41.1 C
Bhubaneswar
Sunday, April 28, 2024
Homeଜୀବନଶୈଳୀୟୁରିନ୍‌ ଇନ୍‌ଫେକ୍ସନ କ'ଣ ପାଇଁ ହୋଇଥାଏ

ୟୁରିନ୍‌ ଇନ୍‌ଫେକ୍ସନ କ’ଣ ପାଇଁ ହୋଇଥାଏ

ଭୁବନେଶ୍ୱର : ମୂତ୍ରାଙ୍ଗ ସଂକ୍ରମଣ  ଅର୍ଥ ମୂତ୍ର ପ୍ରସ୍ତୁତ କରିବା ଯନ୍ତ୍ର ବୃକ୍‌କ , ମୂତ୍ର ପରିବହନ ନଳୀ , ମୂତ୍ରାଶୟ  ଓ ନିଷ୍କାସନ ନଳୀ  ସମୂହର ଯେ କୌଣସି ଅଂଶର ସଂକ୍ରମଣ । ଏହାର ବିଭିନ୍ନ ଅଂଶ ଜୀବାଣୁଦ୍ୱାରା ସଂକ୍ରମିତ ହୋଇଥାଏ । ନିମ୍ନ ମୂତ୍ରାଙ୍ଗ ବା ମୂତ୍ରାଶୟ ସଂକ୍ରମଣକୁ ସିସ୍ଟାଇଟିସ, ପରିବହନ ନଳୀର ପ୍ରାରମ୍ଭିକ ଅଂଶ ସଂକ୍ରମଣକୁ ପାଏଲୋନେଫ୍ରାଇଟିସ୍, ନିଷ୍କାସନ ନଳୀ ସଂକ୍ରମଣକୁ ୟୁରେଥ୍ରାଇଟିସ୍  କୁହାଯାଏ । ନିମ୍ନ ମୂତ୍ରାଙ୍ଗ ସଂକ୍ରମଣରେ ମୂତ୍ରତ୍ୟାଗ ସମୟରେ ଯନ୍ତ୍ରଣା ହୁଏ, ବାରମ୍ବାର ପରିସ୍ରା ହୁଏ ଓ ମୂତ୍ରାଶୟ ଖାଲି ଥିଲେ ମଧ୍ୟ ପରିସ୍ରା କରିବାକୁ ଅନୁଭବ ହୁଏ । ବୃକ୍‌କ ସଂକ୍ରମଣ ହେଲେ ଉପରଲିଖିତ ଲକ୍ଷଣ ସ‌ହିତ ଜ୍ୱର ଓ ପେଟ ଦୁଇ ପାଖରେ ଯନ୍ତ୍ରଣା ହୁଏ । କ୍ୱଚିତ ପରିସ୍ରା ରକ୍ତାକ୍ତ ହୁଏ । ରୋଗୀ ଅତି ଛୋଟ ବା ଅତି ବୟସ୍କ ହୋଇଥିଲେ ଲକ୍ଷଣ ଅନିଶ୍ଚିତ ବା ଅନିର୍ଦ୍ଦିଷ୍ଟ ଥାଏ ।

ଏହି ସଂକ୍ରମଣ ନିମନ୍ତେ ଅନେକ ଜୀବାଣୁ ଓ କବକ ଦାୟୀ ଥିଲେ ମଧ୍ୟ ମୂଖ୍ୟତଃ ଏସ୍କେରିସିଆ କୋଲାଇ ଜୀବାଣୁ ଯୋଗୁ ଏହି ରୋଗ ହୁଏ । ଏହି ସଙ୍କଟ ସୃଷ୍ଟି କରିବାରେ ମହିଳା ଯୌନାଙ୍ଗ, ଯୌନ ସମ୍ପର୍କ, ମଧୁମେହ, ମୋଟାପଣ ଓ ପାରିବାରିକ ଇତିହାସ ମାନଙ୍କ ଭୂମିକା ଥାଏ । ଯୌନ କ୍ରିଡ଼ା ଏହାର ସଙ୍କଟ ସୃଷ୍ଟି ନିମନ୍ତେ ଦାୟୀ ଥିଲେ ମଧ୍ୟ ଏହି ରୋଗକୁ ଯୌନ ସଞ୍ଚାରିତ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ମୂତ୍ରାଶୟ ସଂକ୍ରମଣ ପରେ ବୃକ୍‌କ ସଂକ୍ରମଣ ହେଉଥିଲେ ମଧ୍ୟ ତାହା ରକ୍ତ ବାହିତ ସଂକ୍ରମଣ ଯୋଗୁ ହୋଇପାରେ । ଯୁବତୀ ଓ ସୁସ୍ଥ ମହିଳାଙ୍କର କେବଳ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । ଅନିଶ୍ଚିତ ଲକ୍ଷଣ ଥଲେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ କାରଣ ସଂକ୍ରମଣ ନ ଥାଇ ମଧ୍ୟ ଜୀବାଣୁ ରହିପାରେ । ଚିକିତ୍ସା ନିସ୍ଫଳ ହେଲେ ବା ଜଟୀଳ ଥିଲେ ପରିସ୍ରା କଲଚର ଉପକାରୀ ହୁଏ ।

ରୋଗ ଜଟିଳ ନ ଥିଲେ ମୂତ୍ରାଙ୍ଗ ସଂକ୍ରମଣରେ କିଛି ଦିନ ପାଇଁ ନାଇଟ୍ରିଫୁରାଣ୍ଟଏନ ବା ଟ୍ରାଇମେଥୋପ୍ରିମ/ସଲ୍‌ଫାମେଥୋକ୍ସାଜୋଲ ଭଳି ଆଣ୍ଟିବାୟୋଟିକ ଦିଆଯାଏ । ବିଭିନ୍ନ ଆଣ୍ଟିବାୟୋଟିକ ନିମନ୍ତେ ପ୍ରତିରୋଧ ବଢ଼ୁଛି । ଜଟିଳ ରୋଗରେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ୨ ବା ୩ ଦିନ ମଧ୍ୟରେ କିଛି ଉପଶମ ନ ହେଲେ ଅଧିକ ନିର୍ଣ୍ଣୟାତ୍ମକ ପରୀକ୍ଷା କରାଯାଏ । ଫେନାଜୋପାଇରିଡିନ ଦେଲେ ଲକ୍ଷଣ ଉପଶମ ହୋଇପାରେ । ପରିସ୍ରାରେ ଶ୍ୱେତ ରକ୍ତ କଣିକା ଥାଇ ଲକ୍ଷଣ ନ ଥିଲେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ ନାହିଁ  କିନ୍ତୁ ଗର୍ଭାବସ୍ଥା ଏହାର ଏକ ବ୍ୟତିକ୍ରମ । ବାରମ୍ବାର ସଂକ୍ରମଣ ହେଉଥଲେ ଲକ୍ଷଣ ଆରମ୍ଭ ହେବା ମାତ୍ରେ ଅଳ୍ପ ଦିନ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ ବା ପ୍ରତିଷେଧ ନିମନ୍ତେ ଦୀର୍ଘକାଳୀନ ଆଣ୍ଟିବାୟୋଟିକ ଦିଆଯାଏ ।

ପ୍ରତିବର୍ଷ ପ୍ରାୟ ୧୫୦ ନିୟୁତ ଲୋକ ମୂତ୍ରାଙ୍ଗ ସଂକ୍ରମଣ ରୋଗରେ ପିଡ଼ିତ ହୁଅନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ବେଶୀ ହୁଏ । ମହିଳାଙ୍କର ରୋଗ ସାଧାରଣତଃ ଜୀବାଣୁ ଯୋଗୁ ହୁଏ । ଯେ କୌଣସି ବର୍ଷର ଅନୁଶୀଳନରେ ଦେଖାଯାଏ ୧୦% ମହିଳାଙ୍କର ଏହି ରୋଗ ଅଛି ଓ ୫୦% ମହିଳା ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗର ଶୀକାର ହୁଅନ୍ତି । ପ୍ରାୟ ୧୬ରୁ ୩୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । ବାରମ୍ବାର ଏହି ରୋଗ ହୋଇପାରେ ।ପୁରାକାଳରେ ଏହି ରୋଗ ଥିଲେ ମଧ୍ୟ ଖ୍ରୀ:ପୂ: ୧୫୫୦ରେ ପ୍ରଥମେ ଲିଖିତ ଏବର୍ସ ପାପିରସରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking