30.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌: ଉଲଭାର୍ଟ ଓ ଲୁସ୍‌ଙ୍କ ଇନିଂସ ଆଗରେ ଡିଭାଇନ୍‌ଙ୍କ ୯୩ ଫିକା, ୨ ୱିକେଟ୍‌ରେ...

ମହିଳା ବିଶ୍ୱକପ୍‌: ଉଲଭାର୍ଟ ଓ ଲୁସ୍‌ଙ୍କ ଇନିଂସ ଆଗରେ ଡିଭାଇନ୍‌ଙ୍କ ୯୩ ଫିକା, ୨ ୱିକେଟ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌

ହାମିଲଟନ: ଘରୋଇ ନ୍ୟୁଜିଲାଣ୍ଡ୍‌କୁ ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଗୁରୁବାର ତୃତୀୟ ପରାଜୟ ବରଣ କରିବାକୁ ପଡ଼ିଛି । ଏହି ଦଳ ବିପକ୍ଷରେ ସାଉଥ୍ ଆଫ୍ରିକା ୨ ୱିକେଟ୍‌ରେ ବିଜୟୀ ହୋଇ ସେମିଫାଇନାଲ୍ ନିକଟତର ହୋଇଛି । ଏହି ଦଳ କ୍ରମାଗତ ଚତୁର୍ଥ ବିଜୟ ଅର୍ଜନ ସହ ମୋଟ ୮ ପଏଣ୍ଟ୍ ପାଇ ଟେବଲ୍‌ରେ ଅଷ୍ଟ୍ରେଲିଆ ତଳେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ୍ ୪୭.୫ ଓଭର୍‌ରେ ୨୨୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଜବାବରେ ସାଉଥ୍ ଆଫ୍ରିକା ହାତରେ ୨ଟି ୱିକେଟ୍ ଓ ତିନିଟି ବଲ୍ ବାକି ଥିବା ବେଳ ୮ ୱିକେଟ୍ ବିନିମୟରେ ୨୨୯ ରନ୍ କରି ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିପାରିଛି । ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଅଧିନାୟକ ସୋଫି ଡିଭାଇନ୍ ଆକର୍ଷଣୀୟ ୯୩ ରନ୍‌ର ଇନିଂସ ଖେଳିଥିଲେ ମଧ୍ୟ ତାହା ପ୍ରତିପକ୍ଷ ଅଧିନାୟିକା ସୁନ୍ ଲୁସ୍ ଓ ଓପନର ଲୌରା ଉଲଭାର୍ଟଙ୍କ ଅର୍ଦ୍ଧଶତକ ଆଗରେ ଫିକା ସାବ୍ୟସ୍ତ ହୋଇଛି । ପ୍ରଥମେ ବୋଲିଂରେ ଦୁଇଟି ୱିକେଟ୍ ଓ ପରେ ବ୍ୟାଟିଂରେ ଉପଯୋଗୀ ୩୪ ରନ୍ କରିଥିବା ମାରିଜେନ୍ କାପ୍ କ୍ରମାଗତ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସାଥୀ ଓପନର ସୁଜି ବେଟ୍ସ (୪)ଙ୍କୁ ଦଳୀୟ ସ୍କୋର୍ ୬ରେ ହରାଇବା ପରେ ଡିଭାଇନ୍ ତାଙ୍କ ଯୋଡ଼ିଦାର ଆମେରିଆ କେରଙ୍କ ସହ ମିଶି ୮୧ ରନ୍ ଯୋଡ଼ିଥିଲେ ।

କେର୍ ୫ଟି ଚୌକା ଜରିଆରେ ୪୨ ରନ୍ କରି ଆଉଟ୍ ହେବା ପରେ ଆମି ସାତରଥ୍ୱେଟ୍ ମାତ୍ର ୧ ରନ୍‌ରେ ବିଦାୟ ନେଇଥିଲେ । ଏହି ସମୟରେ ଚତୁର୍ଥ ୱିକେଟ୍ ପାଇଁ ମ୍ୟାଡି ଗ୍ରୀନ୍‌ଙ୍କ ସହ ଡିଭାଇନ୍ ୮୦ ରନ୍ ଉଠାଇଥିଲେ । ତେବେ ଦଳୀୟ ସ୍କୋର୍ ୧୯୮ରେ ଡିଭାଇନ୍ ଆଉଟ୍ ହେବା ପରେ ଅବଶିଷ୍ଟ ପାଖାପାଖି ୧୦ ଓଭର୍‌ରେ ଦଳର ବ୍ୟାଟ୍ସଓମ୍ୟାନ୍‌ମାନେ ମାତ୍ର ୩୦ ରନ୍ ହିଁ ଯୋଡ଼ିପାରିଥିଲେ । ଡିଭାଇନ୍ ୧୨ଟି ଚୌକା ଓ ଗୋଟିଏ ଛକା ସହ ୯୩ ରନ୍ କରିଥଥିବା ବେଳେ ଗୋଟିଏ ଚୌକା ସହ ଗ୍ରୀନ୍ ୩୦ ଏବଂ ସମାନ ସଂଖ୍ୟକ ଚୌକା ସହ ବ୍ରୁକ୍ ହାଲିଡେ ୨୪ ରନ୍‌ର ଯୋଗଦାନ ଦେଇଥିଲେ । ଶେଷ ୫ ଜଣ ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ବି ପହଞ୍ଚିପାରି ନ ଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ କାପ୍‌ଙ୍କ ବ୍ୟତୀତ ଶବନିମ୍ ଇସମାଇଲ୍ ଓ ଆୟାବୋଙ୍ଗା ଖାକା ୩ଟି ଲେଖାଏଁ ଏବଂ ଲୁସ୍ ଗୋଟିଏ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଓପନର ଲିଜେଲି ଲି’ ୨ଟି ଚୌକା ସହ ୧୭ ରନ୍ କରି ଆଉଟ୍ ହୋଇଥବଲେ ହେଁ ଉଲଭାର୍ଟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ବିଜୟ ଆଡ଼କୁ ଆଗେଇ ନେଇଥିଲେ । ସେ ଦ୍ୱିତୀୟ ୱିକେଟ୍‌ରେ ଟାଜମିନ୍ ବ୍ରିଟ୍ସ (୩ ଚୌକା ସହ ୧୮)ଙ୍କ ସହ ୫୮ ଓ ପରବର୍ତ୍ତୀ ୱିକେଟ୍‌ରେ ଲୁସ୍‌ଙ୍କ ସହ ୮୮ ରନ୍ ଯୋଡ଼ିଥିଲେ ।

ଉଲଭାର୍ଟ ୬୭ ରନ୍‌ରେ ଆଉଟ୍ ହେବା ପୂର୍ବରୁ ୬ଟି ଚୌକା ଲଗାଇସାରିଥିଲେ । ସେହିପରି ଲୁସ୍ ୪ଟି ଚୌକା ମାଧ୍ୟମରେ ୫୧ ରନ୍‌ର ଅବଦାନ ଦେଇଥିଲେ । ଦୁଇ ସେଟ୍ ବ୍ୟାଟ୍ସଓମ୍ୟାନ୍ ଉଲଭାର୍ଟ ଓ ଲୁସ୍ ଆଉଟ୍ ହେବା ପରେ କାପ୍ ୪ଟି ଚୌକା ସହ ୩୪ ରନ୍ କରିବା ସହ ଦଳକୁ ଶେଷ ଓଭର୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ କେର୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଫ୍ରାନ୍ସେସ୍ ମ୍ୟାକେ ୨ଟି ଏବଂ ହାନ୍ନାହ ରୋୱେ ଓ ଡିଭାଇନ୍ ଗୋଟିଏ ଲେଖାଏଁ ୱିିକେଟ୍ ନେଇଥିଲେ । ଏହି ପରାଜୟ ସହ ନ୍ୟୁଜିଲାଣ୍ଡ୍ ଚତୁର୍ଥ ସ୍ଥାନରେ ମଜଭୁତ ରହିଥିଲେ ମଧ୍ୟ ଏବେ ସେମିଫାଇନାଲ୍‌ରେ ପହଞ୍ଚିବା ସକାଶେ ଦଳକୁ ଅବଶିଷ୍ଟ ଦୁଇଟିଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଏହି ମ୍ୟାଚ୍‌ରେ ସାଉଥ୍ ଆଫ୍ରିକୀୟ ବ୍ୟାଟ୍ସଓମ୍ୟାନ୍ ମିଗ୍ନୋନ୍ ଡୁପ୍ରିଜ୍ ତାଙ୍କ କ୍ୟାରିୟର୍‌ର ୧୫୦ତମ ଦିନିକିଆ ଖେଳିଥିଲେ । ପ୍ରତିଯୋଗିତାର ସପ୍ତଦଶ ମ୍ୟାଚ୍ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇଠାରେ ବାଂଲାଦେଶ ଓ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking