ଭୁବନେଶ୍ଵର: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆମାନଙ୍କର ଏକ ବଡ଼ ପର୍ବ । ଗାଁ ରୁ ସହର ସବୁଆଡେ ସେଦିନ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଯେକୌଣସି ନଦୀ ଓ ଜଳାଶୟରେ ଲୋକେ ଡଙ୍ଗା ଭସାଇ ଐତିହ୍ୟର କଥାକୁ ମନେ ପକାଇଥାନ୍ତି । ହିନ୍ଦୁ ରୀତିନୀତି ଏବଂ ଇତିହାସ ଅନୁଯାୟୀ, ଏହି ଦିନ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ବୋଇତରେ ଯାତ୍ରା କରିଥିଲେ । ଏହି ପରମ୍ପରାକୁ ମନେ ରଖିବା ନିମନ୍ତେ ପ୍ରତିବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ ।
ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ଅବସରରେ ଗାଇଥାନ୍ତି ‘ଆ – କା – ମା – ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର, ମାସକ ଧରମ ମୋର।’ ତେବେ ଏହି ଆ – କା – ମା – ବୈର ଅର୍ଥ ହେଉଛି – ଆ – ଆଷାଢ଼, କା – କାର୍ତ୍ତିକ, ମା – ମାଘ, ବୈ – ବୈଶାଖ । ଏହି ଚାରିମାସ ଓଡ଼ିଆଙ୍କ ପାଇଁ ସବୁଠୁ ଧର୍ମ ମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ ।
ପୌରାଣିକ କଥା ଅନୁସାରେ, ତ୍ରିପୁରାସୁର ନାମକ ଏକ ରାକ୍ଷସ ପ୍ରୟାଗରେ ବହୁତ ଦିନ ଧରି ତପସ୍ୟା କରିଥିଲା । ତା ତପସ୍ୟା ତେଜରେ ତିନି ଲୋକ ଜଳିବାକୁ ଲାଗିଲା । ଏହାପରେ ବ୍ରହ୍ମା ତା ସମ୍ମୁଖରେ ପ୍ରକଟ ହୋଇ ବରଦାନ ମାଗିବାକୁ କହିଥିଲେ। ତ୍ରିପୁରାସୁର ତାକୁ କୌଣସି ଦେବୀ, ଦେବତା, ସ୍ତ୍ରୀ, ପୁରୁଷ, ପଶୁ, ପକ୍ଷୀ କେହି ବି ଯେପରି ନ ମାରି ପାରିବେ ସେହି ବରଦାନ ମାଗିଥିଲା ।
ବ୍ରହ୍ମା ତାଙ୍କୁ ଏହି ବରଦାନ ଦେବା ପରେ ତ୍ରିପୁରାସୁର ସ୍ଵର୍ଗ, ନର୍କ, ପାତାଳ ସବୁ ଉପରେ ଅତ୍ୟାଚାର କରିବାକୁ ଲାଗିଲା । ତ୍ରିପୁରାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ତ୍ରିପୁରାସୁରର ଅନ୍ତ କରିବାର ଉପାୟ ପଚାରିଲେ । ବ୍ରହ୍ମା ଦେବତାଙ୍କୁ ଶିବଙ୍କ ପାଖକୁ ପଠାଇଲେ । ଏହାପରେ ସବୁ ଦେବତା ଭଗବାନ ଶିବଙ୍କ ପାଖକୁ ଯାଇ ତ୍ରିପୁରାସୁରର ବଧ କରିବାକୁ ପ୍ରାର୍ଥନା କଲେ । ଏହାପରେ ମହାଦେବ ତ୍ରିପୁରାସୁରର ବଧ କରିଥିଲେ । ସେଥିପାଇଁ ଅନେକ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।