29.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍ : ସାଉଥ୍ ଆଫ୍ରିକାର ହ୍ୟାଟ୍ରିକ୍‌, ବାଂଲାର ରେକର୍ଡ

ମହିଳା ବିଶ୍ୱକପ୍ : ସାଉଥ୍ ଆଫ୍ରିକାର ହ୍ୟାଟ୍ରିକ୍‌, ବାଂଲାର ରେକର୍ଡ

ମାଉଣ୍ଟ୍ ମାଉଙ୍ଗାନୁଇ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ସାଉଥ୍ ଆଫ୍ରିକା ସୋମବାର ତା’ର ହ୍ୟାଟ୍ରିକ୍ ବିଜୟ ଅର୍ଜନ କରିଥିବା ବେଳେ ବାଂଲାଦେଶ ପାକିସ୍ତାନ ବିପକ୍ଷରେ ରେକର୍ଡ ବିଜୟ ହାସଲ କରିଛି । ଗୋଟିଏ ପଟେ ସାଉଥ୍ ଆଫ୍ରିକା ପ୍ରତିପକ୍ଷ ଇଂଲଣ୍ଡକୁ ୩ ୱିକେଟ୍‌ରେ ହରାଇଥିବା ବେଳେ ଅନ୍ୟପଟରେ ବାଂଲାଦେଶ ପାକିସ୍ତାନ ବିପକ୍ଷରେ ୯ ରନ୍‌ରେ ବିଜୟୀ ହୋଇଛି । ଏଥିସହ ୬ ପଏଣ୍ଟ୍ ପାଇ ସାଉଥ୍ ଆଫ୍ରିକା ଟେବଲ୍‌ରେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଏହାଛଡ଼ା ବାଂଲାଦେଶ ମଧ୍ୟ ପ୍ରଥମ ବିଜୟ ସହ ଟେବଲ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ଉପରେ ଷଷ୍ଠ ସ୍ଥାନରେ ପହଞ୍ଚିଛି । ସାଉଥ୍ ଆଫ୍ରିକା ପକ୍ଷରୁ ମାରିଜେନ୍ କାପ୍ ଅଲ୍‌ରାଉଣ୍ଡ୍ ସଫଳତା ସକାଶେ ଓ ବାଂଲାଦେଶର ଡାହାଣହାତୀ ଲେଗ୍ ସ୍ପିନର୍ ଫାହିମା ଖାତୁନ୍ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଦିନର ପ୍ରଥମ ମ୍ୟାଚ୍‌ରେ ଟସ୍ ହାରିବା ପରେ ପାକିସ୍ତାନ ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବାଂଲାଦେଶ ୭ ୱିକେଟ୍ ବିନିମୟରେ ୨୩୪ ରନ୍ କରିଥିଲା । ଦଳ ପକ୍ଷରୁ ଫର୍ଜାନା ହକ୍ ୫ଟି ଚୌକା ସହ ସର୍ବାଧିକ ୭୧ ରନ୍ କରିଥିବା ବେଳେ ଅଧିନାୟିକା ନିଗାର୍ ସୁଲତାନା ୪୬ ଏବଂ ଶର୍ମିନ୍ ଅଖ୍‌ତର ୬ଟି ଚୌକା ସହ ୪୪ ରନ୍‌ର ଯୋଗଦାନ ଦେଇଥିଲେ । ପ୍ରତିପକ୍ଷ ପାକିସ୍ତାନ ପକ୍ଷରୁ ନାଶ୍ରା ସାନ୍ଧୁ ସର୍ବାଧିକ ୩ଟି ଏବଂ ଫାତିମା ସାନା, ନିଦା ଦର୍ ଓ ଓମୈମା ସୋହେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ପାକିସ୍ତାନ ବ୍ୟାଟିଂରେ ୯ ୱିକେଟ୍ ହରାଇ ୨୨୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଓପନର ସିଦ୍ରା ଆମୀନ୍ ୧୦୪ ରନ୍‌ର ବଳିଷ୍ଠ ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କେହି ବିଶେଷ ସହଯୋଗ ନ ଦେବାରୁ ଦଳକୁ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିବାକୁ ପଡ଼ିଛି । ଦୁଇ ଓପନର ସିଦ୍ରା ଓ ନାହିଦା ଖାନ୍ ପ୍ରଥମ ୱିକେଟ୍‌ରେ ୯୧ ରନ୍ ଯୋଡ଼ିଥିଲେ । ୩ଟି ଚୌକା ସହ ୪୩ ରନ୍‌ରେ ନାହିଦା ବିଦା ହେବା ପରେ ଆମୀନ୍ ଓ ଅଧିନାୟିକା ବିସମାହ ମାରୁଫ୍‌ଙ୍କ ମଧ୍ୟରେ ୬୪ ରନ୍‌ର ଭାଗୀଦାରୀ ହୋଇଥିଲା । କିନ୍ତୁ ଦଳ କ୍ରମାଗତ ଭାବେ ୱିକେଟ୍ ହରାଇଚାଲିବା ଫଳରେ ବାଂଲାଦେଶ ୫ଟି ମୁକାବିଲା ମଧ୍ୟରୁ ପାକିସ୍ତାନ ବିପକ୍ଷରେ ତା’ର ଚତୁର୍ଥ ବିଜୟ ହାସଲ କରିଥିଲା । ଦଳର ଶେଷ ୮ ଜଣ ବ୍ୟାଟ୍ସଓମ୍ୟାନ୍‌ଙ୍କ ମଧ୍ୟରୁ କେବଳ ଓମୈମା (୧୦) ଓ ଡାଏନା ବେଗ୍ (୧୨) ଦୁଇ ଅଙ୍କରେ ପହଞ୍ଚିଥିଲେ । ଏହା ପୂର୍ବରୁ ଆମୀନ୍ ୮ଟି ଚୌକା ସହ ୧୦୪ ରନ୍ କରିବା ସହ ଦିନିକିଆରେ ତାଙ୍କର ପ୍ରଥମ ଶତକ ଅର୍ଜନ କରିଥିଲେ । ଏହାଛଡ଼ା ମାରୁଫ୍ ୨ଟି ଚୌକା ସହ ୩୧ ରନ୍‌ର ଅବଦାନ ଦେଇଥିଲେ । ବାଂଲାଦେଶ ପକ୍ଷରୁ ଫାହିମାଙ୍କ ବ୍ୟତୀତ ରୁମାନା ଅହମ୍ମଦ ୨ଟି ଏବଂ ଜାହାନାରା ଆଲମ୍ ଓ ସଲମା ଖାତୁନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସେହିପରି ପ୍ରଥମେ ବ୍ୟାଟିଂ ପାଇଥିବା ଇଂଲଣ୍ଡ ୯ ୱିକେଟ୍ ବିନିମୟରେ ୨୩୫ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଟାମି ବିଉମଣ୍ଟ୍ ୬ଟି ଚୌକା ମାଧ୍ୟମରେ ୬୨ ରନ୍ କରିଥିଲେ । ଏହାଛଡ଼ା ଆମି ଜୋନ୍ସ ମଧ୍ୟ ୫ଟି ଚୌକା ଜରିଆରେ ୫୩ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସଓମ୍ୟାନ୍‌ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୧୦୭ ରନ୍‌ର ବଳିଷ୍ଠ ଭାଗୀଦାରୀ ହୋଇଥିଲା । କିନ୍ତୁ ଶେଷ ଭାଗରେ ଇଂଲଣ୍ଡର ବ୍ୟାଟ୍ସଓମ୍ୟାନ୍‌ମାନେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ କାପ୍ ୪୫ ରନ୍‌ରେ ୫ଟି ୱିକେଟ୍ ନେଇଥିବା ବେଳେ ମସାବାଟା କ୍ଲାସ୍ ୨ଟି ଓ ଆୟାବୋଙ୍ଗା ଖାକା ଗୋଟିଏ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ପାଇଁ ଓପନର ଲୌରା ଉଲଭାର୍ଟ ୮ଟି ଚୌକା ସହ ସର୍ବାଧିକ ୭୭ ରନ୍ କରିଥିବା ବେଳେ ଅଧିନାୟିକା ସୁନ୍ ଲୁସ୍ ୪ଟି ଚୌକା ସହାୟତାରେ ୩୬ ଏବଂ କାପ୍ ୩ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୨ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ଦଳ ୪୯.୨ ଓଭର୍‌ରେ ୭ଟି ୱିକେଟ୍ ହରାଇ ୨୩୬ ରନ୍ କରି ବିଜୟୀ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଆନ୍ୟା ଶ୍ରୁବସୋଲେ ୨ଟି ଏବଂ କେଟ୍ କ୍ରସ୍‌, ସୋଫି ଏକ୍ଲେଷ୍ଟୋନ୍‌, ନାତାଲି ସ୍କିଭର୍ ଓ ଚାର୍ଲଟ୍ ଡିନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ପ୍ରତିଯୋଗିତାରେ ମଙ୍ଗଳବାର ପରବର୍ତ୍ତୀ ମୁକାବିଲା ୱେଲିଂଟନ୍‌ଠାରେ ଅଷ୍ଟ୍ରେଲିଆ ଓ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking