ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଉତ୍ୟକ୍ତ ପିତା ନିଜ ୪ ପୁଅ ସହ ମିଶି ନିଜ ନାବାଳିକା କନ୍ୟାର ପ୍ରେମିକର ଘରକୁ ପଶି ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିବା ଫଳରେ ପ୍ରେମିକର ମାଁ ଦରଥିଆ କୁଲୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ପ୍ରୀତମ କୁଲୁଙ୍କୁ ସଂକଟାପନ୍ନ ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ନରେନ୍ଦ୍ର ଶବରଙ୍କ ଝିଅ ସହ ଉକ୍ତ ଗ୍ରାମର ପ୍ରୀତମ କୁଲୁଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏହାକୁ ନରେନ୍ଦ୍ର ଏବଂ ତାଙ୍କ ପୁଅ ମାନେ ବିରୋଧ କରୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଉଭୟ ପ୍ରେମୀ ଯୁଗଳଙ୍କୁ ନରେନ୍ଦ୍ର ଦେଖିପାରି ଉତ୍ତେଜିତ ହୋଇପଡିଥିଲେ । ବିଳମ୍ବିତ ରାତ୍ରୀରେ ଅଭିଯୁକ୍ତ ନରେନ୍ଦ୍ର ଓ ତାଙ୍କ ୪ ପୁଅ ସନ୍ତୋଷ, ସୁଦର୍ଶନ,ଧରଣୀ ଓ ଶିବ ମିଳିତ ଭାବେ ପ୍ରେମିକ ପ୍ରୀତମଙ୍କ ଘରକୁ ପଶି ପ୍ରୀତମକୁ ଟାଣି ଆଣି ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରୁଥିଲେ । ଏହା ଦେଖି ପ୍ରୀତମ ଙ୍କ ମାଁ ଦରଥିଆ କୁଲୁ ପୁଅକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତମାନେ ମିଳିତ ଭାବେ ତାଙ୍କୁ ଟାଙ୍ଗିଆ ସାହାଯ୍ୟରେ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ଦରଥିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ପ୍ରୀତମ ଗୁରୁତର ଅବସ୍ଥାରେ ସଂଜ୍ଞାହୀନ ହୋଇପଡିଥିଲେ । ମା ଓ ପୁଅ ଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରି ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘରେ ଲୁଚି ରହି ଏହି ବର୍ବର କାଣ୍ଡକୁ ଆଖିରେ ଦେଖୁଥିବା ପ୍ରୀତମ ବଡ ଭଉଣୀ ପ୍ରୀୟା ଅନ୍ୟ ସମ୍ପର୍କୀୟ ମାନଙ୍କୁ ସୂଚନା ଦେବାରୁ ପାଖ ପଡିଶା ସହ ସମ୍ପକୀୟାମାନେ ଉଭୟ ପ୍ରୀତମ ଓ ତାଙ୍କ ମା ଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଦେବଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ପ୍ରୀତମଙ୍କ ମା’ଦରଥିଆଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରୀତମକୁ ଅଧିକ ଚିକତ୍ସା ନିମନ୍ତେ ବୁର୍ଲାକୁ ସ୍ଥାନାନ୍ତରିତ କରାଇଥିଲେ । ସେହିପରି ସୂଚନା ପାଇ ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିବା ସହ ଅଭିଯୁକ୍ତ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ଘଟଣା ପରଠାରୁ ପ୍ରେମିକାର କୌଣସି ଖୋଜ ଖବର ମିଳୁନଥିବାରୁ ପୁଲିସ ଏ ଦିଗରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।