30.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌ : ସ୍ଥିର ପ୍ରଦର୍ଶନ ବଜାୟ ଲକ୍ଷ୍ୟରେ ମିତାଲି ବାହିନୀ

ମହିଳା ବିଶ୍ୱକପ୍‌ : ସ୍ଥିର ପ୍ରଦର୍ଶନ ବଜାୟ ଲକ୍ଷ୍ୟରେ ମିତାଲି ବାହିନୀ

ମାଉଣ୍ଟ ମାଉଙ୍ଗାନୁଇ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତ ତା ‘ର ଚତୁର୍ଥ ମୁକାବିଲାରେ ବୁଧବାର ଇଂଲଣ୍ଡକୁ ଭେଟିବାକୁ ଯାଉଛି । ଅଦ୍ୟାବଧି ପ୍ରତିଯୋଗିତାରେ ଭାରତ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ପଏଣ୍ଟ୍ ଟେବଲ୍‌ରେ ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଇଂଲଣ୍ଡ ୩ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇ ଅପ୍ରତ୍ୟାଶିତ ଭାବେ ଟେବଲ୍‌ରେ ପାକିସ୍ତାନ ଉପରେ ସପ୍ତମ ସ୍ଥାନରେ ରହିଛି । ତେବେ ଭାରତ ତା’ର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲେ ହେଁ ନ୍ୟୁଜିଲାଣ୍ଡ୍‌ଠାରୁ ପରାସ୍ତ ହୋଇଥିଲା । କିନ୍ତୁ ଗତ ମ୍ୟାଚ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଦଳ ଚମତ୍କାର ବ୍ୟାଟିଂ କରି ୩୧୭ ରନ୍ କରିବା ସହ ୧୫୫ ରନ୍‌ରେ ବିଜୟୀ ହୋଇ ସହଜ ବିଜୟ ହାସଲ କରିଥିଲା ।

ଏବେ ଇଂଲଣ୍ଡ ବିପକ୍ଷରେ ସ୍ଥିର ପ୍ରଦର୍ଶନ ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ମିତାଲି ରାଜ ବାହିନୀ । ତେବେ ଗତ ସଂସ୍କରଣ ଫାଇନାଲ୍‌ରେ ଉଭୟ ଦଳ ପରସ୍ପରକୁ ଭେଟିଥିବା ବେଳେ ସେଥିରେ ଇଂଲଣ୍ଡ ବିଜୟୀ ହୋଇ ଚାମ୍ପିଅନ୍ ହୋଇଥିଲା । ତେବେ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିବା ଭାରତ ପାଖରେ ବୁଧବାର ମ୍ୟାଚ୍‌ରେ ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି । ଏହି ମ୍ୟାଚ୍ ସଂକ୍ରାନ୍ତରେ ଦଳର ଉପଅଧିନାୟିକା ତଥା ଗତ ମ୍ୟାଚ୍‌ର ଅନ୍ୟତମ ଶତକଧାରୀ ହରମନ୍‌ପ୍ରୀତ୍ କୌର୍ ଦଳର ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ବିଚାର କରି କେବଳ ଗତ ମ୍ୟାଚ୍‌ର ପ୍ରଦର୍ଶନକୁ ଦୋହରାଇବା ଉପରେ ଆମେ ଫୋକସ୍ କରୁଛୁ ବୋଲି କହିଛନ୍ତି । ଦଳରେ ସ୍ନେହ ରାଣା ଓ ପୂଜା ବସ୍ତ୍ରାକାରଙ୍କ ପରି ଅଲ୍‌ରାଉଣ୍ଡର୍ ସେମାନଙ୍କ ଦକ୍ଷତାନୁସାରେ ପ୍ରଦର୍ଶନ କରିପାରିଛନ୍ତି ।

ଏହି ଦୁଇ ଖେଳାଳିଙ୍କ ପାଖରେ ମ୍ୟାଚ୍‌ର ମୋଡ଼ ବଦଳାଇବା ଦେବା ଭଳି କ୍ଷମତା ରହିଛି । ସେହିପରି ଦଳର ବୋଲରମାନେ ମଧ୍ୟ ଆଶାନୁପାତ ପ୍ରଦର୍ଶନ କରିଛନ୍ତି । ପେସର୍ ମେଘନା ସିଂହ, ବସ୍ତ୍ରାକାର ଓ ଭେଟେରାନ୍ ଝୁଲନ୍ ଗୋସ୍ୱାମୀ ଅଦ୍ୟାବଧି ସଫଳ ରହିଛନ୍ତି । ତା’ଛଡ଼ା ସ୍ପିନର୍ ରାଜେଶ୍ୱରୀ ଗାଏକ୍ୱାଡ୍ ଓ ରାଣା ଯଥାକ୍ରମେ ୭ଟି ଓ ୫ଟି ୱିକେଟ୍ ନେଇ ଅନ୍ୟ ବୋଲରଙ୍କଠାରୁ ବେଶ୍ ଆଗରେ ରହିଛନ୍ତି । ଗତ ମ୍ୟାଚ୍‌ର ସଫଳତା ଦୋହରାଇପାରିଲେ, ଭାରତ ସେମିଫାଇନାଲ୍ ଆଡ଼କୁ ଗୋଟିଏ ପାଦ ବଢ଼ାଇବ । ଅନ୍ୟପକ୍ଷରେ ଇଂଲଣ୍ଡ ତା’ର ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟ ନେଇ ଟୁର୍ଣ୍ଣାମେଣ୍ଟ୍‌କୁ ଆସିଥିଲେ ହେଁ ଏବେ ଲିଗ୍ ପର୍ଯ୍ୟାୟରୁ ବିଦା ହେବା ପରିସ୍ଥିତିରେ ପହଞ୍ଚିଯାଇଛି । ତେଣୁ ଦଳକୁ ଭାରତ ବିପକ୍ଷ ମୁକାବିଲା ଜିତି ଲୟକୁ ଫେରିବାକୁ ପଡ଼ିବ । ଚଳିତ ସଂସ୍କରଣରେ ଦଳ ଶେଷ ମୁହୂର୍ତ୍ତରେ ଲଢ଼େଇ କରିପାରୁ ନ ଥିବାରୁ ତିନିଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି । ଦଳର ଖେଳାଳିମାନେ ଫିଲ୍‌ଡିଂରେ ପ୍ରତିପକ୍ଷକୁ ସହଜରେ ରନ୍ ଦେଇଦେଉଛନ୍ତି ।

ବିଗତ ମ୍ୟାଚ୍‌ଗୁଡ଼ିକରେ ଫିଲ୍‌ଡରମାନେ ଏକାଧିକ କ୍ୟାଚ୍ ହାତଛଡ଼ା କରିବା ସହ ୱିକେଟ୍‌କିପର୍ ଆମି ଜୋନ୍ସ ସଂଖ୍ୟାଧିକ ଷ୍ଟମ୍ପିଂ ସୁଯୋଗର ଫାଇଦା ନେଇପାରିନାହାନ୍ତି । ଅବଶ୍ୟ ଦଳର ତାରକା ଓପନର ଟାମି ବିଉମାଣ୍ଟ୍‌ଙ୍କ ସହୂ ସ୍ପିନର୍ ସୋଫି ଏକ୍ଲେଷ୍ଟୋନ୍ ଓ ଅଲ୍‌ରାଉଣ୍ଡର୍ ନାଟାଲି ସ୍କିଭର୍ ସେମାନଙ୍କ ଦକ୍ଷତାନୁସାରେ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଦଳ ପାଇଁ ମ୍ୟାଚ୍‌କୁ ସକାରାତ୍ମକ ଭାବେ ଶେଷ କରିବାର ଆବଶ୍ୟକତା ରହିଛି । ଉଭୟ ଦଳ ଅଦ୍ୟାବଧି ପରସ୍ପରକୁ ୧୦୩ଟି ମ୍ୟାଚ୍‌ରେ ଭେଟିଥିବା ବେଳେ ସେଥି ମଧ୍ୟରୁ ଭାରତ ୫୫ଟିରେ ଓ ଇଂଲଣ୍ଡ ୪୩ଟିରେ ବିଜୟୀ ହୋଇଛନ୍ତି । ଏହାଛଡ଼ା ୫ଟି ମ୍ୟାଚ୍ ବିନା ଫଳାଫଳ କିମ୍ବା ଟାଇରେ ଶେଷ ହୋଇଛି । ଏହାଛଡ଼ା ଉପରୋକ୍ତ ବିଜୟ ମଧ୍ୟରୁ ଭାରତ ୩୩ଟି ହୋମ୍ ଗ୍ରାଉଣ୍ଡ୍‌ରେ ଜିତିଥିବା ବେଳେ ଇଂଲଣ୍ଡକୁ ୨୨ଟି ମ୍ୟାଚ୍‌ରେ ଘରୋଇ ପରିବେଶର ଫାଇଦା ମିଳିଛି । ଏହାଛଡ଼ା ଇଂଲଣ୍ଡ ୪ଟି ଓ ଭାରତ ୬ଟି ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଜିତିପାରିଛନ୍ତି । ତେବେ ବିଶ୍ୱକପ୍‌ରେ ଇଂଲଣ୍ଡର ପଲା ଭାରୀ ରହିଛି । ଦଳ ୧୧ଟି ବିଶ୍ୱକପ୍ ମ୍ୟାଚ୍ ମଧ୍ୟରୁ ୭ଟିରେ ବିଜୟୀ ହୋଇଥିବା ବେଳେ ଅବଶିଷ୍ଟ ମ୍ୟାଚ୍‌ର ଫଳାଫଳ ଭାରତ ସପକ୍ଷରେ ଯାଇଛି ।

ଭାରତୀୟ ଦଳ: ମିତାଲି ରାଜ୍ (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ହରମନ୍‌ପ୍ରୀତ୍ କୌର୍‌, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକାର, ରିଚା ଘୋଷ (ୱିକେଟ୍‌କିପର୍‌), ତାନିୟା ଭାଟିଆ (ୱିକେଟ୍‌କିପର୍‌), ସ୍ନେହ ରାଣା, ମେଘନା ସିଂହ, ରାଜେଶ୍ୱରୀ ଗାଏକ୍ୱାଡ୍‌, ପୂନମ୍ ଯାଦବ, ଝୁଲନ୍ ଗୋସ୍ୱାମୀ ଓ ରେଣୁକା ସିଂହ ।

ଇଂଲଣ୍ଡ ଦଳ: ହିଦର୍ ନାଇଟ୍ (ଅଧିନାୟିକା), ଟାମି ବିଉମାଣ୍ଟ୍‌, କାଥେରିନ୍ ବ୍ରଣ୍ଟ୍‌, ଫେୟା ଡେଭିଜ୍‌, ଚାର୍ଲି ଡିନ୍‌, ସୋଫିଆ ଡଙ୍କଲି, କେଟ୍ କ୍ରସ୍‌, ସୋପି ଏକ୍ଲେଷ୍ଟୋନ୍‌, ଟାସ୍ ଫାରାଣ୍ଟ, ଆମି ଜୋନ୍ସ (ୱିକେଟ୍‌କିପର୍‌), ଏମା ଲ୍ୟାମ୍ପ, ନାଟାଲି ସ୍କିଭର୍‌, ଆନ୍ୟା ସ୍ରୁବସୋଲେ, ଲୌରେନ୍ ୱିନ୍‌ଫିଲ୍‌ଡ-ହିଲ୍ ଓ ଡାନି ୱାଟ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking