ନୂଆଦିଲ୍ଲୀ : ଆସନ୍ତା ୨୬ରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେଉଥିବା ବେଳେ ଟେଷ୍ଟ୍ ସିରିଜ୍ରୁ ଆହତ ରୋହିତ ଶର୍ମା ବାଦ୍ ପଡ଼ିସାରିଛନ୍ତି। ସେହିପରି ଜାନୁଆରୀରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଓହରିବା ପାଇଁ ବିସିସିଆଇକୁ ଆବେଦନ କରିଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏନେଇ କୋହଲି ବିସିସିଆଇକୁ କୌଣସି ପ୍ରକାର ସୂଚନା ଦେଇ ନ ଥିବା ସ୍ପଷ୍ଟ କରାଯାଇଛି।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସାଉଥ୍ ଆଫ୍ରିକା ଟୁର୍ରେ ଦୁଇ ଜଣ ଅଧିନାୟକ ପରସ୍ପର ଅଧୀନରେ ଖେଳିବେ ନାହିଁ। ଗୋଟିଏ ପଟେ କୋହଲିଙ୍କ ନିକଟରେ ଟେଷ୍ଟ୍ ଟିମ୍ର ଅଧିନାୟକ ପଦ ରହିଥିବା ବେଳେ ଆହତ କାରଣରୁ ବାଦ୍ ପଡ଼ିସାରିଥିବା ତାଙ୍କ ସହ ରୋହିତ ଉକ୍ତ ସିରିଜ୍ରେ ଖେଳିବେ ନାହିଁ। ସେହିପରି କୋହଲି ଯଦି ଦିନିକିଆରୁ ବିଶ୍ରାମ ନିଅନ୍ତି, ତା’ହେଲେ ସେ ମଧ୍ୟ ନୂଆ ଅଧିନାୟକ ରୋହିତଙ୍କ ଅଧୀନରେ ଖେଳିବେ ନାହିଁ।
ଦିନିକିଆ ସିରିଜ୍ ସମୟରେ ତାଙ୍କ ଝିଅର ପ୍ରଥମ ଜନ୍ମଦିନ ପଡ଼ୁଥିବାରୁ ସେ ଏଥିସକାଶେ ସାଉଥ୍ ଆଫ୍ରିକାରେ ରହିପାରିବେ ନାହିଁ ବୋଲି ବିସିସିଆଇକୁ ଜଣାଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଟିମ୍ ଇଣ୍ଡିଆର ଦିନିକିଆ ଦଳର ଅଧିନାୟକ ପରିବର୍ତ୍ତନ ନେଇ ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ଘନେଇଥିବା ଆଲୋଚନା ହେଉଛି। ବିଶେଷକରି ଦୁଇ ଖେଳାଳି ପରସ୍ପର ଅଧୀନରେ ଖେଳିବାକୁ ରାଜି ନୁହନ୍ତି ବୋଲି ଅନୁମାନ କରାଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ କୋହଲିଙ୍କ ଏପରି ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାନ୍ତି। ଯଦିଓ କୌଣସି ଖେଳାଳି ବିଶ୍ରାମ ନେବା ଏକ ଭଲ ନିଷ୍ପତ୍ତି, ତଥାପି କୋହଲି ଏଥିପାଇଁ ଯେଉଁ ସମୟ ବାଛିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ଓ ଏହା ହିଁ ଦୁଇ ଖେଳାଳିଙ୍କ ମଧ୍ୟରେ ତିକ୍ତତା ରହିଥିବା ସନ୍ଦେହକୁ ଘନୀଭୂତ କରିଛି ବୋଲି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ସଭାପତି କହିଛନ୍ତି। ସେହିପରି ସୋସାଲ୍ ମିଡିଆରେ ମଧ୍ୟ ପ୍ରଶଂସକମାନେ କୋହଲିଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେମାନେ ଟିମ୍ ଇଣ୍ଡିଆ ଖେଳାଳି ଦେଶର ଗୌରବକୁ ନୁହେଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ମତ ଦେଇଛନ୍ତି।