ଭୁବନେଶ୍ୱର: ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି । ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ।
ଅନ୍ୟପକ୍ଷରେ ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ଗୁନା, ସାଗର, ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ବର୍ତ୍ତମାନର ସ୍ଥିତିରେ ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଆସନ୍ତା ଦୁଇ ଦିନ ମଧ୍ୟରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ବଜ୍ରପାତ ସମୟରେ ସୁରକ୍ଷିତ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।
ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ମଙ୍ଗଳବାର ଅପରାହ୍ନ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ଓଡ଼ିଶାର ବାକି ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।ଏହି ସମୟ ମଧ୍ୟରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି ।