24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଜାରୀ; ଚକଲଗା ଷ୍ଟ୍ରେଚରରେ ବାହାରକୁ ଆସିବେ ଶ୍ରମିକ

ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଜାରୀ; ଚକଲଗା ଷ୍ଟ୍ରେଚରରେ ବାହାରକୁ ଆସିବେ ଶ୍ରମିକ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଚଳିତମାସ ୧୨ରେ ନିର୍ମାଣାଧୀନ ଏକ ଟନେଲ ଭୁଶୁଡି ପଡିଥିବାବେଳେ ସେଠାରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଦୁର୍ଘଟଣାର ୧୨ ଦିନ ବିତିଯାଇଥିବା ସତ୍ତ୍ୱେ ଜଣେ ହେଲେ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରିନାହିଁ । ତେବେ ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଅଗୁର ଡ୍ରିଲିଂ ମେସିନ୍ ଉଦ୍ଧାର ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ମେସିନ୍ ଟନେଲ ମଧ୍ୟରେ ୪୫ ମିଟର ଅତଡା ପରିଷ୍କାର କରିଥିବାବେଳେ ଶ୍ରମିକଙ୍କଠାରୁ ଆଉ ମାତ୍ର ୧୨ ମିଟର ଦୂରତ୍ୱ ରହିଥିଲା । ତେବେ ଟନେଲ ମଧ୍ୟରେ ଏକ ବଡ ପଥର ସହ ଧକ୍କା ହେବାରୁ ଡ୍ରିଲିଂ ମେସିନ୍‌ର ବ୍ଲେଡ୍ ଭାଙ୍ଗିଯାଇଥିଲା ଯାହାଫଳରେ ଖନନ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଡିଥିଲା ।

ମେସିନ୍ ଗୋଟିଏପଟେ ଅତଡ ସଫା କରୁଥିବାବେଳେ ସମାନ୍ତରାଳଭାବେ ୮୦୦ ମିଲିମିଟର ଓସାର ବିଶିଷ୍ଟ ଏକ ପାଇପ୍ ଟନେଲ ମଧ୍ୟକୁ ପ୍ରବେଶ କରାଯାଇଥିଲା । ଏହି ପାଇପ୍‌ବାଟେ ଫସିଥିବା ଶ୍ରମିକମାନେ ଯଦି ପେଟେଇ ପେଟେଇ ଆସିନପାରିବେ, ତେବେ ସେମାନଙ୍କୁ ଚକ ଲାଗିଥିବା ଷ୍ଟ୍ରେଚର ସାହାଯ୍ୟରେ ବାହାରକୁ ଅଣାଯିବାର ବନ୍ଦୋବସ୍ତ କରାଯାଉଛି ବୋଲି ଏନ୍‌ଡିଆରଏଫ୍ ମହନିର୍ଦ୍ଦେଶକ ଅତୁଲ କରୱାଲ କହିଛନ୍ତି । ତେବେ ୧୨ ଦିନ ଧରି ଟନେଲରେ ଫସିରହିଥିବାରୁ ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଛି । ଖନନ କାର୍ଯ୍ୟ ଶେଷ ହେବାପରେ ଏନ୍‌ଡିଆରଏଫ୍ ଯବାନମାନେ ଉକ୍ତ ପାଇପ୍ ବାଟଦେଇ ଶ୍ରମିକଙ୍କ ନିକଟରେ ପହଞ୍ଚିବେ । ପ୍ରତ୍ୟେକ ଶ୍ରମିକ ଷ୍ଟ୍ରେଚରରେ ପେଟେଇ ଶୋଇବେ ଯେଭଳି ସେମାନଙ୍କ ଶରୀରର କୌଣସି ଅଂଶ ଲୁହା ପାଇପ୍‌ରେ ଲାଗିବ ନାହିଁ । ଏହାପରେ ଶକ୍ତ ଦଉଡି ସାହାଯ୍ୟରେ ଷ୍ଟ୍ରେଚରକୁ ଟାଣି ଟାଣି ବାହାରକୁ ଅଣାଯିବ ବୋଲି କୁହାଯାଇଛି ।

ଉକ୍ତ ପାଇପ୍‌ର ଗୋଲେଇ ୩୨ ଇଞ୍ଚ୍ ହୋଇଥିବାରୁ ଶ୍ରମିକମାନେ ଆରାମରେ ବାହାରକୁ ଆସିପାରିବେ ବୋଲି ଆଶା କରାଯାଉଛି । ଏ ବାବଦରେ ଏନ୍‌ଡିଆରଏଫ୍ ଯବାନମାନେ ରିହରସାଲ ମଧ୍ୟ କରିସାରିଛନ୍ତି । ୮ ଫୁଟ୍ ଲମ୍ବ ବିଶିଷ୍ଟ ଏକାଧିକ ଲୁହା ପାଇପ୍‌କୁ ସଂଯୋଗ କରାଯାଇ ଟନେଲ ମଧ୍ୟକୁ ପଠାଯାଉଛି । ଏଥିପାଇଁ ଦିଲ୍ଲୀରୁ ସ୍ୱତନ୍ତ୍ରଭାବେ ୱେଲଡର ମେକାନିକ୍‌ଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ୬୦ ମିଟର ଦୂରତା ପର୍ଯ୍ୟନ୍ତ ପହଞ୍ଚିବାକୁ ଅତିକମରେ ୭ଟି କିମ୍ବା ୮ଟି ପାଇପ୍‌କୁ ସଂଯୋଗ କରିବାକୁ ପଡିବ । ସୂଚନାଯୋଗ୍ୟ ପୂର୍ବରୁ ଟନେଲ ମଧ୍ୟକୁ ଏକ ୬ ଇଞ୍ଚ୍ ଓସାର ବିଶିଷ୍ଟ ପାଇପ୍ ପ୍ରବେଶ କରାଯାଇ ସେହିବାଟେ ଶ୍ରମିକଙ୍କୁ ଗରମ ଖେଚୁଡି, ଭିଟାମିନ ଓ ଆଣ୍ଟି-ଡିପ୍ରେସାଣ୍ଟ ଔଷଧ ପଠାଯାଇଛି । ଏପରିକି ମଙ୍ଗଳବାର ଏଣ୍ଡୋସ୍କୋପିକ୍ କ୍ୟାମେରା ଜରିଆରେ ଫସିଥିବା ଶ୍ରମିକଙ୍କ ମୁହଁ ମଧ୍ୟ ଦେଖାଯାଇଛି । ଶ୍ରମିକଙ୍କ ମୁହଁ ଦେଖାଯିବାପରେ ଉଦ୍ଧାରକାରୀ ଦଳ ଏବଂ ଘଟଣାସ୍ଥଳରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗ ଆଶ୍ୱସ୍ତ ହୋଇପଡିଛନ୍ତି ।

ମଙ୍ଗଳବାର ରାତିରେ ଶ୍ରମିକଙ୍କୁ ପ୍ୟାକେଟ୍‌ରେ ଭର୍ତ୍ତି ହୋଇଥିବା ଭେଜ୍ ପଲାଉ, ବଟର ଚପାଟି ଓ ମଟର ପନିର ତରକାରୀ ଯୋଗାଇ ଦିଆଯାଇଛି । ପ୍ରଥମେ ବୋତଲରେ ଭର୍ତ୍ତି କରାଯାଇଥିବା ଖେଚୁଡି ଓ ଡାଲିଆ ସେମାନଙ୍କ ନିକଟକୁ ପଠାଯାଇଥିବା କୁହାଯାଇଥିଲା । ତେବେ ଅଣଓସାରିଆ ପାଇପ୍‌ରେ ପଠାଯିବା ସମ୍ଭବ ହୋଇପାରିନଥିଲା ବୋଲି ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ କର୍ପୋରେସନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଉକ୍ତ ପାଇପ୍‌କୁ ପରିଷ୍କାର କରାଯିବାପରେ ଭେଜ୍ ପଲାଉ, ବଟର ଚପାଟି ଓ ମଟର ପନିର ସମେତ କମଳା ଓ କଦଳୀ ମଧ୍ୟ ପଠାଯାଇଛି । ଦୀର୍ଘଦିନ ଟନେଲରେ ଖସିଥିବାରୁ ଶ୍ରମିକମାନେ ମାନସିକ ଓ ଶାରିରୀକଭାବେ ଅବସାଦଗ୍ରସ୍ତ ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଟନେଲ ମଧ୍ୟରେ ଚଳପ୍ରଚଳ, ଯୋଗାଭ୍ୟାସ କରିବା ସହ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଟନେଲ ମଧ୍ୟରେ ୨ କିମି ଦୂରତ୍ୱ ପର୍ଯ୍ୟନ୍ତ ଚଳପ୍ରଚଳ ହେବାର ସୁଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking