28.1 C
Bhubaneswar
Thursday, May 2, 2024
Homeଖେଳମହିଳା ବିଶ୍ୱକପ୍ ହକି: ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌

ମହିଳା ବିଶ୍ୱକପ୍ ହକି: ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌

ଆମଷ୍ଟେଲ୍‌ଭିନ୍‌: ନେଦରଲ୍ୟାଣ୍ଡ୍‌ସ ଓ ସ୍ପେନ୍‌ରେ ମିଳିତ ଭାବେ ଆୟୋଜିତ ହେଉଥିବା ମହିଳା ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ୍‌ରେ ରବିବାର ଭାରତ ସହ ଇଂଲଣ୍ଡର ମୁକାବିଲା ହେବ । ପୁଲ୍‌-ବି’ର ଏହି ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ରେ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଭାରତ । ଗତବର୍ଷ ଟୋକିଓରେ ଇଂଲଣ୍ଡଠାରୁ ପରାସ୍ତ ହେବା ଫଳରେ ଭାରତର ଐତିହାସିକ ବ୍ରୋଞ୍ଜ୍ ପଦକ ଆଶା ଧୂଳିସାତ୍ ହୋଇଯାଇଥିଲା । ଦଳ ଏହି ମ୍ୟାଚ୍‌ରେ ୩-୪ରେ ପରାସ୍ତ ହୋଇଥିଲା । ତେବେ ବିଶ୍ୱକପ୍‌ରେ ଭାରତ ସକାରାତ୍ମକ ମନୋଭାବ ନେଇ ତା’ର ପ୍ରଥମ ମୁକାବିଲାକୁ ଓହ୍ଲାଇବ ।

କାରଣ ଦଳ ନିକଟରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ତା’ର ଡେବ୍ୟୁ ସିଜନ୍‌ରେ ବ୍ରୋଞ୍ଜ୍ ପଦକ ହାସଲ କରିଛି । ଅବଶ୍ୟ ବିଗତ ବିଶ୍ୱକପ୍ ସଂସ୍କରଣଗୁଡ଼ିକରେ ଭାରତର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହିନାହିଁ । ଦଳ ୧୯୭୪ରେ ଉଦ୍‌ଘାଟନୀ ସଂସ୍କରଣରେ ଚତୁର୍ଥ ସ୍ଥାନରେ ରହିଥିଲା, ଯାହାକି ଅଦ୍ୟାବଧି ଶ୍ରେଷ୍ଠ ପ୍ରଦର୍ଶନ ରହିଛି । କିନ୍ତୁ ଗତ ଟୋକିଓ ଅଲିମ୍ପିକ୍ସ ପରଠାରୁ ଦଳ କ୍ରମାଗତ ଭାବେ ଉନ୍ନତି କରିଚାଲିଥିବାରୁ ଚଳିତ ବିଶ୍ୱକପ୍‌ରେ ଏହା ଶ୍ରେଷ୍ଠ ପ୍ରଦର୍ଶନ କରିବାର ଆଶା ରହିଛି । ଗତ ମେ’ରେ ଭାରତୀୟ ଟିମ୍ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ପ୍ରଥମ ଥର ପାଇଁ ଷଷ୍ଠ ସ୍ଥାନରେ ରହିଥିଲା ।

ତା’ଛଡ଼ା ଗତ ପ୍ରୋ ଲିଗ୍‌ରେ ମଧ୍ୟ ଏହା ବିଶ୍ୱର ପ୍ରମୁଖ ଦଳଗୁଡ଼ିକୁ କଡ଼ା ଚାଲେଞ୍ଜ୍ ଦେବାରେ ସକ୍ଷମ ହୋଇଛି । ଏହାର ଫଳସ୍ୱରୂପ ଦଳ ବେଲଜିୟମ୍‌, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରି ଶକ୍ତିଶାଳୀ ଦଳକୁ ପଛରେ ପକାଇ ବ୍ରୋଞ୍ଜ୍ ପଦକ ଜିତିପାରିଛି । ରାନୀ ରାମପାଲଙ୍କ ସ୍ଥାନରେ ଅଭିଜ୍ଞ ଗୋଲକିପର୍ ସବିତା ପୁନିଆ ଅଧିନାୟିକା ଭୂମିକାରେ ବେଶ୍ ସଫଳ ରହିଆସିଛନ୍ତି । ଦଳରେ ବିଚୁ ଦେବୀ ଖରିବାମ୍ ବ୍ୟାକ୍‌ଅପ୍ ଗୋଲକିପର୍ ଭାବେ ରହିଥିବା ବେଳେ ଉପଅଧିନାୟିକା ଦୀପ୍‌ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍‌, ଉଦିତା ଓ ନିକ୍କି ପ୍ରଧାନ ବ୍ୟାକ୍‌ଲାଇନ୍ ସମ୍ଭାଳିବେ ।

ସେହିପରି ସୁଶୀଲା ଚାନୁ, ନେହା ଗୋୟଲ୍‌, ନବଜୋତ୍ କୌର୍‌, ସୋନିକା, ଜ୍ୟୋତି, ନିଶା ଓ ମୋନିକାଙ୍କ ପାଖରେ ଆକ୍ରମଣ ଦାୟିତ୍ୱ ଥିବା ବେଳେ ବନ୍ଦନା କଟାରିୟା, ଲାଲ୍‌ରେମସିଆମି, ନବନୀତ୍ କୌର୍ ଓ ଶର୍ମିଲା ଦେବୀ ଗୋଲ୍ କରିବା ଦାୟିତ୍ୱ ନ୍ୟସ୍ତ ରହିବ । ଅବଶ୍ୟ ଅଭିଜ୍ଞ ରାନୀଙ୍କ ଅନୁପସ୍ଥିତି ଦଳରେ ଅନୁଭୂତ ହେବ । ବିଶ୍ୱକପ୍‌ର ଗତ ୨୦୧୮ ସଂସ୍କରଣରେ ଦଳ ଅଷ୍ଟମ ସ୍ଥାନରେ ରହିଥିଲା । ଅନ୍ୟପକ୍ଷରେ ବିଶ୍ୱକପ୍ ଇତିହାସରେ ଗତ ୨୦୧୦ରେ ଆର୍ଜେଣ୍ଟିନାର ରୋସାରିଓଠାରେ ଅନୁଷ୍ଠିତ ସଂସ୍କରଣରେ ବ୍ରୋଞ୍ଜ୍ ପଦକ ଜିତିବା ଇଂଲଣ୍ଡର ଶ୍ରେଷ୍ଠ ପ୍ରଦର୍ଶନ । ଏହା ବାଦ୍ ଦଳ ଗତ ୧୯୯୦ ସିଡ୍‌ନୀ ସଂସ୍କରଣରେ ଚତୁର୍ଥ ସ୍ଥାନରେ ରହିଥିଲା । ସେହିପରି ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗ୍ ଭିତ୍ତିରେ ଉଭୟ ଦଳ ମଧ୍ୟରେ ବିଶେଷ କିଛି ଫରକ୍ କରିବା କଷ୍ଟକର । କାରଣ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ଥିବା ବେଳେ ଭାରତ ଷଷ୍ଠ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking