ନୂଆପଡ଼ା: ଲାଞ୍ଚ ନେବା ଅଭିଯୋଗରେ ନୂଆପଡ଼ା ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି।ସିବିଆଇର ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧ୍ୟକ୍ଷ ଅଭିଯୋଗକାରୀଙ୍କ ଠାରୁ ପ୍ରଥମେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ନୂଆପଡ଼ାସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏଏନଏମ୍ ଭାବେ ତାଙ୍କ ସେବା ଅବଧି ବୃଦ୍ଧି କରିବା ପାଇଁ ନାମ ସୁପାରିସ କରିବା ବଦଳରେ ଏହି ଟଙ୍କା ଦାବି ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା। ଘଟଣାକୁ ନେଇ ଅଭିଯୋଗ ମିଳିବା ପରେ ସିବିଆଇ ଗତ ୭ ତାରିଖରେ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ସହ ଟଙ୍କା ନେବା ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ସେ ୧୨ ହଜାର ଟଙ୍କା ନେବାକୁ ରାଜି ହୋଇଥିବା ସିବିଆଇ କହିଛି। ଏହାପରେ ସିବିଆଇ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଅକ୍ଟୋବର ୭ ତାରିଖରେ ଅଭିଯୋଗକାରୀଙ୍କଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ସିବିଆଇ ଧରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।










