30.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌: ଭାରତର ଦ୍ୱିତୀୟ ପରାଜୟ, ଇଂଲଣ୍ଡ ୪ ୱିକେଟ୍‌ରେ ବିଜୟୀ

ମହିଳା ବିଶ୍ୱକପ୍‌: ଭାରତର ଦ୍ୱିତୀୟ ପରାଜୟ, ଇଂଲଣ୍ଡ ୪ ୱିକେଟ୍‌ରେ ବିଜୟୀ

ମାଉଣ୍ଟ ମାଙ୍ଗନୁଇ: ଚଳିତ ଆଇସିସିବି ମହିଳା ବିଶ୍ୱକପ୍‌ରେ ବୁଧବାର ଖେଳାଯାଇଥିବା ଏକ ଲିଗ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ୪ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି । ମ୍ୟାଚ୍‌ରେ ଭାରତର ବ୍ୟାଟିଂ ନୈରାଶ୍ୟଜନକ ପ୍ରଦର୍ଶନ ଫଳରେ ଟିମ୍ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଜବାବରେ ଇଂଲଣ୍ଡ ମହିଳା ଟିମ୍ ୩୧.୨ ଓଭରରେ ୬ ୱିକେଟ୍ ହରାଇ ୧୩୬ ରନ୍ କରି ନେଇଥିଲା । ଏହା ଟୁର୍ଣ୍ଣାମେଣ୍ଟ୍‌ରେ ଇଂଲଣ୍ଡର ପ୍ରଥମ ବିଜୟ । ପୂର୍ବରୁ ଟିମ୍ ଲଗାତାର ତିନିଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଭାରତ ପକ୍ଷରୁ ଗତ ମ୍ୟାଚ୍‌ର ଶତକ ହାସଲକାରୀ ସ୍ମୃତି ମନ୍ଧାନା ସର୍ବାଧିକ ୩୫ ରନ୍ କରିଥିବା ବେଳେ ୱିକେଟ୍‌କିପର୍ ରିଚା ଘୋଷ ୩୩ ରନ୍‌ର ଇନିଂସ୍ ଖେଳିଥିଲେ । ଭାରତ ନିୟମିତ ଅନ୍ତରାଳରେ ୱିକେଟ୍ ହରାଇବା ସହ ପୂରା ଟିମ୍ ୩୬.୨ ଓଭର୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଚାର୍ଲୋଟ୍ ଡିନ୍ ୨୩ ରନ୍‌ରେ ୪ଟି ଏବଂ ଆନ୍ୟା ଶୁବ୍ରାସୋଲ୍ ୨୦ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଏହା ସହିତ ସେ ଦିନିକିଆରେ ୧୦୦ତମ ୱିକେଟ୍ ପୂରଣ କରିଥିଲେ । ଚାର୍ଲୋଟ୍ ଡିନ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡର ଆରମ୍ଭ ମଧ୍ୟ ଖରାପ ଥିଲା ।

ଟିମ୍ ୩ ଓଭର୍‌ରେ ଦୁଇ ଓପ୍ନର୍ ଡାନିଏଲ୍ ୱାଟ୍ (୧) ଓ ଟାମି ବିଉମଣ୍ଟ୍ (୧)ଙ୍କ ୱିକେଟ୍ ହରାଇଥିଲା । ତେବେ କ୍ୟାପ୍‌ଟେନ୍ ହିଥର ନାଇଟ୍‌ଙ୍କ ୭୨ ବଲ୍‌ରେ ଅପରାଜିତ ୫୩ ରନ୍‌ର ଇନିଂସ୍ ବଳରେ ଟିମ୍ ୩୧.୨ ଓଭର୍‌ରେ ୬ ୱିକେଟ୍ ବିନିମୟରେ ୧୩୬ ରନ୍ କରି ବଜୟୀ ହୋଇଥିଲା । ଭାରତ ପକ୍ଷରୁ ଫାଷ୍ଟ ବୋଲର୍ ମେଘନା ସିଂହ ୨୬ ରନ୍ ଦେଇ ତିନିଟି ୱିକେଟ୍ ଅକ୍ତିଆର କରିଥିଲେ । ଦ୍ୱିତୀୟ ଓଭର୍‌ରେ ସେ ସ୍ନେହ ରାଣାଙ୍କ ହାତରେ ୱାଟ୍‌ଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ । ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ସବୁଠୁ ସଫଳ ବୋଲର୍ ଝୁଲନ୍ ଗୋସ୍ୱାମୀ ଏହାପରେ ବ୍ୟୁମଣ୍ଟ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ । ମାତ୍ର ଅମ୍ପାୟାର୍ ଆଉଟ୍ ଦେଇନଥିଲେ । କିନ୍ତୁ ଡିଆର୍‌ଏସ୍ ନେବାପରେ ନିଷ୍ପତ୍ତି ଭାରତ ପକ୍ଷରେ ଆସିଥିଲା । ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହା ଗୋସ୍ୱାମୀଙ୍କ ୨୫୦ତମ ୱିକେଟ୍ ଥିଲା । ବ୍ୟୁମଣ୍ଟ୍‌ଙ୍କ ଆଉଟ୍ ପରେ ନାଇଟ୍ ଓ ନାଟ୍ ସ୍କିଭର୍ (୪୬ ବଲ୍‌ରେ ୪୫ ରନ୍‌) ଇନିଂସ୍ ସମ୍ଭାଳି ତୃତୀୟ ୱିକେଟ୍ ପାଇଁ ୬୫ ରନ୍ ଯୋଡ଼ିଥିଲେ । ନାଇଟ୍ ଗୋଟିଏ ପଟ ସମ୍ଭାଳିଥିବା ବେଳେ ସ୍କିଭର୍ ଆକ୍ରାମଣାତ୍ମକ ବ୍ୟାଟିଂ କରି ଆଠ ଚୌକା ମାରିଥିଲେ । ତେବେ ଝୁଲନ୍ ଗୋସ୍ୱାମୀଙ୍କ ହାତରେ ସ୍କିଭର୍‌ଙ୍କୁ କ୍ୟାଚ୍ କରାଇ ପୂଜା ବସ୍ତ୍ରାକାର ଏହି ଯୋଡ଼ି ଭାଙ୍ଗିଥିଲେ । ଏମି ଜୋନ୍ସ(୧୦)ଙ୍କ ସହ ୩୩ ରନ୍ ଯୋଡ଼ି ନାଇଟ୍ ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ ।

ରାଜେଶ୍ୱରୀ ଗାଏକ୍‌ୱାଡ୍‌ଙ୍କ ବଲ୍‌ରେ ଏକ ଆକର୍ଷଣୀୟ କ୍ୟାଚ୍ ଧରି ହରମନ୍‌ପ୍ରୀତ୍ କୌର୍ ଜୋନ୍ସଙ୍କୁ ପ୍ୟାଭିଲିଅନ୍ ଫେରାଇଥିଲେ । ଏହି ସମୟରେ ଇଂଲଣ୍ଡକୁ ବିଜୟ ପାଇଁ ମାତ୍ର ୩୨ ରନ୍ ଆବଶ୍ୟକ ଥିବାବେଳେ ମେଘନା ତିନିଟି ବଲ୍ ମଧ୍ୟରେ ସୋଫିଆ ଡଙ୍କଲେ (୧୭) ଓ କାଥେରିନ୍ ବ୍ରଣ୍ଟ୍‌(୦)ଙ୍କୁ ୱିକେଟ୍‌କିପର୍ ରିଚାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ମାତ୍ର ସୋଫି ଏକ୍ଲେଷ୍ଟୋନ୍ (୫³)ଙ୍କ ସହ ମିଶି ନାଇଟ୍ ଟିମ୍‌କୁ ବିଜୟୀ କରାଇଥିଲେ । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ନିଜର ସର୍ବୋଚ୍ଚ ସ୍କୋର୍ ୮ ୱିକେଟ୍ ୩୧୭ ରନ୍ କରିଥିବା ଭାରତ ଇଂଲଣ୍ଡର ଧାରଦାର ବୋଲିଂ ଆଗରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ତିନିଟି ମ୍ୟାଚ୍ ହାରିଥିବା ଇଂଲଣ୍ଡ ପାଇଁ ଏହା କର ବା ମର ମୁକାବିଲା ଥିବାବେଳେ ଟିମ୍ ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ବିଜୟ ହାସଲ କରିଛି । ଏହି ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବଲ୍‌ର ତୃତୀୟ ସ୍ଥାନରେ ରହିଛି । ଭାରତର ୪ଟି ମ୍ୟାଚ୍‌ରୁ ଦୁଇଟି ବିଜୟ ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ୍ ହୋଇଛି । ଅନ୍ୟପକ୍ଷରେ ଚାରିଟି ମ୍ୟାଚ୍‌ରୁ ୨ ପଏଣ୍ଟ ପାଇ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଛି । ଗୁରୁବାର ଟୁର୍ଣ୍ଣାମେଣ୍ଟ୍‌ର ପରବର୍ତ୍ତୀ ମ୍ୟାଚ୍ ଆୟୋଜକ ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ହାମିଲ୍‌ଟନ୍‌ର ସେଡନ୍ ପାର୍କରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking