ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମର କାଣ୍ଡିଆସାହି ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ବିକାଶଠାରୁ ବହୁ ଦୂରରେ ରହିଯାଇଛି । ବିଭିନ୍ନ ପ୍ରକାର ସରକାରୀ ଯୋଜନା ଗ୍ରାମକୁ ଅପହଞ୍ଚ ହୋଇପଡିଛି । ଗ୍ରାମକୁ ଦେଖିଲେ ସରକାରୀ ଯୋଜନା ଏମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାଟବଣା ହୋଇପଡ଼ିଥିବା ଅନୁମେୟ ହୁଏ । ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ବିକାଶର ଡିଣ୍ଡିମ ପିଟୁଥିବାବେଳେ କାଣ୍ଡିଆସାହିର ବାସ୍ତବ ଚିତ୍ର ହିଁ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠି ଯୋଜନା ସବୁ କାଗଜ କଲମରେ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ୁଛି । ଫଳରେ ଆଜି ବି ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଗ୍ରାମର ୨୦ଟି ପରିବାରର ଶତାଧିକ ବାସିନ୍ଦା । ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭକରି ଅଙ୍ଗନବାଡି ଓ ବିଦ୍ୟାଳୟକୁ ନିତିଦିନିଆ ରାସ୍ତା ଖଣ୍ଡିଏ ନାହିଁ । ବ୍ଲକ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଦୂରର କଥା । ବିଡ଼ମ୍ବନାର ବିଷୟ ଗ୍ରାମରୁ ଯାତାୟତରେ ଦେବତା ଦରହ ନାଳ ବାଧକ ସାଜୁଛି ।
ବର୍ଷକର ଆଠମାସ ନାଳରେ ପାଣିର ସୁଅ ଥିବାରୁ ଲୋକେ ଏକ ପ୍ରକାର ବିଛିନ୍ନାଞ୍ଚଳ ଜୀବନ ବିତାଉଥିବା ଦେଖାଯାଇଛି । ଗ୍ରାମର ଛାତ୍ରଛାତ୍ରୀମାନେ ନିକଟସ୍ଥ ଶିରିଆ ବାହାଳ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ନିର୍ଭର କରୁଥିବାବେଳେ ନାଳ ବାଧକ ସାଜୁଥିବାରୁ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମରେ ପ୍ରାୟ ୨୦ଟି ଶିଶୁ ରହିଥିବା ବେଳେ ପାଖରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ସୁଷମ ଖାଦ୍ୟ ଏବଂ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସେହିପରି ପାଖାପାଖି ୧୫ଜଣ ଛାତ୍ରଛାତ୍ରୀ ପାଠ ପଢିବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମରେ ଅନେକ ଯୋଗ୍ୟ ବୃଦ୍ଧ ବୃଦ୍ଧା ସରକାରଙ୍କ ପେନ୍ସନ୍ ଯୋଜନାରେ ସାମିଲ ହୋଇନାହାନ୍ତି । ଗ୍ରାମରେ ଗୋଟିଏ ନଳକୂପ ରହିଥିବା ବେଳେ ଖରାଦିନେ ତାହା ଜଳ ଯୋଗାଇବାରେ ଅକ୍ଷମ ହୋଇପଡ଼ିଥାଏ । ଫଳରେ ଲୋକେ ନିକଟସ୍ଥ ଦେବତା ଦରହ ନାଳରୁ ଚୁଆ କରି ଜଳ ସଂଗ୍ରହ କରିଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ଏପରିକି ଗ୍ରାମରେ କାହାର ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଲେ ଖଟିଆରେ ବୋହି ବିପଦ ସଙ୍କୁଳ ଅବସ୍ଥାରେ ନାଳକୁ ପାର୍ କରି ସିରିଆବାହାଳ ନାୟକ ସାହିକୁ ଯିବାପରେ ଆମ୍ବୁଲାନ୍ସ ସେବା ମିଳିଥାଏ ବୋଲି ଗ୍ରାମର ରଇଦାସ୍ ହେମ୍ବ୍ରମ,ମିଟୁ ହେମ୍ବ୍ରମ,ଜୟରାମ ହେମ୍ବ୍ରମ ମତ ପ୍ରକାଶ କରିଛନ୍ତି । ଗ୍ରାମକୁ ନିତିଦିନିଆ ରାସ୍ତା ସହିତ ଦେବତା ଦରହ ନାଳରେ ପୋଲ ନିର୍ମାଣ ପାଇଁ ଗ୍ରାମର ମାନି ହେମ୍ବ୍ରମ, ଜେମା ହେମ୍ବ୍ରମ, ଗୋବିନ୍ଦ ହେମ୍ବ୍ରମ, ଉପେନ୍ଦ୍ର ହେମ୍ବ୍ରମ, ରଇବାରୀ ହେମ୍ବ୍ରମଙ୍କ ସହିତ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ବନ୍ଧରେ ସ୍ଥାନୀୟ ସରପଞ୍ଚ କଳ୍ପତରୁ ନାୟକଙ୍କୁ ପଚାରିବାରୁ ଗ୍ରାମର ସମସ୍ୟାକୁ ନେଇ ବହୁବାର ବିଭିନ୍ନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି କିନ୍ତୁ କୌଣସି ସୁଫଳ ମିଳୁ ନଥିବା ସେ କହିଥିଲେ ।