30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶରାଜୌରୀ ଏନ୍‌କାଉଣ୍ଟର ଜାରୀ; ୨ ଆତଙ୍କୀ ନିପାତ, ସେନାର ୫ ଅଧିକାରୀ ଓ ଯବାନ ସହିଦ

ରାଜୌରୀ ଏନ୍‌କାଉଣ୍ଟର ଜାରୀ; ୨ ଆତଙ୍କୀ ନିପାତ, ସେନାର ୫ ଅଧିକାରୀ ଓ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର ଗୁରୁବାର ଅବ୍ୟାହତ ରହିଛି । ଚବିଶ ଘଣ୍ଟା ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ସେନାର ୫ ଜଣ ଅଧିକାରୀ ଓ ଯବାନ ସହିଦ ହୋଇଛନ୍ତି । ଏବେମଧ୍ୟ ଉକ୍ତ ଜଙ୍ଗଲରେ ଆଉ କେତେକ ଆତଙ୍କବାଦୀ ଲୁଚିଥିବା ଅନୁମାନ କରାଯାଉଛି । ନିରାପତ୍ତାରକ୍ଷୀମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିବା ସହ ତଲାସି ଅଭିଯାନ ଜାରି ରଖିଛନ୍ତି । ଆତଙ୍କବାଦୀମାନେ ପାହାଡର ଉଚ୍ଚସ୍ଥାନରେ ରହି ଯବାନଙ୍କୁ ଟାର୍ଗେଟ କରୁଥିବା କୁହାଯାଇଛି । ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କ୍ୱାରି ନାମକ ଲସ୍କର କମାଣ୍ଡର ଅନ୍ୟତମ । କ୍ୱାରି ଆଇଇଡି ବିସ୍ଫୋରକ ବ୍ୟବହାରରେ ଜଣେ ବିଶେଷଜ୍ଞ କୁହାଯାଉଥିବାବେଳେ ସ୍ନାଇପର ରାଇଫଲ ଚଳାଇବାରେ ମଧ୍ୟ ବେଶ ଧୂରନ୍ଧର । ଗୁମ୍ଫା କିମ୍ବା ଘଞ୍ଜ ଜଙ୍ଗଲରେ ଲୁଚି ନିରାପତ୍ତାରକ୍ଷୀଙ୍କ ଉପରେ ଆକ୍ରମଣ କରିବାରେ ତା’ର ବିଶେଷ ଦକ୍ଷତା ଥିବା କୁହାଯାଇଛି । ପାକିସ୍ତାନ ଓ ଆଫ୍‌ଗାନିସ୍ତାନରେ ସେ ତାଲିମ ନେଇଥିବା ପ୍ରକାଶ ।

ବିଗତ ଏକବର୍ଷ ଧରି ସେ ରାଜୌରୀ-ପୁଞ୍ଚ୍ ଅଞ୍ଚଳରେ ବେଶ ସକ୍ରିୟ ଥିଲା । ଅପରପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନରେ ସ୍ଥଳସେନାର ୨ ଜଣ ଅଧିକାରୀ ଓ ୩ ଜଣ ଯବାନ ସହିଦ ହୋଇଛନ୍ତି । ବୁଧବାର ୪ ଜଣ ସହିଦ ହୋଇଥିବାବେଳେ ଗୁରୁବାର ଅନ୍ୟ ଜଣେ ଆହତ ଯବାନଙ୍କର ମୃତ୍ୟୁ ଘଟିଛି । ସହିଦଙ୍କ ମଧ୍ୟରେ ୩ ଜଣ ସ୍ପେଶାଲ ଫୋର୍ସ କମାଣ୍ଡୋ ସାମିଲ ଥିବା ସେନା ପକ୍ଷରୁ କୁହାଯାଇଛି । ଏମାନେ ହେଲେ ୬୩ ରାଷ୍ଟ୍ରୀୟ ରାଇଫଲ୍‌ସ କ୍ୟାପଟେନ ଏମ.ଭି.ପ୍ରାଞ୍ଜଲ, କ୍ୟାପଟେନ ଶୁଭମ ଗୁପ୍ତା, ହାବିଲଦାର ଅବଦୁଲ ମଜିଦ, ଲାନ୍ସ ନାଏକ ସଞ୍ଜୟ ବିସ୍ତ୍ ଓ ପାରାଟ୍ରୁପର ସଚିନ ଲାଉର । ରାଜୌରୀ ଜିଲ୍ଲାର ବାଜିମାଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବାପରେ ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ମିଳିତ ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ବୁଧବାର ସକାଳୁ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିବାରୁ ଯବାନଙ୍କ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking