ଭୁବନେଶ୍ୱର: ଏବର୍ଷ ଆଗୁଆ ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୭ରେ କେରଳରେ ମୌସୁମୀ ପହଞ୍ଚିବ । ସାଧାରଣତଃ କେରଳ ଛୁଇଁବାର ୧୫ ଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିଥାଏ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଆକଳନକୁ ଯଦି ଧରାଯାଏ, ତାହେଲେ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ । ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୫ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସାଧାରଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ । ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ ।
ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିପାରେ । ୨୦୦୫ରୁ ୨୦୨୧ ଅର୍ଥାତ ୧୭ ବର୍ଷ ମଧ୍ୟରେ ୨୦୧୫କୁ ଛାଡ଼ିଦେଲେ ଆଇଏମଡି ଆକଳନ ପ୍ରାୟ ସଠିକ୍ ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦୧୭ରେ ମେ’ ୩୦, ୨୦୧୮ରେ ମେ’ ୨୯, ୨୦୧୯ରେ ଜୁନ ୮, ୨୦୨୦ରେ ଜୁନ୍ ୧ ଏବଂ ୨୦୨୧ରେ ଜୁନ୍ ୩ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଗତ ଏପ୍ରିଲ ୧୪ରେ ଏ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଥିଲା । ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ । ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତରପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ ।
ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର ପଶ୍ଚିମର କିଛି ଅଂଶ ଓ ଦକ୍ଷିଣପୂର୍ବ ଭାଗରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦୀର୍ଘ ମିଆଦି ସମୟ(ଏଲପିଏ)ରେ ୯୯% ବର୍ଷା ହେବାର ସମ୍ଭାବନା ରହିଛି । ଏହାର ୫% କମ୍ କିମ୍ବା ବେଶୀ ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ । ସେହିପରି କିଛି ଦିନରେ ବିରତି ପରେ ପୁଣି ତାତି ବଢ଼ିବ । ବାତ୍ୟା ପ୍ରଭାବରେ ଉପାନ୍ତରୁ ଉପକୁଳ ସବୁଠି ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିଲା । ଆସନ୍ତା ୨ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ୧୫ ତାରିଖ ବେଳକୁ ସ୍ୱାଭାବିକ ଠାରୁ ଉପରମୁହାଁ ହେବ ପାରଦ । ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସହରରେ ୪୦ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ମଧ୍ୟ ରହିଛି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ବା କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।