିଯୋଗିତାରେ ବୁଧବାର ବିଶ୍ରାମ ଦିବସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking