ଭୁବନେଶ୍ୱର: ଆଜି ଛାତ୍ର ସଂସଦ ନିର୍ବାଚନ । ୭ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରି ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତବର୍ଷ ୧୨ଟି ବିଶ୍ଵବିଦ୍ୟାଳୟ ସମେତ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ । ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହେବାକୁ ଥିବାରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସ୍ବତନ୍ତ୍ର ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହିଛନ୍ତି । ଅଣଛାତ୍ରଙ୍କ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କେବଳ ବୈଧ ପରିଚୟପତ୍ର ଥିବା ଛାତ୍ରଛାତ୍ରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ହିଁ କ୍ୟାମ୍ପସ୍ରେ ପ୍ରବେଶ ପାଇଁ ଅନୁମତି ମିଳିବ । ପ୍ରତି ଶ୍ରେଣୀ, ବିଭାଗ ପାଇଁ ଅଲଗା ଅଲଗା ବୁଥ୍ କରାଯିବ। ଭୋଟ ଗଣନା ଆରମ୍ଭ ପୂର୍ବରୁ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ବୁଥରେ ଉପସ୍ଥିତ ରହିବେ ।










