27.1 C
Bhubaneswar
Wednesday, October 14, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନରେ ହିଂସା ଓ ରାଜନୈତିକ ହସ୍ତକ୍ଷେପ ଅଭିଯୋଗ; ଅବାଧ ଓ ନିରପେକ୍ଷ ନିର୍ବାଚନ...

ଛାତ୍ର ସଂସଦ ନିର୍ବାଚନରେ ହିଂସା ଓ ରାଜନୈତିକ ହସ୍ତକ୍ଷେପ ଅଭିଯୋଗ; ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କଂଗ୍ରେସର ଦାବି

ଭୁବନେଶ୍ୱର: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ହେବାକୁ ଯାଉଥିବା ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତିତାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ସାମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତୀ ସୋନାଲି ସାହୁ ଅଭିଯୋଗ କରିଛନ୍ତି ଯେ, ଜେନ୍-ଜି ଯୁବପିଢ଼ିର ବଢ଼ୁଥିବା ରାଜନୈତିକ ସଚେତନତା ଏବଂ ସରକାରଙ୍କ କ୍ରମାଗତ ହ୍ରାସ ପାଉଥିବା ଲୋକପ୍ରିୟତା କୁ ନେଇ ବିଜେପି ସରକାର ଭୟଭୀତ। ତେଣୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ ହେଉଛି। ଶାସକ ଦଳର ନେତା ଓ ବାହାର ଲୋକଙ୍କ କ୍ୟାମ୍ପସ୍ ପ୍ରବେଶ, ପ୍ରଶାସନର ପକ୍ଷପାତିତା ଏବଂ ଅନେକ କଲେଜରେ ନିର୍ବାଚନ ବନ୍ଦ ହେବା ଘଟଣା କ୍ୟାମ୍ପସ୍ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ହିଂସା ଓ ଧମକକୁ ରୋକିବା ପାଇଁ ସେ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେହିପରି ବରିଷ୍ଠ ମୁଖପାତ୍ର ଡ. ମନୀସା ଦାସ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଘଟିଥିବା ହିଂସାତ୍ମକ ଘଟଣା ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ କରି ବାଙ୍କୀ ଓ ନର୍ଲା କଲେଜରେ ଉତ୍ତେଜନା ଓ ହିଂସା, ଯାଜପୁରର ବ୍ୟାସନଗର ସ୍ୱୟଂଶାସିତ କଲେଜରେ ବୋମାମାଡ଼ ଏବଂ ରେଭେନ୍ସା, ବ୍ରହ୍ମପୁର ଓ ରମାଦେବୀ ବିଶ୍ୱବିଦ୍ୟାଳୟକୁ ନେଇ ଉଠିଥିବା ନିର୍ବାଚନୀ ବିବାଦ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କ୍ୟାମ୍ପସ୍‌ର ଗଣତାନ୍ତ୍ରିକ ପରିବେଶ ଉପରେ ପ୍ରଶ୍ନ ଉଠାଇଛି। ବ୍ୟାସନଗର କଲେଜରେ ବୋମାମାଡ଼ ପରେ ନିର୍ବାଚନ ସ୍ଥଗିତ ହେବା ଏହି ସଙ୍କଟର ଗମ୍ଭୀରତାକୁ ଦର୍ଶାଉଛି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଟଙ୍କା ଓ ବିରିୟାନି ବଣ୍ଟନ ଭଳି ପ୍ରଲୋଭନ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ଏବଂ ବାଲଟ୍‌ରେ ଭୋଟ ପରିବର୍ତ୍ତନ ନେଇ ଉଠିଥିବା ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଏପରି ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଉ। ଉଭୟ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ହେଉଛି ଗଣତାନ୍ତ୍ରିକ ନେତୃତ୍ୱ ଗଢ଼ିବାର ମାଧ୍ୟମ। ତେଣୁ ପୁଲିସ ଓ ପ୍ରଶାସନ ନିରପେକ୍ଷ ରହିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ହିଂସାମୁକ୍ତ ପରିବେଶ ଏବଂ ଅବାଧ ମତଦାନ ସୁନିଶ୍ଚିତ କରନ୍ତୁ। କଂଗ୍ରେସର ଦାବି—କ୍ୟାମ୍ପସ୍‌ରେ ଗଣତନ୍ତ୍ର ବଞ୍ଚୁ, ହିଂସା ବନ୍ଦ ହେଉ ଏବଂ ଛାତ୍ରଛାତ୍ରୀ ନିଜ ପସନ୍ଦର ପ୍ରତିନିଧିଙ୍କୁ ଭୟମୁକ୍ତ ଓ ସ୍ୱାଧୀନ ଭାବେ ବାଛନ୍ତୁ। ନିର୍ବାଚନରେ ସରକାରୀ ପ୍ରଭାବ ନୁହେଁ, ଛାତ୍ରଛାତ୍ରୀଙ୍କ ଇଚ୍ଛା ହିଁ ନିର୍ଣ୍ଣାୟକ ହେଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking